ଭାରତ ବନ୍ଦକୁ ନେଇ କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ?

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ରାଜ୍ୟର ଅନେକ ସ୍ଥାନରେ ଦୋକାନବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଆଜିର ଭାରତ ବନ୍ଦକୁ ଦେଶର ୧୮ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ଏହାର ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦକୁ ସବୁ ବର୍ଗର ଲୋକ ସମର୍ଥନ ଦେବା ପାଇଁ ନିବେଦନ କରାଯାଇଥିଲା।

ସିପିଆଇ, ଅଖିଳ ଭାରତ କୃଷକ ସଭା, ଏଆଇଟିୟୁସି ଓ ବିଜେଏମ୍‌ୟୁ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିଲା । ଅଲ୍‌ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌ ଓ ଏହାର ଗଣସଂଗଠନଗୁଡ଼ିକ ମଧ୍ୟ ବନ୍ଦକୁ ସମର୍ଥନରେ ରାସ୍ତାକୁ ଓହ୍ଲାଇ ଥିଲେ। ରାଷ୍ଟ୍ରୀୟ ମଜଦୁର୍‌ କଂଗ୍ରେସ ଓ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ୍‌ ବନ୍ଦକୁ ସମର୍ଥନ ଜଣାଇ ଏଥିରେ ସାମିଲ୍‌ ହୋଇଥିଲେ।


ଆଜିର ଭାରତ ବନ୍ଦକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି | ଯେଉଁ ୩ଟି କଳା ଆଇନ କେନ୍ଦ୍ର ସରକାର ପାରିତ କରିଥିଲେ ଓ ବିଜେଡି ଏହାକୁ ସମର୍ଥନ କରିଥିଲା, ଆଜି ଜନସାଧାରଣ ବନ୍ଦ ପାଳନକୁ ସମର୍ଥନ କରି ତାହାର ଜବାବ ଦେଇଛନ୍ତି | ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ ଜନଧନ ଖାତାଠାରୁ ଆରମ୍ଭ କରି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି ବର୍ଷ ବୃଦ୍ଧି କରାଯାଉଛି | ଫସଲ ବୀମା ଯୋଜନାରେ ବି ବ୍ୟାପକ ଚାଷୀ ଉପକୃତ ହେଉଛନ୍ତି | ସେହିପରି ବିଜେଡି ନେତା ପଦ୍ମନାଭ ବେହେରା କହିଛନ୍ତି ଯେ ଚାଷୀଙ୍କ ସହ ବିଜେଡି ରହିଛି ଓ ଚାଷୀଙ୍କ ଦାବି ପୂରଣ ହେବା ଦରକାର | ସଂସଦରେ ଚାଷୀ ବିଲର କିଛି ଅଂଶକୁ ବିଜେଡି ବିରୋଧ କରିଛି |

ସମ୍ବନ୍ଧିତ ଖବର