ଭୁବନେଶ୍ବର : ହେଲିକପ୍ଟର ଚେକିଂକୁ ନେଇ ସରକାରୀ ଅଧିକାରୀଙ୍କୁ ଦୁର୍ବବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର୍ ଚେକିଂ କରିବାକୁ ଯାଇଥିବା ନିର୍ବାଚନ କମିସନ୍ଙ୍କ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀମାନଙ୍କୁ ସେ ଦୁର୍ବବ୍ୟବହାର କରିବା ସହ ନାଲି ଆଖି ଦେଖାଇ ଧମକାଇଥିଲେ। ଗତକାଲି ଅଧିକାଂଶ ଟେଲିଭିଜନ୍ ଚ୍ୟାନେଲ୍ରେ ଏହି ଦୃଶ୍ୟ ପ୍ରସାରିତ ହୋଇଛି। ନିର୍ବାଚନ ଡ୍ୟୁଟିରେ ଥିବା ଯାଞ୍ଚ୍କାରୀ ଅଧିକାରୀଙ୍କୁ ଜଣେ ରାଜନୈତିକ ନେତା ଏପରି ନିମ୍ନସ୍ତରର ଆଚରଣ ଦେଖାଇବା ଦୁଃଖଦାୟକ। ନିର୍ବାଚନ କମିସନ୍ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦେବାକୁ ବିଜେଡି ଦାବି କରିଛି।
ଦଳ ପକ୍ଷରୁ ଆହୁରି କୁହାଯାଇଛି, ହେଲିକପ୍ଟର୍ରେ ଧର୍ମେନ୍ଦ୍ର ସାଙ୍ଗରେ ନେଇ ଯାଇଥିବା ବନ୍ଦ ସୁଟ୍କେସ୍ଟି କ’ଣ, ତାହାର ଖୁଲାସା ହେବା ଦରକାର। ତାଙ୍କ ପାଖରେ ଥିବା ଏହି ବନ୍ଦ ସୁଟ୍କେସ୍କୁ ସମସ୍ତେ ଦେଖିଛନ୍ତି ଓ ସେଥିରେ ଟଙ୍କା ଯାଇଥିବା ଅନେକଙ୍କ ସନ୍ଦେହ ହେଉଛି। ପ୍ରକୃତରେ ସେଥିରେ କ’ଣ ଥିଲା, ତାହା ସମସ୍ତେ ଜାଣିବା ଦରକାର ବୋଲି ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା ଦେଓ ସାମିଲ ହୋଇଥିଲେ।
ହିଂସାପନ୍ଥା ଆପଣାଇଛି ବିଜେଡି
ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାେବ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିର୍ବାଚନ ହାରିବା ଭୟରେ ବିଜେଡି ହିଂସାପନ୍ଥା ଆପଣାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି, ପ୍ରତିଦିନ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେବା ସହ ହତ୍ୟା କରାଯାଉଛି। ଶାସକ ବିଜେଡିର ଗୁଣ୍ଡାମାନେ ଅମାନୁଷିକ କାଣ୍ଡ ଘଟାଇ ବିରୋଧୀ ଓ ସାଧାରଣ ଭୋଟର୍ମାନଙ୍କୁ ପ୍ରଭାବିତ କରୁଛନ୍ତି। ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି। ବିଜେଡି ନେତାମାନଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏହା ବିରୋଧରେ ବିଭିନ୍ନ ଥାନାରେ ଏତଲା ପରେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଦାବିପତ୍ରରେ ଦର୍ଶାଯାଇଛି।
ବିଜେପି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିୟାରସିଂହ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବି ଶଙ୍କର ପଟ୍ଟନାୟକ ଓ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।