ଉପକୂଳ ରାଜପଥକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ବର: ମାତ୍ର ଗୋଟିଏ ସପ୍ତାହ ପରେ ଓଡ଼ିଶାରେ ଉପକୂଳ ରାଜପଥକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦେଇଥିବା ଉତ୍ତର ପରିପ୍ରେକ୍ଷୀରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ପୁଣି ଥରେ ଅସନ୍ତୋଷ ଝାଡ଼ିଛନ୍ତି। କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେବା ପରେ କେନ୍ଦ୍ର ସରକାର ଧୋକା ଦେଲେ। ଯାହା ସନ୍ଦେହ ହେଉଥିଲା, ତାହା ବାସ୍ତବ ରୂପ ନେଉଛି। ୪୩୦ କିଲୋମିଟର ନୁହେଁ, ଉପକୂଳ ରାଜପଥ ୩୮୨ କିଲୋମିଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଲେଣି। ମାର୍ଗ ପରିବର୍ତ୍ତନ କଥା ଏଥିରୁ ସ୍ପଷ୍ଟ। ଅନ୍ୟପଟେ ବିଜେପି ମଧ୍ୟ ଚୁପ୍ ବସିନାହିଁ। ବିଜେଡି ବିରୋଧରେ ଗର୍ଜିଛି।

ଶ୍ରୀ ଦାସବର୍ମା ଆଜି କହିଛନ୍ତି ଯେ ଉପକୂଳ ରାଜପଥ ଓଡ଼ିଶାର ଭବିଷ୍ୟତ। ୮ତାରିଖ ଦିନ ରାଜ୍ୟସଭାରେ ଅଣ ତାରକା ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଯେଉଁ ଉତ୍ତର ରଖିଛନ୍ତି, ତାହା ସୂଚାଉଛି, ଏହି ରାଜପଥ ୫୦ କିଲୋମିଟର କମାଇ ଦିଆଯାଇଛି। ଏହାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ। ଯେଉଁ ମାର୍ଗ ଦେଇ ଯିବା ଲାଗି ଯୋଜନା ହୋଇଥିଲା, ସେମିତି ହିଁ ହେଉ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ କିଭଳି ଏଭଳି ନିଷ୍ପତ୍ତି ନେଲେ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାର ପୁନର୍ବିଚାର କରନ୍ତୁ ବୋଲି ଗଣମାଧ୍ୟମକୁ କହିଛନ୍ତି।
ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରସଙ୍ଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି ବୋଲି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ଉପକୂଳ ରାଜପଥ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢାଲ ହୋଇ ଛିଡା ହୋଇଛନ୍ତି ସଞ୍ଜୟ। ତାଙ୍କ ହିସାବରେ ନ ହେବାରୁ ସେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ଉପକୂଳ ରାଜପଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବପ୍ନର ପ୍ରକଳ୍ପ। ଏହାକୁ ସଫଳ କରିବାକୁ ସେ ଅହରହ ଉଦ୍ୟମ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଯଦି ଭୁଲି ଦେଇଥିବା ଶ୍ରୀ ଦାସବର୍ମା କହୁଛନ୍ତି, ତେବେ ରାଜ୍ୟ ସରକାର କେନ୍ଦୁକୁ ପୁଙ୍ଖାନୁପୁଙ୍ଖ ତଥ୍ୟ ମାଗନ୍ତୁ। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସମୀକ୍ଷା ବୈଠକରେ ଏ ପ୍ରସଙ୍ଗରେ କାହିଁକି ମୁଖ୍ୟମନ୍ତ୍ରୀ ଉତ୍ତର ରଖିନଥିଲେ ବୋଲି ସେ ପ୍ରଶ୍ନ କରିଥିଲେ।
ବିଜେପି କହିଛି, ପ୍ରାରମ୍ଭିକ ଅବସ୍ଥାରେ ଏହି ରାଜପଥ ୪୩୦ କିମି ଆକଳନ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସହମତିରେ ଏହାକୁ ୩୭୦ କରାଯିବାର ନିଷ୍ପତି ନିଆଯାଇଥିଲା। ହେଲେ ଏହାକୁ ୩୮୨ କିଲୋମିଟର କରାଯିବ, ଅର୍ଥାତ୍ ୧୨ କିମି ଅଧିକ। ଏ ନେଇ ବି ଉଭୟ ସରକାର ସହମତି ହୋଇଥିବା ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର