ଧର୍ମେନ୍ଦ୍ରଙ୍କୁ ବିଜେଡିର ୯ ପ୍ରଶ୍ନ
ମାନସିକ ଭାରସାମ୍ୟ ହରାଇଲେଣି କେନ୍ଦ୍ରମନ୍ତ୍ରୀ, ବ୍ୟାପମ୍, ଡି-ବ୍ରଦର୍ସ, ଟିଟୋ ପ୍ରସଙ୍ଗରେ ଘେରିଲେ
ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ବ୍ୟକ୍ତି। ଓଡ଼ିଶାରେ ଯେଭଳି ଢଙ୍ଗରେ ଦ୍ରୁତ ଓ ତୀବ୍ର ଗତିରେ ବିିଜେପି ସଂଗଠନ ଭୁଶୁଡ଼ିବାକୁ ଆରମ୍ଭ କଲାଣି ସେଥିରେ ଶ୍ରୀ ପ୍ରଧାନ ବିଚଳିତ ହୋଇ ମାନସିକ ଭାରସାମ୍ୟ ହରାଇଲେଣି। ବ୍ୟାପମ୍ ଦୁର୍ନୀତିଠୁଁ ଆରମ୍ଭ କରି କୋଇଲା ଦୁର୍ନୀତି ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି। ଓଡ଼ିଶାରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ହେଉକି ଡି-ବ୍ରଦର୍ସଙ୍କ ସହ ସମ୍ପର୍କ ସବୁଥିରେ କେନ୍ଦ୍ରମନ୍ତ୍ରୀଙ୍କ ଅନୈତିକ କାର୍ଯ୍ୟକଳାପ ସହ ସମ୍ପର୍କ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସମ୍ବାଦିକ ସମ୍ମିଳନୀ କରି ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ଟାର୍ଗେଟ କରିବା ସହ ୯ଟି ଦୁର୍ନୀତି ପ୍ରସଙ୍ଗରେ ଶ୍ରୀ ପ୍ରଧାନଙ୍କ ସ୍ପଷ୍ଟୀକରଣ ମାଗିଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି ଅଭିଯୋଗ କରିଥିଲେ, ବିଜେପୁର ଉପନିର୍ବାଚନ ବେଳେ ଜଣେ ପେଟ୍ରୋଲ ପମ୍ପ୍ ମାଲିକ ଗତି କୃଷ୍ଣ ମିଶ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ପେଟ୍ରୋଲ ପମ୍ପକୁ ମଧ୍ୟ ସିଲ କରି ଦିଆଯାଇଥିଲା। କଟକର ଚର୍ଚ୍ଚିତ ଟେଣ୍ଡର ମାଫିଆ ତଥା ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସଙ୍କୁ ସଭାରେ କଟକ ବାଇମୁଣ୍ଡି ବୋଲି କହିଥିଲେ। ଏହା ପ୍ରମାଣିତ କରିଛି ଅପରାଧୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର କିପରି ଭିତିରି ସମ୍ପର୍କ ରହିଛି। ଛତ୍ରପୁର ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବିଜେପିରେ ଶ୍ରୀ ପ୍ରଧାନ ସାମିଲ କରିଥିଲେ। ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀକୁ ଆତ୍ମଗୋପନ ପାଇଁ ଗେଷ୍ଟ ହାଉସ୍ କେନ୍ଦ୍ରମନ୍ତ୍ରୀ ବୁକ କରିଥିଲେ ନା ନାହିଁ? ଏେବ ସୁଦ୍ଧା ଶ୍ରୀପ୍ରଧାନ ଏ ପ୍ରସଙ୍ଗରେ ମନା କରିନାହାନ୍ତି। ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ସହ କେନ୍ଦ୍ରମନ୍ତ୍ରୀଙ୍କର କଣ ସମ୍ପର୍କ ରହିଛି ତାକୁ ଶ୍ରୀ ପ୍ରଧାନ ସ୍ପଷ୍ଟ କରିବା ଦରକାର ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଦାବି କରିଛନ୍ତି।
ବିଜେଡି ମୁଖପାତ୍ର ସୁଲୋଚନା ଦାସ ଅଭିଯୋଗ କରିଥିଲେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭାଇ ଏଲପିଜି ସିଲିଣ୍ଡର କଳାବଜାରୀ କରୁଥିବା ନେଇ କେବେଠୁଁ ଧରାପଡ଼ିଛନ୍ତି। କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଥାଇ ଶ୍ରୀ ପ୍ରଧାନ ଏହି ମାମଲାରେ ବିଭାଗୀୟ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇ ବି କରିନାହାନ୍ତି। ବିଜେପୁର ଉପନିର୍ବାଚନରେ ପ୍ରଚାର ପାଇଁ ସଭାକାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜନୈକ ବିଜେପି କର୍ମୀ ଅତର୍କିତ ଆକ୍ରମଣ କରିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କଣ ଥିଲା ତାକୁ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ପରିଣତି ଭୟାଭୟ ହେବ ବୋଲି ଶ୍ରୀପ୍ରଧାନଙ୍କ ବିବୃତି ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇକୁ ଆକ୍ରମଣ କରାଯିବା ସହିତ ଜଣେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରି ଦର୍ଶାଇଥିଲେ, ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ୍ ଶ୍ରୀ ପ୍ରଧାନ ଆବଣ୍ଟନ କରିଥିଲେ। ଅଭିଯୋଗ ଉଠିଲା ପରେ ଏହି ପ୍ରସଙ୍ଗରେ ନିଜେ କେନ୍ଦ୍ରମନ୍ତ୍ରୀ ସିପିଆଇ ତଦନ୍ତ କରିବାକୁ କହିଥିଲେ ବି ଏ ଯାଏଁ ହେଲାନାହିଁ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ମଧ୍ୟପ୍ରଦେଶ ବ୍ୟାପମ୍ ଦୁର୍ନୀତି ଘଟଣାର ତଦନ୍ତରେ ଧରାପଡ଼ିଥିବା ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମାଙ୍କଠାରୁ ବିମାନ ଟିକେଟ୍ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ନେଇ ଆଇଟି ପ୍ରମାଣ ପତ୍ର ମିିଳିଥିଲା। ତେବେ ବ୍ୟାପମ୍ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମାଙ୍କ ସହ ଧର୍ମେନ୍ଦ୍ରଙ୍କ କି ସମ୍ପର୍କ ରହିଛି ତାକୁ ସେ ନିଜେ ସ୍ପଷ୍ଟ କରିବା ଉଚିତ। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ପୂର୍ବତନ କେନ୍ଦ୍ର କୋଇଲା ସଚିବ ପି.ସି ପରଖଙ୍କ ଦ୍ବାରା ଲିଖିତ ଏବଂ ୨୦୧୪ରେ ପ୍ରକାଶିତ କ୍ରୁସେଡର ଅର୍ କନ୍ସପିରେଟର… ବହିରେ ଶ୍ରୀପ୍ରଧାନଙ୍କ ଭୂମିକା କଣ ଥିଲା ତାକୁ ନିଜେ ତତ୍କାଳୀନ କୋଇଲା ସଚିବ ଉଲ୍କେଖ କରିଛନ୍ତି। ଏସବୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ବିଜେଡି ଆହ୍ବାନ କରିଛି।