ବ୍ରାହ୍ମଣୀ ପାଇଁ ବଳ କଷାକଷି

ଭୁବନେଶ୍ୱର : କେନ୍ଦ୍ର ସରକାର କହୁଛନ୍ତି, ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମତି ନ ମିଳିବା ହିଁ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ବାଟ ଓଗାଳିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓ ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାନ କଥା ଦୋହରାଇଛନ୍ତି। କହିଛନ୍ତି, ଜଙ୍ଗଲ ଜମି ଅନୁମତି ଓ ଜମି ଅଧିଗ୍ରହଣ କାମ ହୋଇଗଲେ, ସାତ ଦିନରେ ପ୍ରକଳ୍ପ କାମ ଆରମ୍ଭ ହେବ। ଗତ ସେପ୍‌ଟେମ୍ବର ମାସରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ଏସଂପର୍କରେ ତାଙ୍କ ସହିତ କଥା ହୋଇଥିବା କଥା ମଧ୍ୟ ଦର୍ଶାଇଛନ୍ତି ଶ୍ରୀ ଗଡ଼କରି।

ଅନ୍ୟପଟେ ଗୃହ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗକୁୁ ଏଡ଼ାଇ ଯାଇଥିଲେ, ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପୁଣି ଏକ ଚିଠି ଲେଖି କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଜମିର କୌଣସି ଆବଶ୍ୟକତା ନାହିଁ। ଏହି ସେତୁ ନିର୍ମାଣ ହେବା ସ୍ଥାନ ଅଣଜଙ୍ଗଲ ଜମି ଅନ୍ତର୍ଭୁକ୍ତ। ରାଜ୍ୟ ଜଙ୍ଗଲ କର୍ତ୍ତୃପକ୍ଷ
ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦେଶକ ଏହା ସ୍ପଷ୍ଟ କରିସାରିଛନ୍ତି। ଆସନ୍ତାକାଲିଠାରୁ ସେତୁ ନିର୍ମାଣ କାମ ଆରମ୍ଭ ହେବାରେ କୌଣସି ବାଧକ ନାହିଁ। ରାଜ୍ୟ ସରକାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ନବୀନ ଚିଠିରେ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହିତ ବ୍ରାହ୍ମଣୀ ସେତୁ ପ୍ରସଙ୍ଗକୁ ନେଇ ବିବାଦ ତେଜିଛି। ଗୋଟିଏ ପଟେ ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଚାଲିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ପତ୍ରଯୁଦ୍ଧ ଆରମ୍ଭ ହୋଇଯାଇଛି। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପତିଆରା, ଦାୟିତ୍ୱ ଓ ରାଜନୈତିକ ଲଢେଇ ଆଗକୁ କିଭଳି ରୂପ ନେବ, କେନ୍ଦ୍ର-ରାଜ୍ୟ ବିବାଦ ଭିତରେ ବ୍ରାହ୍ମଣୀ ସେତୁର ଭାଗ୍ୟ ଲଟକି ଯିବନି ତ? ଏମିତି ଅନେକ ପ୍ରଶ୍ନ ଏବେ ସବୁ ମହଲକୁ ବିବ୍ରତ କରୁଛି। କାହା କଥାକୁ ବିଶ୍ୱାସ କରାଯିବ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାହା ବି ଚର୍ଚ୍ଚାର ବିଷୟ ହେଲାଣି।

ଉଲ୍ଲେଖଯୋଗ୍ୟ, ୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ ପୂର୍ବରୁ ଦୁଇ ଥାକିଆ ରାସ୍ତା ପାଇଁ ହୋଇଥିବା ଯୋଜନାକୁ ସେ ହିଁ ବଦଳାଇଥିଲେ। ଓଡ଼ିଶାର ଭବିଷ୍ୟତକୁ ଦୃଷ୍ଟିରେ ରଖି ୬ଥାକିଆ ରାସ୍ତା ପାଇଁ ପରାମର୍ଶ ଦେଇଥିଲେ। ୩୮୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ମେସର୍ସ ଜିକେସି ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ଏହି କାର୍ଯ୍ୟ ଦିଆଯାଇଛି।

