ବିଜେପିର ଡବଲ୍‌ ଇଞ୍ଜିନ ଫର୍ମୁଲାକୁ ପାହାର : ନୀତି ଆୟୋଗ ତଥ୍ୟ ଦର୍ଶାଇ ଘେରିଲା ବିଜେଡି

ଭୁବନେଶ୍ବର : ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନେକ ମନ୍ତ୍ରୀ ବିଜେପି ଶାସିତ ରାଜ୍ୟମାନଙ୍କୁ ଡବଲ୍‌ ଇଞ୍ଜିନ ଦର୍ଶାଇ ସେଠାରେ ଉଲ୍ଲେଖନୀୟ ବିକାଶ ହୋଇଥିବା ଦମ୍ଭୋକ୍ତି କରୁଛନ୍ତିି। କିନ୍ତୁ ମୋଦୀ ସରକାରଙ୍କ ନୀତି ଆୟୋଗ ଯେଉଁ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି, ତାହା ସେମାନଙ୍କ ଦମ୍ଭୋକ୍ତି, ଦୃଢ଼ୋକ୍ତିକୁ ଉପହାସ କରୁଛି। ନୀତି ଆୟୋଗର ତଥ୍ୟଗୁଡ଼ିକ ବୟାନ କରୁଛି ଦାରିଦ୍ର୍ୟ ହାର, ସ୍ବାସ୍ଥ୍ୟ ସୁରକ୍ଷା କିମ୍ବା ମନ୍‌ରେଗା ଆଦି କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟମା‌ନଙ୍କର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ। ଏ ପଟେ, ସିଙ୍ଗଲ୍‌ ଇଞ୍ଜିନ ବିବେଚିତ ଓଡ଼ିଶା ସରକାର ଗତ ୧୯ ବର୍ଷରେ ଉଲ୍ଲେଖନୀୟ ବିକାଶ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ନୀତି ଆୟୋଗର ତଥ୍ୟ ଭିତ୍ତିରେ ଦେଶର ଏକ ପ୍ରତିଷ୍ଠିତ ଜାତୀୟ ଖବରକାଗଜ ତା’ର ନିଜସ୍ବ ପ୍ରବନ୍ଧରେ ଏ ନେଇ ବିଶଦ ଭାବେ ଉଲ୍ଲେଖ କରିଥିବା ଦର୍ଶାଇଛି ବିଜୁ ଜନତା ଦଳ।

ଆଜି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ବିକାଶ ସମ୍ବନ୍ଧିତ ନୀତି ଆୟୋଗର ତଥ୍ୟ ଭିତ୍ତିରେ ଗତ ଏପ୍ରିଲ ୨୪ ତାରିଖରେ ଜାତୀୟ ଖବରକାଗଜରେ ପ୍ରକାଶିତ ଏକ ପ୍ରବନ୍ଧକୁ ଉପସ୍ଥାପିତ କରାଯାଇଛି। ଏହି ପ୍ରବନ୍ଧରେ ସନ୍ନିବେଶିତ ତଥ୍ୟ ଅନୁଯାୟୀ ଦାରିଦ୍ର୍ୟ ହାର ବିଜେପି ଶାସିତ ଛତିଶଗଡ଼, ଝାଡ଼ଖଣ୍ଡ, ମଣିପୁର, ଅରୁଣାଚଳ ଓ ବିହାରରେ ସର୍ବାଧିକ। ମନ୍‌ରେଗା ପ୍ରଦର୍ଶନରେ ବିଜେପି ଶାସିତ ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ବିହାର ଓ ମହାରାଷ୍ଟ୍ର ରାଜ୍ୟମାନେ ଦେଶରେ ସବୁଠାରୁ ତଳେ ରହିଛନ୍ତି। ମନ୍‌ରେଗା କାମ ଯୋଗାଣରେ ଝାଡଖଣ୍ଡ, ବିହାର, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ ମଧ୍ୟ ତଳେ ରହିଛି। ସେହିପରି ଆସାମ, ଉତ୍ତର ପ୍ରଦେଶ, ନାଗାଲାଣ୍ଡ, ଜମ୍ମୁ ଓ କଶ୍ମୀର, ମଣିପୁର ରାଜ୍ୟମାନଙ୍କରେ ସ୍ବାସ୍ଥ୍ୟସେବା ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚିବା ହାର ଯଥେଷ୍ଟ କମ୍‌। ମାତୃ କଲ୍ୟାଣକର ଯୋଜନାର ସୁଫଳ ଯୋଗାଇବା କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟମାନେ ହେଉଛନ୍ତି ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର ଓ ଗୋଆ। ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଗୃହହୀନ ପରିବାରଙ୍କ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ।

ଏହିସବୁ ତଥ୍ୟ ସମ୍ବଳିତ ଖବରକାଗଜ ପ୍ରବନ୍ଧ ଦର୍ଶାଇ ବିଜେପିର ଡବଲ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍‌ ମହାନ୍ତି କହିଥିଲେ। ଗୁଜୁରାଟ୍‌ ମଡେଲ୍‌ ଡିଣ୍ଡିମ ପିଟୁଥିବା ନିଜର ଡବଲ୍‌ ଇଞ୍ଜିନ ସରକାରଙ୍କ ବିଫଳତା ଲୁଚାଇବା ପାଇଁ ବିଜେପିର ମୁହଁ ଆଉ ନାହିଁ। ଏ ପଟେ ଦେଖିଲେ, ଗତ ୧୯ ବର୍ଷ ଭିତରେ ଓଡ଼ିଶାର ବିକାଶ ତ୍ବରାନ୍ବିତ ହୋଇଛି। ଦାରିଦ୍ର୍ୟ ହାର, ସ୍ବାସ୍ଥ୍ୟ ସୁରକ୍ଷା, ମନ୍‌ରେଗା ଆଦି କ୍ଷେତ୍ରରେ ଡବଲ୍‌ ଇଞ୍ଜିନର ରାଜ୍ୟମାନଙ୍କୁ ଓଡ଼ିଶାର ସିଙ୍ଗଲ୍‌ ଇଞ୍ଜିନ ପଛରେ ପକାଇ ଆଗକୁ ଆଗେଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ଦେଶରେ ଓଡ଼ିଶା ଏକ ନମ୍ବର ରାଜ୍ୟ। ମିସନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳା ସଶକ୍ତୀକରଣ ହୋଇଛନ୍ତି। ସାତ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ବିପର୍ଯ୍ୟୟ ମୁକାବିଲାରେ ଉଚ୍ଚ ପ୍ରଶଂସିତ ହୋଇଛି ଓଡ଼ିଶା। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା ଭଳି ଉଲ୍ଲେଖନୀୟ ଯୋଜନାମାନ ବିଜେଡି ପ୍ରଣୟନ କରିଛି। ଶିଳ୍ପାୟନ କ୍ଷେତ୍ରରେ ୪.୫ ଲକ୍ଷ କୋଟି ନିବେଶ, ମାତୃ ଓ ଶିଶୁ ମୃତ୍ୟୁ ହାର ଦ୍ରୁତ ଗତିରେ ହ୍ରାସ, ଚାଷୀଙ୍କ ଆୟ ଦ୍ବିଗୁଣିତ, ଚାରିଥର କୃଷି କର୍ମଣ ପୁରସ୍କାର ଲାଭ, ୨୦ ଲକ୍ଷ ପକ୍କାଘର, ୪୧ ହଜାର କି.ମି. ଗାଁ ରାସ୍ତା ନିର୍ମାଣ ଆଦି ସୂଚକାଙ୍କ ଓଡ଼ିଶାକୁ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିଥିବା ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର