ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ରେ ରବିବାର ଦିନ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୋଟିଏପଟେ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ବହୁ ମନ୍ତ୍ରୀ, ବିଧାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ସଫଳତାର ଏକ ଚିତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ବିଜେପିର ସଂକଳ୍ପ ପଦଯାତ୍ରା ଓ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ୍ କୋଲଣପୁର ପଞ୍ଚାୟତ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ବ୍ଲକ୍ ବିଜେଡି ସଭାପତି ରମାକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସୁଶାସନର ବାର୍ତ୍ତା ଘରେଘରେ ପହଞ୍ଚାଇବା ପାଇଁ ବିଜେଡିର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ବୋଲି କହିଥିଲେ। ସେ କହିଥିଲେ ଯେ ଜନସାଧାରଣଙ୍କର ବିକାଶ ବିଜେଡିର ମୂଳ ଲକ୍ଷ୍ୟ। ଅନ୍ୟମାନଙ୍କ ମଧ୍ୟରେ କଟକ-ବାରବାଟୀର ପ୍ରାକ୍ତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାଙ୍କୀର ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ନବୀନ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗରିବ ଲୋକଙ୍କ ନିମନ୍ତେ ୫୦ରୁ ଅଧିକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ଭାରତବର୍ଷରେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କହିଥିଲେ। ମାହାଙ୍ଗା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗାକୁ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରିବା ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ପ୍ରକାଶ କରିଥିଲେ।
/sambad/media/post_attachments/wp-content/uploads/2023/01/bjp-salepur-705x430.jpg)
ଅନ୍ୟପକ୍ଷରେ, ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲିରେ ଆୟୋଜିତ ମଣ୍ଡଳ ବୈଠକ, ସଂକଳ୍ପ ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି କହିଥିଲେ। ଏଥିସହିତ, ମମିତା ମେହେର ଘଟଣାରୁ ଆରମ୍ଭ କରି ମାହାଙ୍ଗା ଡବଲ୍ ମର୍ଡର୍ ଘଟଣା, ହାଜତ୍ ମୃ୍ତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅନ୍ୟପଟେ, ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା କରାଗଲା। ଏଥିରେ ଶାସକ ଦଳର ବିଧାୟକଙ୍କ ହାତ ରହିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କର ବି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ। କୁଳମଣି ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କହିଥିଲେ। ସାରଦା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ବିଜେପି ନେତା ନୟନକିଶୋର ମହାନ୍ତି, ଅଲେଖ ଜେନା ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/bjd-salepur.jpg)