କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ବ ନଥିବା ନେଇ ବିଜେଡି ଓ ବିଜେପି କଥା କଟାକଟି

ରାଜ୍ୟରେ ପଶ୍ଚିମ ଓଡ଼ିଶାରୁ ୭ ମନ୍ତ୍ରୀ, ୫ ବିଜେପି ସାଂସଦଙ୍କୁ ଅଣଦେଖା: ସୁଶାନ୍ତ, ବିଜେଡି ମନ୍ତ୍ରୀ ଏନଏମଆର: ଜୟନାରାୟଣ

ଭୁବନେଶ୍ବର : କେନ୍ଦ୍ରସରକାର ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରିଆସିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ବିଜୟୀ ହୋଇଥିବା ୫ ଜଣ ବିଜେପି ସାଂସଦଙ୍କ ଭିତରୁ ଜଣକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ଆଜି ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ଏପରି ବର୍ଷିଥିଲେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ। ଏହାର ଜବାବରେ ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ପଶ୍ଚିମ ଓଡ଼ିଶା କଥା ଉଠାଇ ବିଜେଡି ରାଜନୀତି କରିବା ଆରମ୍ଭ କରିଛି।

ଶୁକ୍ରବାର ଏହି ପ୍ରସଙ୍ଗ ଉଠାଇ ବିଜେଡିର ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀ ସିଂହ ଅଭିଯୋଗ କରିଥିଲେ ଚଳିତ ଥର ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ବିଜେପିର ୫ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସେମାନଙ୍କ ଭିତରୁ ଜଣକୁ ବି ସ୍ଥାନ ମିଳିଲାନି। ଅପରପକ୍ଷରେ ବିଧାନସଭାକୁ ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୩୫ ଜଣ ବିଜେଡି ବିଧାୟକଙ୍କ ଭିତରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଜଣଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ଏଥରକ ସୁନ୍ଦରଗଡ଼ ଲୋକସଭା ଆସନରୁ ପୁଣି ଥରେ ସାଂସଦ ଜୁଏଲ ଓରାମ ଜିତିଥିଲେ ବି ତାଙ୍କୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ସ୍ଥାନ ମିଳିନି ବୋଲି ମନ୍ତ୍ରୀ ଶ୍ରୀ ସିଂହ ଅଭିଯୋଗ କରିଥିଲେ।

ଶ୍ରୀ ସିଂହଙ୍କୁ ଜବାବ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଯେତେବେଳେ ପଶ୍ଚିମ ଓଡ଼ିଶା ବିକାଶ କଥା ବିଜେପି ଉଠାଇଥିଲା ସେତେବେଳେ ଗୋଟିଏ ରାଜ୍ୟ ଓ ଏକ ନୀତି କଥା କହୁଥିଲା। ଏବେ କେବଳ ରାଜନୀତି କରିବାକୁ ମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଉଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମନ୍ତ୍ରୀ ନୁହଁନ୍ତି ସେମାନେ ଏନଏମଆର ବୋଲି ଶ୍ରୀ ମିଶ୍ର ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର