ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ରଘୁରାମ ମାଛ ଓ ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।
ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ଫକୀର ନାୟକ, କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଆଇଆରଏସ୍ ଅଧିକାରୀ ସମ୍ବିତ ତ୍ରିପାଠୀ, କେନ୍ଦ୍ରାପଡ଼ା କନିକା ରାଜପରିବାରର ସଦସ୍ୟା ଦୁର୍ଗା ଦେବୀ, ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ସୟଦ ମୁକ୍ତାର ଅଲ୍ଲୀଙ୍କ ନେତୃତ୍ୱରେ ବହୁ ନେତା ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, କଟକ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଚର୍ଚ୍ଚାରେ ପୂର୍ବତନ ଆଇଆର୍ଏସ୍ ସମ୍ବିତ ତ୍ରିପାଠୀ
ଆଉ ଜଣେ ଓଡ଼ିଆ ପ୍ରଶାସକ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରି ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି। ସେ ହେଲେ କଟକ ଜିଲ୍ଲାର ବଡ଼ମ୍ବା ବ୍ଲକ୍ରେ ଜନ୍ମିତ ସମ୍ବିତ ତ୍ରିପାଠୀ। ୧୯୯୮ ବ୍ୟାଚ୍ର ସେ ଆଇଆର୍ଏସ୍ ଅଧିକାରୀ। ମାତ୍ର ୨୨ ବର୍ଷ ବୟସରେ ସେ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆୟକର ବିଭାଗ ସମେତ କେନ୍ଦ୍ର ସରକାରଙ୍କ ଚାରିଟି ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ପ୍ରଶାସନିକ ଅଭିଜ୍ଞତା ତାଙ୍କର ରହିଛି। ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଏସ୍ଡି ଓ ପିଏସ୍ ଭାବେ କାମ କରିଥିଲେ। ୨୦୨୦ ମସିହାରେ ସେ ଆୟକର ବିଭାଗର କମିସନର୍ ଥିଲା ବେଳେ ସେ ଚାକିରି ଛାଡ଼ିଥିଲେ। ଏହା ପରେ ସେ ଓଡ଼ିଶାରେ ସମାଜସେବା କ୍ଷେତ୍ରରେ ସକ୍ରିୟ ହୋଇଥିଲେ। ବିଶେଷ କରି ଚାଷ କ୍ଷେତ୍ରରେ ଚାଷୀମାନଙ୍କର ରୋଜଗାରକୁ ବଢ଼ାଇବା ପାଇଁ ନୂଆ ନୂଆ ପଦ୍ଧତ୍ତିରେ ଚାଷ କରିବାର ପ୍ରଶିକ୍ଷଣ ଦେଉଛନ୍ତି। କେନ୍ଦ୍ର ସରକାରଙ୍କର କୃଷକମାନଙ୍କ ପାଇଁ ହେଉଥିବା ଯୋଜନାର ସଫଳ ରୂପାୟନ ଦିଗରେ ସେ କାର୍ଯ୍ୟ କରୁଛନ୍ତି। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଲା ବରେ ବଡ଼ମ୍ବାରେ ବିଜେପିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।