ଢେଙ୍କାନାଳ ପୌର ଭୋଟ ବେଳେ ବୁଥ୍ ଜବରଦଖଲ: ଥାନାରେ ବିଜେଡି-ବିଜେପି କର୍ମୀ ମାରପିଟ୍‌

ଢେଙ୍କାନାଳ : ଢେଙ୍କାନାଳ ପୌର ନିର୍ବାଚନ ପାଇଁ ଗୁରୁବାର ଦିନ ଭୋଟ ଗ୍ରହଣ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପରାହ୍ନରେ ଏକ ବୁଥ୍ ଜବରଦଖଲକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ଘଟଣାସ୍ଥଳରେ ଧସ୍ତାଧସ୍ତି ସହ ମାଡ଼ପିଟ୍ ହୋଇଥିଲା। ଏହି ଘଟଣାକୁ ନେଇ ଟାଉନ୍ ଥାନାରେ ପୁଲିସ ଉପସ୍ଥିତିରେ ମଧ୍ୟ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହାତାହାତି ହେବା ଘଟଣା ସାଧାରଣରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ରଗଡ଼ି ସାହି ବୁଥ୍‌ରେ ମତଦାନ ଚାଲିଥିବା‌ ବେଳେ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ବୁଥକୁ ଜବରଦଖଲ କରି ଏକତରଫା ଭାବରେ ଭୋଟ ଦେବାକୁ କେତେକ କର୍ମୀ ଉଦ୍ୟମ କରିଥିଲେ। ଏହି ସମୟରେ ଖବର ପାଇ ବିରୋଧୀ ଦଳର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସଞ୍ଜୀବ ପାତ୍ର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ସନ୍ଧ୍ୟାରେ ସେ ଟାଉନ୍ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନିର୍ଦିଷ୍ଟ ଏକ ଯୁବ କର୍ମୀଙ୍କ ନେତୃତ୍ବରେ ବିଜେଡି କର୍ମୀମାନେ ୧୫ ନମ୍ବର ବୁଥ୍‌କୁ ଜବରଦଖଲ ପାଇଁ ଉଦ୍ୟମ କରୁଥିଲେ। ସେ ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ। ତାଙ୍କର ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେ ଏହି ଅଭିଯୋଗ କରିବା ସମୟରେ ସନ୍ଧ୍ୟାରେ ଥାନାରେ କେତେକ ବିଜେଡି କର୍ମୀ ମଧ୍ୟ ପାଲଟା ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ। ସେଠାରେ ଉଭୟ ଦଳର କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଥାନା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇଥିଲା। ପୁଲିସ ଉପସ୍ଥିତିରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ସୁଦ୍ଧା ଉଭୟ ଦଳର କେତେକ କର୍ମୀ ରକ୍ତାକ୍ତ ହୋଇଥିଲେ। ଘଟଣାସ୍ଥଳରେ ଏସ୍‌ଡିପିଓ ବିକାଶ ବେହୁରା, ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଥମି ନଥିଲା। ଉଭୟ ପକ୍ଷରୁ ୩ଜଣ କର୍ମୀଙ୍କୁ ପୁଲିସ ଅଟକ ରଖି ଘଟଣାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର