ଓପିଜିସି କୋଇଲା ଖଣି ପ୍ରକଳ୍ପ ରେଳ କରିଡର ଉଦଘାଟନୀ ସଭାରେ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ସୁନ୍ଦରଗଡ଼: ଆଜି ହେମଗିର ବ୍ଲକ ମନୋହରପୁରସ୍ଥିତ ଓପିଜିସି କୋଇଲା ଖଣି ପ୍ରକଳ୍ପ ରେଳ କରିଡର ଉଦଘାଟନୀ ସଭାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ବିଜେଡି-ଵିଜେପି କର୍ମୀମାନେ ଧସ୍ତାଧସ୍ତି ହୋଇଛନ୍ତି। ଏହି ସଭାରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୁଜାରୀ, ସୁନ୍ଦରଗଡ଼ ଵିଧାୟକ କୁସୁମ ଟେଟେ, ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ଭାଷଣ ପରେ ଵିଧାୟିକା କୁସୁମ ଟେଟେ ବକ୍ତବ୍ୟ ରଖି ଵିସ୍ଥାପିତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅଵହେଳା କଥା ଉଠାଇଥିଲେ। ଲୋକେ ଭିଟାମାଟି, ଜମି ହରାଉଥିଲେ ବି ସେମାନଙ୍କୁ ନିଯୁକ୍ତି କି ଅନ୍ୟ ସୁଵିଧା, ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଥିଲେ। ତେବେ ଵିଧାୟକଙ୍କ ବକ୍ତବ୍ୟ ମଝିରେ ତାଙ୍କ ସମର୍ଥକମାନେ କୁସୁମଙ୍କ ଜିନ୍ଦାବାଦ ନାରା ଦେବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ସଭାରୁ ଉଠି ଚାଲି ଯାଇଥିଲେ।

ଏଥିରେ ଅସନ୍ତୋଷ ପ୍ରକାଶ କରି କୁସୁମଙ୍କ ସମର୍ଥକ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଗୋବ୍ୟାକ୍ ନାରା ଦେଇଥିଲେ। ଏହାକୁ ଉପସ୍ଥିତ ବିଜେଡି କର୍ମୀ ଵିରୋଧ କରିଥିଲେ। ଏହା ପରେ ଦୁଇ ଦଳର କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ସଭାସ୍ଥଳରୁ ତଳକୁ ଓହ୍ଲାଇ ଆସି କୁସୁମ ଟେଟେ ବିଜେଡି ଉପରେ ରୋଷ ଝାଡ଼ୁଥିଵା ଦେଖାଯାଇଥିଲା। ଵରିଷ୍ଠ ପୁଲିସ ଅଧିକାରୀ ଵୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବାର୍ଷିକ ୧୦ ହଜାର ଟନ ଉତ୍ପାଦନ ଵିଶିଷ୍ଟ ଓପିଜିସି ମନୋହରପୁର କୋଇଲା ଖଣି ପ୍ରକଳ୍ପରୁ ଝାରସୁଗୁଡ଼ା ବନହରପାଲି ଇବ୍ ତାପଜ ଵିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନର ଏମଜିଆର ଲାଇନକୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର