ଭୁବନେଶ୍ବର : ବୈଜୟନ୍ତ ପଣ୍ଡା ନିଜ ସ୍ବାର୍ଥ ସାଧନ ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଜି ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦାନ ପରେ ବିଜୁ ଜନତା ଦଳ ଏପରି ପ୍ରତିକ୍ରିୟା ରଖିଛି। ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରେ ସାମିଲ କରିବା ବିଜେପିର ଇତିହାସ ରହିଆସିଛି। ଜୟରାମ ପାଙ୍ଗୀ ଓ ମୁକୁଲ ରୟଙ୍କ ପରି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ଦଳରେ ସାମିଲ କରି ଉଦାହରଣ ସୃଷ୍ଟି କରିଥିଲା। ଏବେ ବୈଜୟନ୍ତ ପଣ୍ଡା କେବଳ ତାଙ୍କ ବିରୋଧରେ ଥିବା ସିବିଆଇ, ଇଡି, କଳାଧନ ଅଭିଯୋଗରେ ଆୟକର ମାମଲାରୁ ସୁରକ୍ଷା ପାଇବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀଜେନା ଅଭିଯୋଗ କରିଥିଲେ।

Advertisment

ଶ୍ରୀଜେନା ଆହୁରି ଦର୍ଶାଇଛନ୍ତି, ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳର ସାଂସଦ ରହି ୨୦୧୪ ମସିହାରୁ ଯୋଜନାବଦ୍ଧ ଭାବେ ବିଜେପିରେ ମିଶିବା ପାଇଁ ଦଳ ବିରୋଧୀ କାର୍ଯ୍ୟ କରିଆସୁଥିଲେ। ଏଥିପାଇଁ ତାଙ୍କ ଲେଖା ଓ ସ୍ତମ୍ଭରେ ବିଜେପି ନେତାଙ୍କୁ ପ୍ରଶଂସା କରି ଲେଖୁଥିଲେ। ଯେଉଁଥିପାଇଁ ୨୦୧୮ ଜାନୁଆରି ୨୬ ତାରିଖରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା। ପୂର୍ବରୁ ଭାରତୀୟ ଜନତା ପାର୍ଟି ନେତାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କ ନେଇ ବିଜେଡି ଯାହା କହିଆସୁଥିଲା ତାହା ଆଜି ପ୍ରମାଣିତ ହୋଇଛି ବୋଲି ଦଳ କହିଛି।