ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ। ଦଳର ୭ ରାଜ୍ୟସଭା ସାଂସଦ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ନାହିଁ। ଏନ୍‌ଡିଏ ଓ ୟୁପିଏ ଠାରୁ ସମଦୂରତାର ଦ୍ବାହି ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି। ବିଜେପିକୁ କୌଣସି ପରିସ୍ଥିତିରେ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁ ନାହାନ୍ତି, ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଜିତିବାରେ ଅସୁବିଧା ନାହିଁ। ସଂଖ୍ୟା ଗଣିତରେ ଏନ୍‌ଡିଏ ଆଗରେ ଅଛି। ତଥାପି ବିଜେଡି ଆଭିମୁଖ୍ୟ ଉପରେ ରାଜନୈତିକ ମହଲର ନଜର ଥିଲା। କାରଣ କ୍ଷମତାଚ୍ୟୁତ ହେଲା ପରେ ବିଜେଡି ନିଷ୍ପତ୍ତି ନେବା ସହଜ ହେଉନାହିଁ। ସବୁଥିରେ ଦ୍ବନ୍ଦ୍ବ ବାରି ହୋଇପଡ଼ୁଛି। 

Advertisment

ପୂର୍ବରୁ ବିଜେଡି ସମଦୂରତ୍ବ କଥା କହୁଥିଲେ ହେଁ ଅଧିକାଂଶ ପ୍ରସଙ୍ଗରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସମର୍ଥନ ଦେଇଆସୁଥିଲା। ରାଜ୍ୟ ଶାସନରୁ ଗଲା ନବୀନ ତାଙ୍କ ଆଭିମୁଖ୍ୟ ବଦଳାଇବେ, ଏମିତି ଆଶା କରାଯାଉଥିଲା। ହେଲେ ସେମିତି କିଛି ହେଲା ନାହିଁ। ଏନ୍‌ଡିଏର ଗୁଡ୍‌ବୁକ୍‌ରେ ରହିବାକୁ ବିଜେଡି ସୁପ୍ରିମୋ ଚାହୁଥିବା ସଙ୍କେତ ମିଳୁଛି।  ୱକଫ୍‌ ବିଲ୍‌ରେ ବି ସମାନ ଘଟଣା ଘଟିଥିଲା। ସାଂସଦଙ୍କ ବିବେକ ଉପରେ ଭୋଟିଂକୁ ଛାଡ଼ି ଏନ୍‌ଡିଏକୁ ପରୋକ୍ଷରେ ସହଯୋଗର ହାତ ବଢ଼ାଇଥିଲା ବିଜେଡି। କେବଳ ଦୁଇ ଜଣ ସଦସ୍ୟଙ୍କୁ ଛାଡ଼ିଦେଲେ ୫ ଜଣ ଏହି ବିଲ୍‌ ସପକ୍ଷରେ ଭୋଟ୍ ଦେଇଥିଲେ। 
ବିବେକର ଦ୍ବାହି ‌ଦିଆଯାଇଥିଲେ ବି ୱକଫ୍‌ ବିଲ୍‌କୁ ସମର୍ଥନ କରିବାକୁ ଭିତିରିଆ ନିର୍ଦ୍ଦେଶ ରାଜ୍ୟବାସୀଙ୍କୁ ଅଛପା ନଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ବି ବିଜେଡିର ଅଧିକାଂଶ ନେତା ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ସପକ୍ଷରେ ନଥିଲେ। ଏଇଥିପାଇଁ ବାର୍ତ୍ତା ଯିବ ଯେ ବିଜେଡି ଏବେ ବି ବିଜେପି ଠାରୁ ଦୂରରେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସର କାଟ୍‌ତି ଆଗରୁ ବଢ଼ିଚାଲିବ, ଏଥିରେ ସନ୍ଦେହ ନାହିଁ।  

ବିଜେପିକୁ ଅସନ୍ତୁଷ୍ଟ କରିବା ସପକ୍ଷରେ ନାହାନ୍ତି ନବୀନ
ଜୁଏଲ୍‌ କହିଲେ, ପରୋକ୍ଷରେ ଆମକୁ ସମର୍ଥନ ଦେଲେ
କଂଗ୍ରେସ କହିଲା, ବିଜେପିରୁ ବିଜେଡି ଅଲଗା ନୁହେଁ

ଏଭଳି ପରିସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସାଂସଦ ଭୋଟ ‌ନଦେବା ଏକ ସୁବିଧାବାଦ ରାଜନୀତି ବୋଲି ସମୀକ୍ଷକ ମତ ଦେଉଛନ୍ତି। ପୂର୍ବରୁ ଲୋକସଭାରେ ଆଦୌ ପ୍ରତିନିଧିତ୍ବ ନଥିବାରୁ ବିଜେଡି ଜାତୀୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡ଼ିଥିଲା। ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିରତ ରହି ଦଳ ନିଜର ଅସହାୟତାକୁ ପ୍ରକାଶ କଲା ବୋଲି ବାର୍ତ୍ତା ଯାଇଛି। ସାଂସଦ ସସ୍ମିତ ପାତ୍ର ଦଳୀୟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଥିଲେ। ତାହା ପରେ ଭୁବନେଶ୍ବରର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ବିଜେଡି ସବୁବେଳେ ସମଦୂରତା ନୀତିକୁ ଅବଲମ୍ବନ କରିଛି। ବିଜେଡି ଭୋଟ୍‌ ଦାନରୁ ବିରତ ରହିବା ଦ୍ବାରା ଦୁଇ ଜାତୀୟ ରାଜନୈତିକ ଦଳ ଦୋହଲିଯାଇଛନ୍ତି। ବିଜେଡି ଭାରତରେ ଏକ ସଫଳ ରାଜନୈତିକ ଦଳ ଭାବେ ନିଜ ପରିଚୟ ସୃଷ୍ଟି କରିଛି। 

ତେବେ ବିଜେଡିର ଏହି ନିଷ୍ପତ୍ତିକୁ ତତ୍‌କ୍ଷଣାତ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ। ସେ କହିଛନ୍ତି, ଭୋଟ୍‌ ଦାନରୁ ବିରତ ରହିବା ଅର୍ଥ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ପରୋକ୍ଷରେ ସମର୍ଥନ କରିଛି। 
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ଯଦି ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରୁହେ, ତାହାଲେ ବିଜେପି ଏହାର ଫାଇଦା ନେବ। ଭୋଟଦାନରୁ ବିରତ ରହିବାର ଅର୍ଥ ବିଜେଡି ବିଜେପିରୁ ଅଲଗା ନୁ‌ହେଁ ବୋଲି ସ୍ପଷ୍ଟ ହୋଇଯିବ। ବିରୋଧୀ ଦଳଭାବେ ବିଜେଡିକୁ ବିଜେପି ବିରୋଧରେ ଏକ ରାଜନୈତିକ ନିଷ୍ପତ୍ତି ନେବାକୁ ପଡ଼ିବ। ସମ ଦୂରତା କଥା କହି କହି ବିଜେଡି ସରକାରରୁ ଚାଲିଗଲା। ବିଜେଡିର ଜଣେ ହେଲେ ସାଂସଦ ଜିତି ପାରିଲେ ନାହିଁ। ଆଉ କେତେଦିନ ଧରି ଏଭଳି ସମଭାବାପନ୍ନ କଥା ବିଜେଡି କହିବ ବୋଲି ସେ ପ୍ରଶ୍ନ କରିଛନ୍ତି।