ଭୁବନେଶ୍ବର : ଇଣ୍ଡିଆନ୍ ଅଏଲ୍ର ସିଏସ୍ଆର୍ ପାଣ୍ଠି ଅର୍ଥରେ ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ଭଳି ସରକାରୀ କାର୍ଯ୍ୟକ୍ରମରେ ଆଜି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ହେଲେ ଟିକିଏ ଭିନ୍ନ ଢଙ୍ଗରେ। ଦୁଇ ପ୍ରମୁଖ ଦଳର ନେତା ଅତ୍ୟନ୍ତ ନମ୍ର ଓ ବିନମ୍ରତା ପ୍ରକାଶ କରିଛନ୍ତି; ଅଥଚ ମଞ୍ଚାସୀନ ଉଭୟ ଦଳର ନେତୃତ୍ବ ମଧ୍ୟରେ ବାକ୍ଯୁଦ୍ଧ ହୋଇଥିବା ବେ​ଳେ ମଞ୍ଚତଳେ କର୍ମୀ ହାତାହାତି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିନ୍ଦୁସାଗର ପ୍ରକଳ୍ପରେ କେନ୍ଦ୍ର-ରାଜ୍ୟ ଭାଗୀଦାର ଅଛନ୍ତି। ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପିର ବଡ଼ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଅତିଥି ଥିଲେ। ଧର୍ମେନ୍ଦ୍ର ମଞ୍ଚରେ ବସିଥିଲେ, ନବୀନ ଭର୍ଚୁଆଲରେ ଉପସ୍ଥିତ ଥିଲେ। ଉଭୟ ପରସ୍ପର ବିରୋଧରେ ଉଁ କି ଚୁଁ କହିନାହାନ୍ତି। ବରଂ ସଭା ଆରମ୍ଭ ପୂର୍ବରୁ ଦେଖାଦେଇଥିବା ବିଶୃଙ୍ଖଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣର ଚାତୁରିରେ ଏବଂ ବିକାଶର ଚାଦରରେ ଘୋଡାଇବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ବିଜେଡି କର୍ମୀଙ୍କୁ ପ୍ରଭାବିତ କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ବି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲିନଥିଲେ। ଫଳରେ ସଭା ଆରମ୍ଭର ତାତି ଶେଷ ବେଳକୁ ପ୍ରଶମିତ ହୋଇଯାଇଥିଲା।
/sambad/media/post_attachments/wp-content/uploads/2021/01/m12-1.jpg)
ହେଲେ ଉଭୟ ଦଳ ମଧ୍ୟରେ ଯେ ଆଉ ମଧୁର ସଂପର୍କ ନାହିଁ, ଏକଥା ମଞ୍ଚର ଅନ୍ୟତମ ଅତିଥି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ରୁ ସ୍ପଷ୍ଟ ହୋଇଯାଇଥିଲା।
ମଞ୍ଚ ତଳେ ବିଜେଡି-ବିଜେପି କର୍ମୀ ଯେଭଳି ମୁହାଁମୁହିଁ ହୋଇଥିଲେ ତାହା ସୂଚାଇ ଦେଇଥିଲା ଯେ ସଂପର୍କରେ ତିକ୍ତତା ବଢ଼ିଗଲାଣି, ଉଭୟ ନେତୃତ୍ବ କେବଳ ସମୟକୁ ଅପେକ୍ଷା କରୁଛନ୍ତି।
ଆଜିର ସଭା ପୂର୍ବରୁ ବିଜେଡି-ବିଜେପି କର୍ମୀ କେହି କାହା ବିରୋରେ ନାରାବାଜି କରି ନ ଥିଲେ। ବରଂ ନିଜ ଦଳ ଓ ନେତାଙ୍କ ଜିନ୍ଦାବାଦ୍ ଏପରି କରିଥିଲେ ଯେ ଅପର ପକ୍ଷକୁ ଉସ୍କାଇବା ପାଇଁ ତାହା ଯଥେଷ୍ଟ ଥିଲା। କିଛି ମୁହୂର୍ତ ପାଇଁ ଉଭୟ ହାତାହାତି ପର୍ଯ୍ୟନ୍ତ ଯାଇଥିଲେ, ଠେଲାପେଲା ହୋଇଥିଲା।
ସାଧାରଣ ନିର୍ବାଚନର ପାଖାପାଖି ୧୮ ମାସ ପରେ ଏଭଳି ଚିତ୍ର ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶ୍ନ ଉଠିଛି, ଉଭୟ ରାଜନୈତିକ ଦଳ ପୁଣି ଥରେ ପୁରୁଣା ଶିରୋନାମା (ବିଜେଡି-ବିଜେପି ମୁହାଁମୁହିଁ)କୁ ଫେରିଲେ କି?
