ଜୟପୁର: ମାସକ ରହିଛି ନିର୍ବାଚନ। ବିଜେଡି ଭଳି ବିଜେପିରେ କାହାକୁ ମିଳିବ ଟିକଟ, ତାହା ସ୍ପଷ୍ଟ ହେଉନି । ଉଭୟ ଦଳ କାହିଁକି ପ୍ରାର୍ଥୀ ଚୟନରେ ବିଳମ୍ବ କରୁଛନ୍ତି ତାହାକୁ ନେଇ ଘଡିକୁ ଘଡି ବିଭିନ୍ନ ଚର୍ଚ୍ଚା ଜୋର ହେଉଛି। ଏଭଳିକି ବିଜେଡି ଏଥରକ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ ଟିକେଟ ଦେବା ବଦଳରେ ନୂଆ ଚେହେରାକୁ ଟିକେଟ ଦେବ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ଶୁକ୍ରବାର ଓ ଶନିବାର ଶତାଧିକ ପୂର୍ବତନ ମନ୍ତ୍ରୀଙ୍କ ସମର୍ଥକମାନେ ଭୁବନେଶ୍ବର ଯାଇଥିଲେ। ଏମାନେ ସମସ୍ତେ ଯାଇ ଶଙ୍ଖ ଭବନରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ପୂର୍ବତନ ମନ୍ତ୍ରୀଙ୍କୁ ଟିକେଟ ଦେବାକୁ ଅନୁରୋଧ କରିବେ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। କିଛି ଜୟପୁର ସମେତ ଅନ୍ୟ ସ୍ଥାନର ନେତା ମାନେ ପୂର୍ବତନ ନନ୍ଦଙ୍କୁ ଟିକେଟ୍ ନ ଦେବାକୁ ଚାପ ସୃଷ୍ଟି କରୁଥିବା ଏମାନେ କହିଛନ୍ତି। ଅପରପକ୍ଷରେ ସମର୍ଥକ ମାନେ ଶଙ୍ଖଭବନରେ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ଇସ୍ତାହାର କମିଟିର ସଦସ୍ୟ ହୋଇଥିବାରୁ ସେହି ବୈଠକରେ ବସିଥିବା ଫଟୋ ଭାଇରାଲ୍ ହୋଇଛି। ତେବେ ବିଜେଡିର ଟିକେଟ୍ ଘୋଷଣାକୁ ବିଜେପି ଅପେକ୍ଷା କରିଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଗତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇ ୩୩ହଜାର ୮୦୫ ଭୋଟ ପାଇଥିବା ଗୌତମ ସାମନ୍ତରାୟଙ୍କ ଉପରେ ଦଳ ପୁଣିଥରେ ଭରସା କରି ରିପିଟ କରିବ ନା ନୂଆ ମୁହଁ ଭାବେ ଆଶାୟୀ ଥିବା ହିମାଂଶୁ ମହାପାତ୍ର କିମ୍ବା ସୁଧାଂଶୁ ଶେଖର ଜେନାଙ୍କୁ ଟିକେଟ ଦେବ । ତାକୁ ନେଇ ଏବେ ବି ଦ୍ବନ୍ଦ୍ବରେ ରହିଛନ୍ତି ସମର୍ଥକ । କେଉଁ ମାନଦଣ୍ଡରେ ଦଳ ଟିକେଟ ଦେବ, ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଟିକଟ କାହାକୁ ମିଳିବ ସ୍ପଷ୍ଟ ହୋଇନଥିଲେ ବି ଗୌତମ, ହିମାଂଶୁ ଓ ସୁଧାଂଶୁ ନିଜ ନିଜ ସମର୍ଥକଙ୍କ ସହ ଗାଁକୁ ଗାଁ ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି।
ରାଜନୈତିକ ସମୀକ୍ଷକ ମାନେ କହିବା ମୁତାବକ, ଗୌତମଙ୍କ ଗତ ନିର୍ବାଚନରେ ସେ ୩୩ ହଜାର ୮୦୫ ଭୋଟ ଆଣିଥିଲେ। ପରାଜୟ ପରେ ବି ସାଂଗଠନିକ କାର୍ଯ୍ୟରେ ଗତ ୫ ବର୍ଷ ହେଲା ସଂପୁର୍ଣ୍ଣ ସମୟ ଦେଇଆସୁଛନ୍ତି। ଏଭଳିକି ସମଗ୍ର ଜିଲ୍ଲାର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କ ପ୍ରମୁଖ ଭୂମିକା ରହୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଜୟପୁର ରେଳଷ୍ଟେସନରେ ଆୟୋଜିତ ଅମୃତ ରେଳଷ୍ଟେସନ କାର୍ଯ୍ୟକ୍ରମରେ ବି ଅତିଥିଭାବେ
ଯୋଗଦେଇ ମଞ୍ଚାସୀନ ଥିଲେ ଗୌତମ। ରାଜ୍ୟସ୍ତରୀୟ ନେତାଙ୍କ ସୁପାରିସ ଅନୁସାରେ ତାଙ୍କୁ ଅତିଥି କରାଯାଇଥିବା କୁହାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଗୌତମଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥିଲା। ଏସବୁ ଦୃଷ୍ଟିରୁ ଗୌତମଙ୍କୁ ଟିକେଟ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ହିମାଂଶୁ ମଧ୍ୟ ଦୌଡରେ ରହିଛନ୍ତି।
ରାଜ୍ୟ ସଭାପତି ମନମୋହନ ସାମଲ ଓ ଛତିଶଗଡ଼ର ଜଗଦଲପୁରର ଜଣେ ବରିଷ୍ଠ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୪ଶହରୁ ଅଧିକ ସମର୍ଥକଙ୍କ ସହ ଦଳରେ ମିଶିବା ପରେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ଟିକେଟ ମିଳିଲେ ନିର୍ବାଚନରେ ଯେତେ ଖର୍ଚ୍ଚ ହେବ, ଦଳର ବିନା ଆର୍ଥିକ ସହାୟତାରେ ଖର୍ଚ୍ଚ କରିବେ ବୋଲି କୁ ଆଡେ ରାଜ୍ୟସ୍ତରୀୟ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳୁଛି। ଟିକଟ ମିଳିବା ନେଇ ରାଜ୍ୟସ୍ତରୀୟ ନେତା ଅଭୟବାଣୀ ଦେଇଥିବା କହୁଛନ୍ତି ହିମାଂଶୁଙ୍କ ସମର୍ଥକ। ଅନ୍ୟଜଣେ ଆଶାୟୀ ହେଉଛତି ସୁଧାଂଶୁ । ଆରଏସ୍ଏସ ଜଣେ ସକ୍ରିୟ ସଦସ୍ୟ । ସ୍ବାମୀ ବିବେକାନନ୍ଦ ଜୟନ୍ତୀରେ ୫ଶହରୁ ଅଧିକ ବାଇକ ଶୋଭଯାତ୍ରା କରିଥିଲେ । ଆରଏସ୍ଏସ୍ରେ ଦୀର୍ଘବର୍ଷ ଧରି କାମ କରିଥିବାରୁ ଟିକଟ ମିଳିବ ବୋଲି ଆଶା ରଖି ସୁଧାଂଶୁ ବି ଭୁବନେଶ୍ଵରରେ ଡେରା ପକାଇଛନ୍ତି। ଅପରପକ୍ଷରେ ବିଜେପି ରାଜ୍ୟ ନେତୃବୃନ୍ଦ ବିଜେଡିର ଟିକେଟ୍ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି କି। ଯଦି ବିଜେଡିର ଆଶାୟୀ ଟିକେଟ୍ ନ ପାଇଲେ ବିଜେପିର ପ୍ରାର୍ଥୀ ହେବା ସମ୍ଭାବନା ରହିଛି କି ବୋଲି ଚର୍ଚ୍ଚା ଜୋର ହେଉଛି।