ରାଜ୍ୟକୁ ମାଗଣା ଟିକା ଯୋଗାଇବାକୁ ବିଜେଡି ଓ କଂଗ୍ରେସର ଦାବି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସେପଟେ କୋଭିଡ ଟିକା ପାଇଁ ପ୍ରତିଦିନ ସରକାରୀ ସ୍ତରରେ ନୂଆ ନିଷ୍ପତ୍ତି ଦେଖିବାକୁ ମିଳୁଛି। ଏହାକୁ ନେଇ ରାଜନୀତି ବି ଥମିବାର ନା ନେଉନି। ଆଜି ପୁଣି ଥରେ ଟିକାକୁ ନେଇ କଂଗ୍ରେସ ଓ ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ହିତ ପାଇଁ ଯାହା ଆବଶ୍ୟକ ତାକୁ କରିବାକୁ କେବେ ବି ପଛାଇବେ ନାହିଁ ବୋଲି ବିଜେପି ଯୁକ୍ତି ଦର୍ଶାଇଛି।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ଟିକା ରାଜ୍ୟ କିଣିବା ନେଇ କେନ୍ଦ୍ର ଯେପରି ନିଷ୍ପତ୍ତି ନେଇଛନ୍ତି ସେଥିରେ ରାଜ୍ୟର ଆର୍ଥିକ ବୋଝ ଅଧିକ ବଢ଼ିଯିବ। ଏବେ ଯେଭଳି ଭାବରେ ସଂକ୍ରମଣ ବଢ଼ିଚାଲିଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଆମେ ଭାବିଥିଲୁ କୋଭିସିଲ୍‌ଡ୍‌ ପରି କିଛି କୋଭାକ୍‌ସିନ୍‌ର ଦର ସମାନ ରହିବ। ଆଇସିଏମ୍‌ଆର୍‌ ଦ୍ବାରା ସ୍ବୀକୃତ କୋଭାକ୍‌ସିନ୍‌ ଦର କମ୍‌ ହେବ ବୋଲି ଭାବିଥିଲୁ। ହେଲେ ଦର ବହୁତ ଅଧିକ ଧାର୍ଯ୍ୟ କରାଯାଇଛି। ଯାହାଯୋଗୁ ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ସୃଷ୍ଟି କରିବ। ଏବେ ମହାମାରୀକୁ ନିୟନ୍ତ୍ରଣ କରିବାରେ ରାଜ୍ୟମାନେ ନିଜ ନିଜ ସ୍ତରରେ ମୁକାବିଲା କରୁଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ଯେତେ ଥିଲେ ବି କୋଭିଡ ଟିକା କିଣାରେ ବ୍ୟୟଭାର ଅଧିକ ପଡ଼ିଲେ ସ୍ବାସ୍ଥ୍ୟସେବାର ଅନ୍ୟଦିଗଗୁଡ଼ିକ ପ୍ରଭାବିତ ଆଶଙ୍କା ରହିଛି। ଯାହା ପାଖରେ ଟଙ୍କା ଅଛି ସେମାନେ ହିଁ ଟିକା କିଣିପାରିବେ। କେନ୍ଦ୍ର ସରକାର ଟିକା ବାବଦ ଅର୍ଥ ବହନ କରି ମାଗାଣାରେ ରାଜ୍ୟମାନଙ୍କୁ ଯୋଗାନ୍ତୁ। ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ନ ପକାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଲୋକଙ୍କ ଜୀବନ ସହ ମୋଦୀ ସରକାର ଖେଳୁଛନ୍ତି। କୋଭାକ୍‌ସିନ୍‌ର ଦୁଇଟି ଯାକ ଡୋଜ୍‌ ୩ ହଜାର ଟଙ୍କାରେ କିଣିବାକୁ ପଡ଼ିବ। ଛାତ୍ରଛାତ୍ରୀ, ଗରିବ, ମଧ୍ୟବିତ୍ତ ଲୋକ କେଉଁଠୁ ଟଙ୍କା ଆଣିବେ? ସେମାନେ ମରିଯିବେ। ଏ ନେଇ ଓଡ଼ିଶା ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରନ୍ତୁ। ମାଗଣାରେ ଟିକା ଦିଆଯାଉ। କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। କାରଣ ଟିକା ପାଇଁ ଏତେ ଟଙ୍କା ଦେବା ଅସମ୍ଭବ।

ଉଭୟ ବିଜେଡି ଓ କଂଗ୍ରେସକୁ ଜବାବ ଦେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଟିକା ଦର ନେଇ ମୋଦୀ ସରକାର ସମାଧାନର ବାଟ ବାହାର କରିବେ। ଟିକା ପ୍ରସ୍ତୁତକାରୀ କମ୍ପାନିମାନଙ୍କ ଉପରେ ଅଧିକ ଟିକା ଉତ୍ପାଦନ ପାଇଁ ଚାପ ପଡ଼ୁଥିବାରୁ ଦର ବଢ଼ୁଛି। ପର୍ଯ୍ୟାୟକ୍ରମେ ସମସ୍ତେ ଟିକା ପାଇବେ।

ସମ୍ବନ୍ଧିତ ଖବର