ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ୧୮ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ୧୮ଟି ଜିଲ୍ଲାରେ ସଭାପତି ପଦ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସାଙ୍ଗଠନିକ ନିର୍ବାଚନର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆମ ଦଳର ନିର୍ବାଚନ ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛୁ। ୧୩ରୁ ୧୫ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଚାଲିଥିଲା। ଯେଉଁ ୧୮ଟି ସାଙ୍ଗଠନିକ ଜିଲ୍ଲାରେ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ ସେଗୁଡ଼ିକୁ ଏବେ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା’ ପରେ ଏକଜିକ୍ୟୁଟିଭ୍ କମିଟି ଗଠନ ହେବ। ଏହାପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସଭାପତି ପଦ ପାଇଁ କେବେ ନାମାଙ୍କନ ଦାଖଲ ହେବ, ନିର୍ବାଚନ ହେବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡ଼ାନ୍ତ ହେବ।
ବିଜେଡି ପକ୍ଷରୁ ଘୋଷଣା ହୋଇଛି ଯେ ଅନୁଗୁଳ ଜିଲ୍ଲାରେ ବ୍ରଜ କିଶୋର ପ୍ରଧାନ, ବରଗଡ଼- ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ- ଜଗନ୍ନାଥ ସ୍ୱାଇଁ, ଗଜପତି-ପ୍ରଦୀପ ନାୟକ, ବୌଦ୍ଧ- ପ୍ରଦୀପ କୁମାର ଅମାତ, ଦେବଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୁରୀ–ଉମାକାନ୍ତ ସାମନ୍ତରାୟ, ନୟାଗଡ଼–ରମେଶ ବେହେରା, ଜଗତସିଂହପୁର –ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁର –ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା– ହରିସ ଗଣତ୍ରା, କନ୍ଧମାଳ- ପଦ୍ମନାଭ ବେହେରା, ମାଲକାନଗିରି – ମାନସ ମାଡ଼କାମୀ, ମୟୁରଭଞ୍ଜ ୧ – ସୁଦାମ ମାରାଣ୍ଡି, ନବରଙ୍ଗପୁର– ମନୋହର ରନ୍ଧାରୀ, ସୁନ୍ଦରଗଡ଼– ଯୋଗେଶ କୁମାର ସିଂହ, ନୂଆପଡ଼ା- ଅବନୀ ରଞ୍ଜନ ଯୋଶୀ, ସୁବର୍ଣ୍ଣପୁର– ସରୋଜ କୁମାର କମ୍ପା ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିରେ ୫ଜଣ ବିଧାୟକ ଜିଲ୍ଲା ସଭାପତି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HjuoSAG3o7Edmv3bqQZi.jpeg)