ମଝି ରାସ୍ତାରେ ବିଜେଡି-ବିଜେପି କର୍ମୀ ଧସ୍ତାଧସ୍ତି, ଥାନା ସମ୍ମୁଖରେ ଧାରଣା ଦେଲେ ବିଧାୟକ

ନବରଙ୍ଗପୁର/ରାଇଘର : କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଓ ରାଇଘର ଗସ୍ତ ସମୟରେ ଅପ୍ରୀତିପିର ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳା ପତାକା ଦେଖାଇବା ପରେ ରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର। ବିଜେଡି-ବିଜେପି କର୍ମୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଉଭୟ ସ୍ଥାନରୁ ପୁଲିସ ୫ଜଣ ବିଜେପି କର୍ମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶେଷ ଖବର ସୁଦ୍ଧା ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ସରକାରୀ କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକଙ୍କୁ ଅଣଦେଖା ଅଭିଯୋଗ ପରେ ଏଭଳି ଅଭାବନୀୟ ଘଟିଥିଲା। ବଡ଼କଥା ହେଲା ଉଭୟ ସ୍ଥାନରେ ପୁଲିସ ଉପସ୍ଥିତିରେ ହିଁ ଦୁଇ ଦଳର କର୍ମୀ ଧସ୍ତାଧସ୍ତି ହୋଇଥିଲେ।

ମନ୍ତ୍ରୀ ଶ୍ରୀ ବେହେରା ଶନିବାର ଉମରକୋଟ ଗସ୍ତ କରି ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପେଭର ଟ୍ରାକିଂ ଟ୍ରାକ୍‌ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଉମରକୋଟ ବିଧାୟକ ତଥା ବିଜେପି ନେତା ନିତ୍ୟାନନ୍ଦ ଗଣ୍ଡ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସରକାରୀ କାର୍ଯ୍ୟକ୍ରମରେ ଜାଣିଶୁଣି ବିରୋଧୀ ଦଳର ବିଧାୟକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ସେଠାରୁ ଚାଲି ଯାଇଥିଲେ। ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଅନ୍ୟ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ଏବଂ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମ ସରିବା ପରେ ମନ୍ତ୍ରୀ ରାଇଘର ଅଭିମୁଖେ ବାହାରିଥିଲେ। କିନ୍ତୁ ସେତେବେଳକୁ ଉମରକୋଟ ସହର ସାରା ବିଜେପି ବିଧାୟକଙ୍କୁ ଅଣଦେଖା ଅଭିଯୋଗ ନେଇ ପ୍ରଚାର ହୋଇ ସାରିଥିଲା। ତେଣୁ ଉମରକୋଟ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ୩ଜଣ ବିଜେପି କର୍ମୀ କଳା ପାତାକ ଦେଖାଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ତେବେ ମନ୍ତ୍ରୀ ରାଇଘର ଚାଲି ଯାଇଥିବା ବେଳେ ବିଜେପି କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ। ଦୁଇ ଦଳର କର୍ମୀ ପରସ୍ପରକୁ ଧକ୍କା ଦେବା ସହ ଗାଳି ଗୁଲଜ କରିଥିଲେ। ଯାହାଫଳରେ ଉତ୍ତେଜନା ବଢ଼ି ଯାଇଥିଲା। ପ୍ରାୟ ଅଧ ଘଣ୍ଟା ଧରି ଠେଲାପେଲା ପରେ ପୁଲିସ ହସ୍ତକ୍ଷେପ କରିଥିଲା। କଳା ପତାକା ଦେଖାଇଥିବା ୩ ବିଜେପି କର୍ମୀଙ୍କୁ ଉମରକୋଟ ପୁଲିସ ଥାନାରେ ଅଟକ ରଖିଛି।

ରାଇଘରରେ ପହଞ୍ଚିବା ପରେ ପୁଣି ମନ୍ତ୍ରୀଙ୍କୁ ବିରୋଧ କରି ରାଇଘର ଜଗନ୍ନାଥ ମନ୍ଦିର ନିକଟରେ ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳା ପତାକା ଦେଖାଇଥିଲେ। ତେଣୁ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପୁଣି ଟଣା ଓଟରା ହୋଇଥିଲା। ଏପରିକି କଳା ପତାକା ଦେଖାଇ ଥିବା ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଥିଲେ ବିଜେଡି କର୍ମୀ। ଏ ନେଇ ରାଇଘର ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ତେବେ ପୁଲିସ ୨ଜଣ ବିଜେପି କର୍ମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଶେଷ ଖବର ସୁଦ୍ଧା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଯେଉଁ ୩ଜଣ କର୍ମୀଙ୍କୁ ପୁଲିସ ଅଟକ ରଖିଛି ସେମାନଙ୍କୁ ବିନା ସର୍ତରେ ତୁରନ୍ତ ଛାଡ଼ିବାକୁ ବିଧାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର