ଭୁବନେଶ୍ବର : ମାହାଙ୍ଗାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଆଜି ବି ଏହି ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ଭିତରେ ତୁ ତୁ ମେଁ ମେଁ ହୋଇଛି। ଗତକାଲି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଯେଉଁ ପତିକ୍ରିୟା ରଖିଲେ ତାହା ସଇତାନର ବେଦ ପାଠ ସଦୃଶ ବୋଲି ଆଜି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଈରାସିସ ଆଚାର୍ଯ୍ୟ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି, ଏହି ହତ୍ୟା ଘଟଣାରେ ୧୩ ନମ୍ବର ମୁଦାଲା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବା କାମରେ ତାଙ୍କ ଚେଲା ଚାମୁଣ୍ଡା ଲାଗିଛନ୍ତି। ଜଣେ ଖୁନି ମନ୍ତ୍ରୀଙ୍କ ପାଇଁ ଯିଏ ଏବେ ଓକିଲାତି କରୁଛନ୍ତି ସେ ଜଣେ ସଇତାନ୍ ।

Advertisment

ବିଜେପି ଅଭିଯୋଗ କରିଛି ଯେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ୨୦୧୯ ନିର୍ବାଚନ ଜିତିବା ପାଇଁ ଚାନ୍ଦବାଲି ଅଞ୍ଚଳରେ ବିଷାକ୍ତ ମଦ ବାଣ୍ଟିଥିଲେ। ଏହା ଦ୍ୱାରା ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସତ୍ତ୍ବେ ପୁଲିସ ପ୍ରଶାସନ ତାଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ। ସେ ସମୟରେ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ରାଜ୍ୟ ମାନବଧିକାର କମିସନରଙ୍କ ଦ୍ବାରସ୍ଥ ହୋଇଥିଲା। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ପଞ୍ଚାୟତରେ ମହିଳାଙ୍କ ଉପରେ ଆକ୍ରମଣ ହେଲା । ଏଥିରେ ବିଧାୟକ ବ୍ୟୋମକେଶ ରାୟଙ୍କ ସଂପୃକ୍ତି ଥିବା ସତ୍ତ୍ବେ ପୁଲିସ ଶାସକ ଦଳ ଚାପରେ ଏହି ଘଟଣାର ତଦନ୍ତ କଲା ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମା’ଙ୍କୁ ସମ୍ମାନର କଥା କହୁଥିବା େବଳେ ବିଜେଡି ଦଳର ବିଧାୟକ ମାନେ ମା’ ଭଉଣୀମାନଙ୍କର ଇଜ୍ଜତ ଲୁଟ୍ କରୁଛନ୍ତି ଏବଂ ଗୁଣ୍ଡା ଲଗାଇ ଆକ୍ରମଣ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ବିଜେପି ଅଭିଯୋଗ କରିଛି ଯେ ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ଦିନ ଠାରୁ ସେ ମାଫିଆ କାରବାର ଚଲାଇଛନ୍ତି। ବାଲି, ପଥର, ମଦ ମାଫିଆଙ୍କ ସହ ସଂପର୍କ ରଖି ସେ କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି। ବିଗତ ଦିନରେ ବ୍ୟୋମକେଶ ବାବୁ କାହାର ଧଳା ସ୍କୋପିଓ ଚଲାଉଥିଲେ ତାହା ସ୍ପଷ୍ଟ କରିବେ କି? ଦିନେ ଗାଡି ମାଗି ଚଲାଉଥିବା ବିଧାୟକ ଏବେ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ସେହିପରି ବ୍ୟୋମକେଶ ରାୟ ମୋତିଲାଲ ଗୌଡ ମାମଲାରେ ସାମିଲ ଥିବା ଅଭିଯୋଗ ଆଣି ବିଜେପି ଆହୁରି କହିଛି ଯେ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ମୋତିଲାଲ ଗୌଡ ସହ ତାଙ୍କର କେଉଁ ସଂପର୍କ ଥିଲା ତାହା ସେ କହିବା ଉଚିତ୍। ବ୍ୟୋମକେଶ ରାୟ ଜଣେ ବିଧାୟକ ହିସାବରେ ତାଙ୍କ ସଂପତି ତାଲିକା ଏବଂ ରୋଜଗାରର ଉତ୍ସ ସଂପର୍କରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଦଳ ଦାବି କରିଛି। ଭଦ୍ରକ ଜିଲ୍ଲାର ଜୈନକ ବିଧାୟକଙ୍କ ଠାରୁ ଟିକେଟ ପାଇଁ କେତେ ଟଙ୍କା ନେଇଛନ୍ତି ଏବଂ ତାଙ୍କର ବ୍ୟବସାୟରେ କେତେ ଟଙ୍କା ଲଗାଇଛନ୍ତି ତାହା ତଦନ୍ତ ହେବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ ଉପସ୍ଥିତ ଥିଲେ ।

