ଆଠଗଡ଼: ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି ସମର୍ଥିତ ପ୍ରତିନିଧି ଓ କର୍ମୀମାନେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ଆସିଥିଲା ବେଳେ ବିଜେପି କର୍ମୀମାନେ ପହଞ୍ଚି ଯିବାରୁ ଏଭଳି ସ୍ଥିତି ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ସୂଚନା ଅନୁଯାୟୀ ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ଆଚାର୍ଯ୍ୟଙ୍କ ସ୍ୱାମୀ ତଥା ସ୍ଥାନୀୟ ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ପ୍ରତ୍ୟେକ ଦିନ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଧାଇପୁର ସରପଞ୍ଚ ମିନାକ୍ଷୀ ସାହୁ କିଛିଦିନ ତଳେ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ଆଜି ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ଓ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଆଚାର୍ଯ୍ୟ ଆଠଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସେମାନେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇଥିଲେ।

Advertisment

ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସେଠାରୁ ବିଜେଡି ସମର୍ଥିତ ଜନପ୍ରତିନିଧି ଓ କର୍ମୀମାନେ ଫେରୁଥିଲା ବେଳେ ବିଜେପି କର୍ମୀମାନେ ପହଞ୍ଚି ଯାଇଥିଲେ। ଏହି ସମୟରେ ଉଭୟ ପକ୍ଷ ନାରାବାଜି କରିବା ସହ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ରନାଥ ମଲ୍ଲିକ ଓ ଆଠଗଡ଼ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗୁରୁବାର କଟକରେ ଏକ ବୈଠକରେ ଯୋଗଦେବା ପାଇଁ ସେ ଯାଇଥିଲେ। ବିଧାୟକଙ୍କ ପ୍ରତିନିଧି ଭାବେ ରଞ୍ଜନ ଆଚାର୍ଯ୍ୟ ୨୦୧୯ରୁ ରହିଆସିଛନ୍ତି ବୋଲି ସେ ସୂଚନା ଦେବା ସହ ପରିସ୍ଥିତିକୁ ଦେଖି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ପୁଲିସ ମୁତୟନ ରହିବେ ବୋଲି କହିଛନ୍ତି। ଏହି ଘଟଣା ପରେ ଆଠଗଡ଼ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।