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଭିତରେ ବୟାନବାଜି, କଳି ତକରାଳ, ଗଣ୍ଡଗୋଳ, ମାର୍ପିଟ୍ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହଠାତ୍ ଉଭୟଙ୍କ ଆଚରଣ ଓ ଉଚ୍ଚାରଣ ପୂରାପୂରି ବଦଳିଯାଇଥିଲା। ବିରୋଧୀ ରାଜନୈତିକ ଦଳ ବିଜେଡି-ବିଜେପି ଭାଇ ଭାଇ ବୋଲି ତାଚ୍ଛଲ୍ୟ କରିବାକୁ ପଛାଇନଥିଲେ।
୨୦୨୧ ଅର୍ଥାତ୍ ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଉଭୟ ଦଳର ପରିବର୍ତ୍ତିତ ସମୀକରଣ ସଂପର୍କରେ ଆଭାସ ମିଳିଥିଲା। ଗତ ମାସରେ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ବିରୋଧରେ ବିେଷାଦ୍ଗାର କରି ଆନ୍ଦୋଳନ ଜୋର୍ଦାର୍ ହେବ ବୋଲି ସଙ୍କେତ ଦେଇଥିଲେ। ବିଜେପି ବି ନୟାଗଡ଼ ପରୀ ହତ୍ୟାକାଣ୍ଡ ଓ ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରି ପରୋକ୍ଷରେ ଜଣାଇ ଦେଇଛି ସେମାନେ ବି ପଛରେ ନାହାନ୍ତି। ଉଭୟ ଦଳର କର୍ମୀ ଓ ନେତାଙ୍କର ନୂଆବର୍ଷର ନୂଆ ରଣନୀତି ଆଉ ଅବୁଝା ନାହିଁ, ଏକଥା ଆଜିର ବୈଠକ ପରେ ସ୍ପଷ୍ଟ ହୋଇଯାଇଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଆଉ ବର୍ଷକ ପରେ ପଞ୍ଚାୟତ ନିର୍ବାଚନ। ଯେ କୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ହୋଇପାରେ। ତେଣୁ ବିଜେଡି-ବିଜେପି ଆଉ େକାଳାକୋଳି ହେବା ପାଇଁ ସମୟ ନାହିଁ, ବରଂ ସିଧା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଗଲେଣି। ସମ୍ଭବତଃ ପଶ୍ଚିମବଙ୍ଗ ନିର୍ବାଚନ ପରେ ଉଭୟ ଦଳର ଶୀର୍ଷ ନେତୃତ୍ବ ବି ସାମ୍ନାସାମ୍ନି ହେବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଅର୍ଥାତ୍ ଆଗକୁ ବିବାଦ ବଢ଼ିବ ସିନା କମିବାର ନାହିଁ।
ସ୍ମରଣଯୋଗ୍ୟ ଯେ ଆଜିର ଘଟଣା ୨୦୧୯ ନିର୍ବାଚନ ପୂର୍ବର ସ୍ମୃତିଗୁଡ଼ିକୁ ବି ତାଜା କରିଦେଇଛି। ୨୦୧୪ ସାଧାରଣ ନିର୍ବାଚନ ପରେ ଏମିତି େଗାଟିଏ ସରକାରୀ ସଭାରୁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଧୀରେ ଧୀରେ ଏହା ଉତ୍କଟ ପରିସ୍ଥିତି ସୃଷ୍ଟି କରିଥିଲା। ସେବେ ପିପିଲି ନିକଟରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଉଦ୍ଘାଟନ କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ, ଯାହା ଜାତୀୟ ରାଜନୀତିରେ ବି ଚର୍ଚ୍ଚାର କାରଣ ହୋଇଥିଲା। ସରକାରୀ ସଭା ହୋଇଥିଲେ ମଧ୍ୟ ଦୁଇ ଦଳର ପତାକା ଏପରି ଲଗାଯାଇଥିଲା ଯେ ଦଳୀୟ ସଭାର ଭ୍ରମ ସୃଷ୍ଟି ହୋଇଥିଲା। ଏହା ପରେ ବିଭିନ୍ନ ସମୟରେ ଏମିତି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଥିଲା ଓ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବି ଏଥିରୁ ବାଦ୍ ପଡ଼ିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/m6.jpg)