ଶାରଦାଙ୍କ ପାଇଁ ଓକିଲାତି କରୁଛନ୍ତି ଜେଲ୍‍ ଫେରନ୍ତା ଈରାଶିଷ: ବିଜେଡି
ଭୁବନେଶ୍ବର : ଏକାଧିକ ଅପରାଧରେ ଜଡିତ ହୋଇ ଜେଲ୍‍ ଯାଇଥିବା ଓ ନିକଟରେ ରାଜଧାନୀରେ ଗଣ୍ଡଗୋଳ କରି ଫେରାର ଥିବା ବିଜେପି ନେତା ଶାରଦା ପ୍ରଧାନଙ୍କ ପାଇଁ ଓକିଲାତି କରୁଥିବା ଈରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଜେଲ୍‍ ଫେରନ୍ତା। ଜଣେ ଅପରାଧୀକୁ ସୁରକ୍ଷା ଦେବାପାଇଁ ଆଉ ଜଣେ ଅପରାଧୀ ଆସି ଓକିଲାତି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହୁ କହିଛନ୍ତି ଯେ ଶାରଦାଙ୍କ ସୁରକ୍ଷାରେ ଆଗକୁ ଆସି ଓକିଲାତି କରୁଥିବା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଭଟଲି ଗୁଳିକାଣ୍ଡରେ ସମ୍ପୃକ୍ତି ଥିବାରୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ ସହିତ ମାରଣାସ୍ତ୍ର ରଖିଥିବା ଅଭିଯୋଗରେ ୮ମାସ ଜେଲରେ ରହି ସେ ଫେରିଛନ୍ତି। ଅନ୍ୟ ପକ୍ଷରେ ଶାରଦାଙ୍କ ଅପରାଧ ତାଲିକା ବି ବେଶ୍‍ ଲମ୍ବା । କୋଇଲା ଚୋରି ଠାରୁ ଆରମ୍ଭ କରି ଲୁହାପଥର ଚୋରି, ବାଲି ମାଫିଆକାର୍ଯ୍ୟ ଓ ଟିଟୋକୁ ଜଗତ୍‍ସିଂହପୁରରେ ବେଆଇନ୍‍ ଭାବରେ ପେଟ୍ରୋଲ ପମ୍ପ ମାଲିକାନା କରାଇବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ନାମରେ ରହିଛି।

ଶ୍ରୀ ସାହୁ କହିଛନ୍ତି ଯେ ଭଲ ହୋଇଥାନ୍ତା ଈରାଶିଷ ନିଜ ବକ୍ତବ୍ୟ ରଖିବା ପୂର୍ବରୁ ନିଜର ଅତୀତର ଅପରାଧର ଜୀବନକୁ ଥରେ ଚାହିଁ ଦେଖିଥାନ୍ତେ। ତା ହେଲେ ଏ ପ୍ରକାରର ମନଗଢା, ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ କରିନଥାନ୍ତେ। ସେହିଭଳି ବିଜେପିର ଆଉ ଜଣେ ଯୁବ ନେତ୍ରୀ ଉପାସନା ମହାପାତ୍ର ନିକଟରେ ଗୁଣ୍ଡାମାନଙ୍କ ଦ୍ୱାରା ରାଜଧାନୀର ନୂଆପଲ୍ଲୀରେ ଯେଉଁ କାଣ୍ଡ ଭିଆଇଲେ ଓ ଥାନାରେ ମାମଲା ପରେ ଫେରାର ହୋଇଗଲେ, ସେହି ଘଟଣାରେ ମଧ୍ୟ ଶାରଦା ପ୍ରଧାନ ଅଭିଯୁକ୍ତ ଅଛନ୍ତି। ଓଡିଶାବାସୀ ବିଜେପିର ଏଭଳି ହିଂସା ରାଜନୀତିକୁ କେବେ ବରଦାସ୍ତ କରିବେ ନାହିଁ ଏବଂ ଉଚିତ୍‍ ସମୟରେ ଠିକଣା ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି ।