ଆରଏମ୍‌ସି କାର୍ଯ୍ୟାଳୟରେ ବିଜେଡି-ବିଜେପି ମୁହାଁମୁହିଁ ଘଟଣା: ପ୍ରଣବ ଓ ସଂଜୟଙ୍କ ବିରୋଧରେ ମାମଲା ରୁଜୁ

ନବରଙ୍ଗପୁର : ନବରଙ୍ଗପୁର ଆରଏମ୍‌ସି କାର୍ଯ୍ୟାଳୟରେ ଗତବର୍ଷ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ଘଟଣାରେ ନୂଆ ମୋଡ଼ ନେଇଛି। ବର୍ଷକ ପରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଦୌରାଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନାରେ କେଶ ନଂ ୨୩୫/୨୨ ଅନୁଯାୟୀ ଦଫା ୧୪୩, ୩୨୩, ୩୫୪, ୧୪୯ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟ ୩(୧)ଆର ଏବଂ ୩ (୧)ଭି ଆଦି ଲାଗିଛି। ଏହି ମାମଲାକୁ ନବରଙ୍ଗପୁର ଡିଏସ୍‌ପି ଯୁଗଳ କୁମାର ତଦନ୍ତ କରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଫେବ୍ରୁଆରି ମାସରେ ନବରଙ୍ଗପୁର ଆରଏମ୍‌ସି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଯୋଗ ଦେଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଉଭୟ ନେତା ଏବଂ ପ୍ରଶାସନିକ ଅଧିକାରୀ ଆରଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତୁରନ୍ତ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଇବା ପାଇଁ ଦାବି କରିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ କୃଷକ ସୂଚନା କେନ୍ଦ୍ର ଉଦ୍‌ଘାଟନ ହୋଇପାରିବ ନାହିଁ ବୋଲି ଅଡ଼ି ବସିଥିଲେ, ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଜେପି ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ତ‌େବେ ଯାଜପୁର ବିଧାୟକ ଶ୍ରୀ ଦାସ ଓ ସଂଜୟ ଦାସବର୍ମାଙ୍କ ଚାଷୀଙ୍କ ଅଭିଯୋଗ ନଶୁଣି ସୂଚନ ଭବନ କେନ୍ଦ୍ରକୁ ଧସେଇ ପଶି ଯାଇଥିବା ଅଭିଯୋଗ ହୋଇଥିଲା।

ଏହି ସମୟରେ ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଜେପିର ଯୁବ ନେତା ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ସାକ୍ଷୀ ଭାବେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଅରୁଣ ପୂଜାରୀ, ଶର୍ମିଷ୍ଠା ଦେଓ, ବବିତା ସାହୁ, ରାମଚନ୍ଦ୍ର ଗାଦବା ପ୍ରମୁଖ ରହିଥିଲେ। କିନ୍ତୁ ଅଭିଯୋଗ ପାଇବା ସତ୍ତ୍ବେ ପୁଲିସ ମାମଲା ରୁଜୁ କରି ନଥିଲା। ତେଣୁ ବିଜେଡି ନେତା ଏବଂ କର୍ମୀ ଫେବ୍ରୁଆରି ୫ ତାରିଖରେ ନବରଙ୍ଗପୁର ଏସ୍‌ପିଙ୍କୁ ଭେଟିଥିଲେ। ତଥାପି ପୁଲିସ ଚୁପ୍‌ ରହିଥିବା ବେଳେ ବିଜେପିର ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲା। ଯାହାଫଳରେ ବାଧ୍ୟ ହୋଇ ବିଜେପି ନେତା ଗୌରୀ ଶଙ୍କର ମାଝୀ ନବରଙ୍ଗପୁର ପୁଲିସ ବିରୋଧରେ ୱାନ୍‌ ସିସି ମାମଲା ରୁଜୁ କରିଥିଲେ। କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରି ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନବରଙ୍ଗପୁର ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର