ଭୁବନେଶ୍ବର: ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଓ କଂଗ୍ରେସର ତାଛଲ୍ୟକୁ ସମା‌େଲାଚନା କରିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଐତିହାସିକ ପଦ‌େକ୍ଷପ। ଏହା ବିଜେଡି ସରକାରର ଓଡ଼ିଆ ଭାଷା ପ୍ରତି ଥିବା ପ୍ରୀତି ଓ ଆତ୍ମୀୟତାର ପରିଚୟ। କିନ୍ତୁ ବିରୋଧୀ ଦଳଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଆ ଭାଷା, ସଂସ୍କୃତି, ଇତିହାସ, ପରମ୍ପରା ଓ ଗବେଷଣା କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦ‌େକ୍ଷପ ନେଉଛନ୍ତି। ଓଡ଼ିଆ ଭାଷାକୁ ଆଗେଇ ନେବା ପାଇଁ ଓ ସମଗ୍ର ବିଶ୍ବରେ ଏହାର ପ୍ରଚାର, ପ୍ରସାର ପାଇଁ ଏହି ବିଶ୍ବବିଦ୍ୟାଳୟ ସହାୟକ ହେବ। ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ପଞ୍ଚସଖା ଗଢ଼ିଥିବା ବକୁଳ ବନରେ ଏହାର ଶିଳାନ୍ୟାସ ବିଶେଷ ଗୁରୁତ୍ବ ବହନ କରୁଛି। ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କୁ ନେଇ ଏକ ବୈଷୟିକ କମିଟି ଏହି ବିଶ୍ବବିଦ୍ୟାଳୟ ପାଇଁ ମଧ୍ୟ ଗଠନ କରାଯାଇଛି। ଅପର ପକ୍ଷରେ ବିରୋଧୀଙ୍କ ଅସହିଷ୍ଣୁତା ସେମାନଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ିଛି। ବିଶ୍ବବିଦ୍ୟାଳୟକୁ ନେଇ ହୀନ ରାଜନୀତି କରିବା ବଦଳରେ ଓଡ଼ିଆ ଭାଷାର ପ୍ରଚାର ଦିଗରେ ନିଆଯାଉଥିବା ପଦକ୍ଷେପକୁ ସ୍ବାଗତ କରିବାର ଆବଶ୍ୟକତା ରହିଛି। ବଡ଼ ହୃଦୟ ନେଇ ବିରୋଧୀ ଦଳଗୁଡ଼ିକ ଏହି ମହତ କାର୍ଯ୍ୟକୁ ସମର୍ଥନ କରିବାକୁ ବିଜେଡି ଆହ୍ବାନ ଦେଇଛି।