ପ୍ରଦୀପ ପାଣିଗ୍ରାହୀ-ବିଜେଡି କର୍ମୀ ମୁହାଁମୁହିଁ

ଗୋଳନ୍ଥରା/ଗୋପାଳପୁର: ଗତକାଲି ସ୍ବାଧୀନତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ‌ରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବିଧାୟକ ଡ. ପାଣିଗ୍ରାହୀ ଗୋଳାବନ୍ଧରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳ‌େ ବିଜେଡି ସମର୍ଥକ ଓ କର୍ମୀମାନେ ତାଙ୍କୁ ବିରୋଧ କରିଛନ୍ତି। କଳାପତାକା ପ୍ରଦର୍ଶନ ସହ ‘ ପ୍ରଦୀପ ପାଣିଗ୍ରାହୀ ଗୋ ବ୍ୟାକ୍‌’ ଓ ‘ ବିଜେଡି ଜିନ୍ଦାବାଦ’ ନାରା ବି ଦେଇଛନ୍ତି । ଏପରିକି, ବିଜେଡିର କିଛି ସମର୍ଥକ ଓ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାୟକ ଓ ଜଣେ ବିଜେଡି ନେତା ଧକ୍କା ମରାମରି ବି ହୋଇଥିବା ଦେଖିବାକୁ ମିଳିଛି।

ସୂଚନାନୁସାରେ, ଗୋଳାବନ୍ଧରେ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ମୁଖ୍ୟଅତିଥି ଭା‌େବ‌ ନିମନ୍ତ୍ରଣ କରାଯାଇଥିଲା। ସକାଳ ୧୦ଟାରେ ବିଧାୟକଙ୍କ ଗାଡ଼ି କମଳାପୁର ଛକ‌ରେ ପହଞ୍ଚିବା କ୍ଷଣି ବିଜେଡିର କିଛି କର୍ମୀ ଓ ସମର୍ଥକମାନେ ବିଧାୟକଙ୍କ ଗାଡ଼ିକୁ ଘେରିଯାଇ ରାସ୍ତା ଅବରୋଧ କରିଥିଲେ। ବିଧାୟକ ଡ. ପାଣିଗ୍ରାହୀ ଗାଡ଼ିରୁ ଓହ୍ଲାଇ ରାସ୍ତା ଅବରୋଧ କରିଥିବା ବିଜେଡି ନେତା ଏସ୍. ଧର୍ମରାଜୁ ରେଡ୍ଡୀଙ୍କୁ ଧକ୍କା ମାରିଥିଲେ। ପରେ ଧର୍ମରାଜୁ ବି ବିଧାୟକଙ୍କୁ ପାଲଟା ଧକ୍କା ମାରିଥିଲେ। ଏହାକୁ ନେଇ କିଛିସମୟ ପାଇଁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପସ୍ଥିତ ବିଜେଡି ବ୍ଲକ୍‌ ସଭାପତି ଅଜିତ୍‌ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ଦୀପକ୍‌ କୁମାର ସାମନ୍ତଙ୍କ ସମେତ ଅନ୍ୟମାନେ ପାଟିତୁଣ୍ଡ କରିବା ସହ ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଉପସ୍ଥିତ ପୁଲିସ ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିବା ସହ ବିଧାୟକଙ୍କ ସୁରକ୍ଷାର ସହ ଗୋଳାବନ୍ଧ ନେଇ ଛାଡ଼ିଥିଲା। ବିଧାୟକ ଡ. ପାଣିଗ୍ରାହୀ ରାସ୍ତା ଅବରୋଧକାରୀଙ୍କୁ ହଟାଇବା ପାଇଁ ପୁଲିସକୁ ତାଗିଦ୍‌ କରିବାସହ ଏସ୍‌ଡିପିଓ ଶିବ ଶଙ୍କର ମହାପାତ୍ରଙ୍କୁ ‘ଡୁ ୟୁଆର୍‌ ଡ୍ୟୁଟି’ ବୋଲି କହିଥିଲେ। ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପାଣିଗ୍ରାହୀ କହିଛନ୍ତି, ‘ ମୁଁ ଲୋକଙ୍କ ସହ ଥିଲି, ମୁଁ ଅଛି ଓ ରହିବି।’ ରୋମ୍‌ ଶାସକ ଜୁଲିୟସ୍ ସିଜର୍‌ଙ୍କ ଉକ୍ତି ‘ଆଇ କେମ୍, ଆଇ ସ, ଆଇ କନକରଡ୍‌’କୁ ବିଧାୟକ କଥା ଛଳରେ ଦୋହରାଇଥିଲେ। ଅନ୍ୟପକ୍ଷରେ, ବିଧାୟକ ଜନବିରୋଧୀ କାର୍ଯ୍ୟ କରିବା ସହ ଟାଟାରେ ଚାକିରି ଦେବା ନାମରେ ଠକେଇ କରିଥିବା ଯୋଗୁଁ ବିଧାୟକଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରବେଶ କରାଇ ଦିଆଯିବ ନାହିଁ, ସେ ଯେତେବେଳେ ବି ଆସିବେ ତାଙ୍କୁ ବିରୋଧ କରାଯିବ ବୋଲି ବିଜେଡି ନେତା ଏସ୍. ଧର୍ମରାଜୁ ରେଡ୍ଡୀ କହିଛନ୍ତି।

ସମ୍ବନ୍ଧିତ ଖବର