ରାଜଧାନୀରେ ବିଜେଡି-ବିଜେପି ଖଣ୍ଡଯୁଦ୍ଧ, ରଣକ୍ଷେତ୍ର ପାଲଟିଲା ଆଚାର୍ଯ୍ୟବିହାର

୩ ଘଣ୍ଟା ଅଟକ ରହିଲେ ଅପରାଜିତା
ପରସ୍ପରକୁ ଅଣ୍ଡା, ଟେକା ପଥର ମାଡ଼
୫ ମହିଳାକର୍ମୀ ଆହତ, ପୁଲିସ ବି ବର୍ତ୍ତିଲାନି
ପୁଲିସର ଲାଠିଚାର୍ଜ, ଥାନାରେ ଏତଲା

ଭୁବନେଶ୍ୱର : ପୌର ନିର୍ବାଚନ ପୂର୍ବରୁ ରାଜଧାନୀର ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ରାତିରେ ଆଚାର୍ଯ୍ୟ ବିହାରରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ କାର୍ଯ୍ୟକ୍ରମକୁ ନେଇ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଅଣ୍ଡା, ଟେକାପଥର ମାଡ଼ ସାଙ୍ଗକୁ ଧସ୍ତାଧସ୍ତିରେ ଆଚାର୍ଯ୍ୟ ବିହାର ରଣକ୍ଷେତ୍ର ପାଲଟିଥିଲା। ଆକ୍ରମଣ, ପ୍ରତି ଆକ୍ରମଣରେ ୫ରୁ ଅଧିକ ଲୋକ ଆହତ ହୋଇଥିଲେ। ସ୍ଥିତି ‌ଏମିତି ହୋଇଥିଲା ଯେ ପୁଲିସ୍‌କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ‌ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ଗୁରୁବାର ଦିନ ଆଚାର୍ଯ୍ୟ ବିହାରରେ ବରିଷ୍ଠ ନାଗରିକମାନଙ୍କ ଏକ ସଭା ଥିଲା। ଏଠାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସାଂସଦ ପହଞ୍ଚିଲା ବେଳକୁ ବିଜେଡିର କିଛି ମହିଳା କର୍ମୀ ସେଠାରେ ପହଞ୍ଚିଥିଲେ। ଗତ ଅଢ଼େଇ ବର୍ଷ ଭିତରେ ରାଜଧାନୀ ଓ ଆଚାର୍ଯ୍ୟ ବିହାରର ବିକାଶ ପାଇଁ କ’ଣ କରିଛ ବୋଲି ସାଂସଦଙ୍କୁ ସେମାନେ ପ୍ରଶ୍ନ କରିଥିଲେ। ବିଜେଡି କର୍ମୀମାନଙ୍କର ଏପରି ଅତର୍କିତ ପ୍ରଶ୍ନବାଣରେ ସେଠାରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା। ଉପସ୍ଥିତ ଥିବା ବିଜେପି କର୍ମୀମାନେ ଏହାର ପ୍ରତିବାଦ କରିବା ସହ ସେମାନଙ୍କୁ ଠେଲାପେଲା କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ବିଜେପି କର୍ମୀମାନେ ସାଂସଦଙ୍କୁ ନିକଟରେ ଥିବା ଆଚାର୍ଯ୍ୟ ବିହାର ମହିଳା ସଂଘର ସଭାନେତ୍ରୀ ପୂଜା‌ରାଣୀ ମହାନ୍ତିଙ୍କ ଘରକୁ ନେଇଯାଇଥିଲେ। ବିଜେଡି କର୍ମୀମାନେ ଘର ସାମ୍ନାରେ ହୋହଲ୍ଲା କରିଥିଲେ। ସାଂସଦଙ୍କୁ ଲୋକଙ୍କ ଉତ୍ତର ଦେବାକୁ ପଡ଼ିବ ବୋଲି ଅଡ଼ି ବସିଥିଲେ।

ସହିଦନଗର ଥାନାରେ ବିଜେଡିର ଏତଲା

ବିଜେପି କର୍ମୀମାନେ ମଧ୍ୟ ପାଲ୍‌ଟା ଜବାବ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହା ପରେ ସେଠାରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ ବି କେହି ମାନିବା ସ୍ଥିତିରେ ନ ଥିଲେ। ପରସ୍ପରକୁ ଅଣ୍ଡା, ଟେକାପଥର ମାଡ଼ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ବହୁ ସଂଖ୍ୟାରେ ପୁଲିସ ସେଠାରେ ପହଞ୍ଚି ସାଂସଦ ଥିବା ଘରକୁ ସୁରକ୍ଷା ବଳୟରେ ରଖିଥିଲେ। କିନ୍ତୁ ବାହାରେ ଖଣ୍ଡଯୁଦ୍ଧ ଜାରି ରହିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲାଠି ଚାର୍ଜ କରିଥିଲା। ଏହି ଆକ୍ରମଣ, ପ୍ରତି ଆକ୍ରମଣରେ ଉଭୟ ପକ୍ଷର କିଛି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପାଖାପାଖି ୩ ଘଣ୍ଟା ସେଠାରେ ଉତ୍ତେଜନା ଲାଗି ରହିଥିଲା। ରାତି ପ୍ରାୟ ୧୧ଟାରେ ଡିସିପି ଉମାଶଙ୍କର ଦାଶ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ଏହା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସାଂସଦଙ୍କୁ କଡ଼ା ସୁରକ୍ଷା ବଳୟରେ ସେଠାରୁ ନିଆଯାଇଥିଲା।

ବିଜେପିର ଏତଲା

ଏହା ପରେ ମଧ୍ୟ ଛକାପଞ୍ଝା ଲାଗି ରହିଥିଲା। ବିଳମ୍ବିତ ରାତିରେ ବିଜେଡି କର୍ମୀମାନେ ସହିଦନଗର ଥାନାକୁ ଆସି ଏତଲା ଦେବା ସହ ଧାରଣା ଦେଇଥିଲେ। ନିର୍ଦ୍ଦିଷ୍ଟ କିଛି ବିଜେପି କର୍ମୀଙ୍କ ନାମରେ ଏତଲା ଦେବା ସହ ସେମାନଙ୍କ ଗିରଫ ଦାବି କରିଥିଲେ। ‌ସେମାନେ ଅଭିଯୋଗ କରିଥିଲେ ଯେ ବିଜେପି ଗୁଣ୍ଡାବାହିନୀଙ୍କ ଦ୍ବାରା ୫ ମହିଳାଙ୍କୁ ଆକ୍ରମଣ କରାଯାଇଛି। ସେମାନେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେଣୁ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଉ। ଏହାପରେ ପରେ ବିଳମ୍ବିତ ରାତିରେ ବିଜେପି କର୍ମୀମାନେ ସହିଦନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ବିଜେପି ସାଂସଦ ଓ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର