ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ବଦଳରେ ପ୍ରାର୍ଥୀ ବଦଳାଇଛନ୍ତି। ସାମ୍ବାଦିକତାରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମବୁଦ୍ଧ ଦାସଙ୍କୁ ବିଜେଡି ଭୋଗରାଇ ଆସନରେ ଅବତୀର୍ଣ୍ଣ କରିଛି। ସେହିପରି ବିଜେଡି ଖୋର୍ଦ୍ଧାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ଖୋର୍ଦ୍ଧାରେ ବିଜେଡି ରାଜେନ୍ଦ୍ର ସାହୁ ଓ ବେଗୁନିଆରେ ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି।
ବିଧାୟକ ଅନନ୍ତ ଦାସ ଓ ତାଙ୍କ ପୁଅ କିଛି ଦିନ ପୂର୍ବରୁ ଟିକେଟ୍ ପାଇଁ ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ। କିନ୍ତୁ ବିଜେଡି ଅନନ୍ତ ଦାସ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ୍ ଦେଇ ନାହିଁ। ଅନନ୍ତ ଦାସ ୨୦୦୪ ମସିହା ଠାରୁ କ୍ରମାଗତ ଭାବେ ୪ ଥର ଭୋଗରାଇରୁ ବିଧାୟକ ହୋଇଛନ୍ତି। ୨୦୧୯ ନିର୍ବାଚନରେ ସେ ୭୬,୭୯୬ ଖଣ୍ଡ ଭୋଟ୍ ପାଇଥିଲେ। କଂଗ୍ରେସର ପ୍ରାର୍ଥୀ ସତ୍ୟଶିବ ଦାସଙ୍କୁ ୧୬,୮୭୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
ସେହିପିର ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ୮୪,୫୫୩ ଖଣ୍ଡ ଭୋଟ୍ ପାଇଥିଲେ। ସେ ବିଜେପି ପ୍ରାର୍ଥୀ କାଲୁ ଖଣ୍ଡାୟତଙ୍କୁ ୧୦,୦୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।
ସୂଚନାଯୋଗ୍ୟ, ବିଜେଡି ଏପର୍ଯ୍ୟନ୍ତ ୧୪୭ରୁ ୧୪୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ଖଣ୍ଡପଡ଼ା, କୋରେଇ ଓ ନୀଳଗିରିରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-27-at-6.55.18-PM.jpeg)