ନବରଙ୍ଗପୁର : ପୂର୍ବତନ ସାଂସଦ ତଥା କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଭିଡିଓ ଭାଇରାଲ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି । ଉଭୟ ଦଳର ମହିଳା କର୍ମୀ ଆଜି ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୋଟିଏ ପଟେ ବିଜୁ ମହିଳା ଜନତା ଦଳର କର୍ମୀମାନେ ପ୍ରତିବାଦ ସଭା କରିଥିବାବେଳେ ଅନ୍ୟପଟେ ଶହ ଶହ ସଂଖ୍ୟାରେ କଂଗ୍ରେସର ମହିଳା କର୍ମୀ ଶୋଭାଯାତ୍ରା କରି ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି। । ନିର୍ବାଚନର ଠିକ୍ ୩ଦିନ ପୂର୍ବରୁ ଦୁଇ ପ୍ରମୁଖ ଦଳର ମହିଳା କର୍ମୀଙ୍କ ଏଭଳି ଆକ୍ରମଣାତ୍ମକ ଭଙ୍ଗି ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି।

Advertisment

publive-image

ପ୍ରଦୀପ ମାଝୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ଏକ ବଡ଼ ଧରଣର ପ୍ରସଙ୍ଗ କରିବାକୁ ଉଦ୍ୟମ କରିଥିଲା ବିଜେଡି। ପ୍ରଥମେ ସାମ୍ବାଦିକ ସମ୍ମିଳନୀ ଏହାପରେ ନବରଙ୍ଗପୁର ସହରରେ ଦୋକାନ ବଜାର ବନ୍ଦ ସହ ରୋସ୍ତାରୋକ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ତେଣୁ ଆଜି ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ କରିବାକୁ ଗତକାଲି ଘୋଷଣା କରିଥିଲା। ସେହିପରି ରାସ୍ତାରୋକ କରି ପ୍ରତିବାଦ ଜଣାଇବାକୁ ଦଳ ଗତକାଲି ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ତେବେ ଆଜି ଦଳ ବନ୍ଦ ଡାକରାକୁ ଶେଷ ମୁହୂର୍ତରେ ବାତିଲ କରି ପ୍ରତିବାଦ ସଭାର ଆୟୋଜନ କରିଥିଲା। ମହିଳା ବିଜେଡି ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁ‌ଖରେ ଏହି ପ୍ରତିବାଦ ସଭା ହୋଇଥିଲା। ବିଜେଡି ନଗର ସଭାନେତ୍ରୀ ସଂଯୁକ୍ତା ପାଠକ, ବାସନ୍ତୀ ସୌରା, ରୀତା ସୌରା, କାମିନୀ କୁସୁମ ସୁନା, ସାଫିରା ନାୟକ, ରେସମା ବାନୋ, ହେମାଙ୍ଗିନୀ ନାୟକ, ଭାରତୀ ପୂଜାରୀ, ଜୟଦୁର୍ଗା ନାଥ, ରେସମା ବାନୋ, ଜିଲ୍ଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ତାପସ ତ୍ରିପାଠୀ, ସତୀଶ ପଟ୍ଟନାୟକ, ପ୍ରଶାନ୍ତ ଷଡଙ୍ଗୀ, ସୁନିଲ ସାହୁ, ଦିବ୍ୟଦାନ ସୁନା, ଡିଲୁ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ପ୍ରଦୀପ ମାଝୀଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିଥିଲେ।

ଅନ୍ୟପଟେ କଂଗ୍ରେସ ବିଜେଡିକୁ ଜବାବ ଦେବାକୁ ଯାଇ ଶକ୍ତି ପ୍ରଦର୍ଶନ କରିଛି। ଶହ ଶହ ମହିଳାଙ୍କୁ ନେଇ ଶୋଭାଯାତ୍ରା ସହ ଯୁବକମାନେ ବାଇକ ରାଲିରେ ନଗର ପରିକ୍ରମା କରିଥିଲେ। ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି.ନାଗାରାତ୍ନାମାଙ୍କ ନେତୃତ୍ବରେ ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଏନେଇ ନାଗାରାତ୍ନାମା କହିଛନ୍ତି ଯେ, ପ୍ରଦୀପ ମାଝୀ ଜିତିବେ ବୋଲି ପ୍ରଦୀପଙ୍କ ବିରୋଧରେ ଏପରି ହୀନଚକ୍ରାନ୍ତ କରାଯାଉଛି। ପ୍ରଦୀପ ସବୁ ବେଳେ ମହିଳାଙ୍କୁ ମର୍ଯ୍ୟାଦା ଦେଇ ଆସୁଛନ୍ତି। ଯଦି ସେ ମହିଳାଙ୍କୁ ସମ୍ମାନ ଦେଇନଥାନ୍ତେ ତେବେ ବିଜେଡିର ପ୍ରତିବାଦ ଡାକରା ବିରୋଧରେ ଗୋଟିଏ ରାତିରେ ହଜାର ହଜାର ସଂଖ୍ୟାରେ ମହିଳା ଏକତ୍ରିତ ହୋଇନଥା’ନ୍ତେ। ଶୋଭାଯାତ୍ରାରେ ଆଦିବାସୀ ମୋର୍ଚ୍ଚା ସଭାପତି ହାରାବତୀ ଗଣ୍ଡ, ବୈଦେହୀ ଗଣ୍ଡ, ମନିଷା ତ୍ରିପାଠୀ, ପ୍ରଭାତୀ ତ୍ରିପାଠୀ, ପ୍ରଣତି ତ୍ରିପାଠୀ, ଧନମଣି ପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଉତ୍ତମ ତ୍ରିପାଠୀ, ଅବଦୁଲ ଫିରୋଜ, ପ୍ରଦୀପ ସାହୁ, ସୁମିତ ପୂଜାରୀ, କୁନା ପାଢ଼ୀ, ନେତ୍ରା କୋଲାର, କେଶବ ଭୋଳ, କାଳି ପାତ୍ର, ବିଦ୍ୟା ସାଗର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ମହିଳା, ଯୁବତୀ ଓ ଯୁବକ ଯୋଗ ଦେଇଥିଲେ।