ଗତ ସେପ୍‌ଟେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ହୋଇଥିବା ବୈଠକ ସଂପର୍କରେ ସ୍ମରଣ କରାଇ ଶ୍ରୀ ଗଡ଼କରି ଚିଠିରେ ଲେଖିଛନ୍ତି ଯେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମତି ସଂକ୍ରାନ୍ତରେ ଥିବା ସମସ୍ୟା ସଂପର୍କରେ ସେ ଜଣାଇଥିଲେ। ଏହି କାରଣରୁ ୫୦୦ କିଲୋମିଟର ବିଶିଷ୍ଟ ୫ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଜଣାଇଥିଲେ ରାଜ୍ୟ ସରକାରଙ୍କୁ। ସେତେବେଳେ ଏସବୁ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ ଏହି ସମସ୍ୟା ଦୂରୀଭୂତ ହୋଇନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଚିଠି ଓ ଗଣମାଧ୍ୟମ ରିପୋର୍ଟ ତାଙ୍କୁ ଆଚମ୍ବିତ କରିଛି ବୋଲି ଦର୍ଶାଇ ଶ୍ରୀ ଗଡ଼କରି କହିଛନ୍ତି, ଏସବୁ ପ୍ରକଳ୍ପ ଏଥିପାଇଁ ବିଳମ୍ବ ହୋଇଛି, କାରଣ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ହୋଇନାହିଁ। ଓଡ଼ିଶାରେ ୨୨ ହଜାର ୧୧ କୋଟି ଟଙ୍କା ବ୍ୟୟରେ ୩୧୨୧ କିଲୋମିଟର ରାସ୍ତା ନିର୍ମାଣ ଚାଲିଛି। ଭାରତମାଳା ପ୍ରକଳ୍ପରେ ମଧ୍ୟ ୨୧୫୦ କିଲୋମିଟର ଜାତୀୟ ରାଜପଥ କାର୍ଯ୍ୟ ହାତକୁ ନିଆଯାଇଛି। ୩୦ ହଜାର କୋଟି ବିନିଯୋଗ ହେବ। ଏହା ବ୍ୟତୀତ ୧୮୧୭ କିଲୋମିଟର ରାସ୍ତା ଚିହ୍ନଟ ହୋଇଛି, ଯାହାକୁ ଜାତୀୟ ରାଜପଥ କରିବା ପାଇଁ ବିସ୍ତତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଚାଲିଛି।

ଏଭଳିସ୍ଥଳେ ଜଙ୍ଗଲ ଅନୁମତି କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ଲାଗି ଗଡ଼କରି ଜଣାଇଛନ୍ତି। ସେହିଭଳି ଜମି ଅଧିଗ୍ରହଣ କାର୍ଯ୍ୟ ସାରିବା ଲାଗି ବି ପ୍ରବର୍ତାଇଛନ୍ତି। ଯଦି ରାଜ୍ୟ ସରକାର ଏସବୁର ତୁରନ୍ତ ସମାଧାନ କରନ୍ତି ତେବେ ସାତ ଦିନ ଭିତରେ ପ୍ରକଳ୍ପ କାମ ଆରମ୍ଭ ହେବ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ ଚିଠି ଲେଖି ଏହାର ପ୍ରତିଜବାବ ଦେଇଛନ୍ତି। ଚିଠି ସହିତ ଜଙ୍ଗଲ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚିଠି ବି ସଂଲଗ୍ନ କରାଯାଇଛି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ସୁନ୍ଦରଗଡ଼ର ଏକ ପ୍ରତିନିଧି ଦଳ ଗତ ୪ ତାରିଖ ଦିନ ତାଙ୍କୁ ଭେଟି, ଲୋକେ ଭୋଗୁଥିବା ସମସ୍ୟା, ବ୍ରାହ୍ମଣୀ ସେତୁର ଦୁରାବସ୍ଥା ସଂପର୍କରେ ଜଣାଇଥିଲେ। ସେମାନେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏନେଇ କେନ୍ଦ୍ରକୁ ଜଣାଇ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଯଦି କେନ୍ଦ୍ର ସରକାର ଏହି ସେତୁ ନିର୍ମାଣ ତୁରନ୍ତ କରିବେ ନାହିଁ, ତେବେ ରାଜ୍ୟ ସରକାର ନିଜ ସମ୍ବଳରୁ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟ ଅର୍ଥନୀତିର ଜୀବନରେଖା ଏହି ସେତୁ କେତେ ଜରୁରି ସେ ନେଇ ୨୦୧୪ ଡିସେମ୍ବର ୨ ତାରିଖ ଓ ଗତ ମେ’ ୨୪ ତାରିଖରେ ସେ ଚିଠି ଲେଖି ଜଣାଇଛନ୍ତି।

ଗତକାଲିର ଚିଠି ସଂପର୍କରେ ସୂଚାଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ କହିଛନ୍ତି ଯେ ଜଙ୍ଗଲ ଅନୁମତି ସହିତ ସେତୁ ନିର୍ମାଣର କୌଣସି ସଂପର୍କ ନାହିଁ। ଏହା ଜଙ୍ଗଲ ଜମି ଅନ୍ତର୍ଭୁକ୍ତ ନୁହେଁ। ଏହି ଅବସରରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚିଠି ଦିଆଯାଇଛି, ଯେଉଁଥିରେ ପ୍ରକଳ୍ପ ନିର୍ଦେଶକ ପି ମଧୁ ଆଜି ହିଁ ବଣାଇ ଡିଏଫ୍‌ଓଙ୍କୁ ଜଣାଇଛନ୍ତି ଯେ ବେଦବ୍ୟାସ ନିକଟରେ ପ୍ରସ୍ତାବିତ ବ୍ରାହ୍ମଣୀ ସେତୁ ଯେଉଁ ଜମି ଉପରେ କରାଯିବ, ତାହା ଜଙ୍ଗଲ ଜମି ଅନ୍ତର୍ଭୁକ୍ତ ନୁହେଁ। ସେହିଭଳି ରାଉରକେଲା ଡିଏଫ୍‌ଓ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ବ୍ରାହ୍ମଣୀ ସେତୁ, ଯାହା ପାନପୋଷ ନିକଟରେ କରାଯିବ, ତାହା ସରକାରୀ ରେକର୍ଡ ଅନୁସାରେ ଜଙ୍ଗଲ ଜମି ଅଞ୍ଚଳ ଅନ୍ତର୍ଭୁକ୍ତ ନୁହେଁ।

୯୦% ଜମି ଦରକାର: ଏନ୍‌ଏଚ୍‌ଏଆଇ

ଭୁବନେଶ୍ୱର : ରାଉରକେଲା ବ୍ରାହ୍ମଣୀସେତୁ ପ୍ରକଳ୍ପ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା ଚାଲିଥିବା ବେଳେ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସିଜିଏମ୍‌ (ଟେକ୍ନିକାଲ୍‌) ଧର୍ମେନ୍ଦ୍ର ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ଏହି ପ୍ରକଳ୍ପଟି ବୀରମିତ୍ରପୁରରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ରହିଛି। ସମୁଦାୟ ପ୍ରକଳ୍ପର ଲମ୍ବା ୨୯.୧ କିଲୋମିଟର। ଏହା ମଧ୍ୟରେ ଫ୍ଲାଇଓଭର ଆଦି ରହିଛି। ସେତୁଟି ଏହାର ଏକ ଅଂଶ ବିଶେଷ। ଏହି ପ୍ରକଳ୍ପ ଲାଗି ଯେଉଁ ଠିକାଦାରଙ୍କୁ ନିୟୋଜିତ କରାଯାଇଛି, ତାଙ୍କୁ କାର୍ଯ୍ୟାଦେଶ ଦେବାକୁ ହେଲେ ୯୦ ପ୍ରତିଶତ ଜମି ହସ୍ତାନ୍ତର କରିବା ଦରକାର। ଏହା ହିଁ ନିୟମ। ଆଜି ଦିନରେ ୨୯.୧ କିଲୋମିଟର ମଧ୍ୟରୁ ମାତ୍ର ୧୬.୪୮ କିଲୋମିଟର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଛି। ବଳକା ୧୨.୬୨ କିଲୋମିଟର ଜମି ଆମ ପାଖେ ନାହିଁ। ଏ ମଧ୍ୟରେ ପୁଣି ୪.୮୫ କିଲୋମିଟର ଜଙ୍ଗଲ ଜମି ଅଛି। ଯେପର୍ଯ୍ୟନ୍ତ ଏହି ଜମିର ଷ୍ଟେଜ୍‌-୧ କ୍ଲିୟରାନ୍‌ସ ନ ମିଳିନାହିଁ, ସେ ଯାଏ କାମ ଆରମ୍ଭ ହୋଇପାରିବ ନାହିଁଁ। ଏମିତିରେ ବି ସଂଯୋଗ ରାସ୍ତା ନିର୍ମାଣ ନ ହେଲେ ସେତୁ ନିର୍ମାଣର କୌଣସି ଅର୍ଥ ନାହିଁ ବା ଏହା କାମରେ ବି ଲାଗିବ ନାହିଁ।

ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି, ଜଙ୍ଗଲ ଜମି କିସମ ପରିବର୍ତନ ନେଇ ୨୦୧୩ରେ ଆବେଦନ କରାଯାଇଥିଲା। ପରେ ନକ୍ସା ପରିବର୍ତନ ସହିତ ୨୦୧୬ ଜାନୁଆରି ୧ ରୁ ରାଜ୍ୟ ସରକାରଙ୍କ ପାଖେ ସାନି ଆବେଦନ ହୋଇଛି ଓ ସେବେଠାରୁ ଏହା ପଡ଼ିରହିଛି। ବିଭିନ୍ନ ସମୟରେ ଏହା ଉପରେ ଆପତ୍ତି ଉଠାଯାଇଛି ଓ ଉତ୍ତର ବି ଦିଆଯାଉଛି। ଅର୍ଥାତ୍‌ ସମୁଦାୟ ପ୍ରସଙ୍ଗଟି ଏବେ ରାଜ୍ୟ ସରକାରଙ୍କ ପାଖେ ଅଟକି ରହିଛି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଷ୍ଟେଜ୍‌ ୧ ଅନୁମତି ଦେଇନାହାନ୍ତି, ସେ ଯାଏ ପ୍ରକଳ୍ପ କାମ ଆରମ୍ଭ ହୋଇପାରିବ ନାହିଁ।

ସରକାର-ବିଜେପି ମୁହାଁମୁହିଁ

ବିଧାନସଭା ତିନି ଥର ମୁଲତବୀ

ଭୁବନେଶ୍ୱର : ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି? ଏଭଳି ଏକ ପ୍ରଶ୍ନକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିବା ବେଳେ ଆଜି ବିଧାନସଭାରେ ସରକାରୀ ଦଳ-ବିଜେପି ମୁହାଁମୁହିଁ ହୋଇଥିଲେ। କେବଳ ସେତିକି ନୁହେଁ, ଦୋଷ ଲଦାଲଦି ହୋଇଥିଲେ ଗୃହରେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ ଲାଗି ଦାବି ରଖିଥିଲେ ଓ ସତ କିଏ କହୁଛି, ତାହାର ତଦନ୍ତ ହେବା ଦରକାର ବୋଲି କହିଥିଲେ। ଏହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ତିନି ତିନି ଥର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ହେଲେ ସନ୍ଧ୍ୟାରେ ଏହି ଘଟଣାରେ ନିଜ ରୁଲିଂ ଦେଇ ବାଚସ୍ପତି ବିରୋଧୀ ଦଳର ଦାବିକୁ ଏଡ଼ାଇ ଯାଇଛନ୍ତି। ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ ମୋର ହୃଦ୍‌ବୋଧ ହୋଇଛି, ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନର କୌଣସି ଆବଶ୍ୟକତା ନାହିଁ।

ଆଜି ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବିବୃତି ରଖି କହିଥିଲେ ଯେ ଗତକାଲି ବ୍ରାହ୍ମଣୀ ସେତୁ ପ୍ରସଙ୍ଗ ଉଠାଇ ବିଜେପି ବିଧାୟକମାନେ ଗୃହ ଚଳାଇ ଦେଲେ ନାହିଁ। ଗତକାଲି ମଧ୍ୟ ଗୃହରେ ଆଲୋଚନା ହୋଇଥିଲା। ଶ୍ରୀ ଆରୁଖ କହିଥିଲେ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୨୦୧୭ ମସିହା ଜୁଲାଇ ୨୧ ତାରିଖ ଦିନ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିବା ବେଳେ କହିଥିଲେ, ୧୫ ଦିନ ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହେବ। ମାତ୍ର ଏଯାଏ ଆରମ୍ଭହୋଇନାହିଁ। ଯେହେକୁ ପ୍ରଥମ ସେତୁଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି, ଏଣୁ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି।

ଜନସାଧାରଣଙ୍କ ଅସନ୍ତୋଷ ଓ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆଣିଥିଲେ। ସେତୁ ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଲାଗି କହିଥିଲେ। ପ୍ରସ୍ତାବ ରଖିଥିଲେ ଯେ କେନ୍ଦ୍ର ସରକାର ଯଦି ସେତୁ ନିର୍ମାଣ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଜ୍ୟ ସରକାରଙ୍କୁ ସେତୁ ନିର୍ମାଣ ପାଇଁ ଅନୁମତି ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ଦାବିର ଉତ୍ତର ଦେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରି କହିଛନ୍ତି ଯେ ଜଙ୍ଗଲ ଅନୁମତି ମିଳିନଥିବା ଯୋଗୁଁ କାମ ଅଟକିଛି।

ମାତ୍ର ସେ ଗୃହକୁ ଅବଗତ କରିବାକୁ ଚାହାନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କୌଣସି ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ। ଏ ସଂକ୍ରାନ୍ତରେ କୌଣସି ଅନୁମୋଦନ ସରକାରଙ୍କ ପାଖେ ପଡିନାହିଁ। କୌଣସି ଆଳ ନ ଦର୍ଶାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଆରମ୍ଭ କରନ୍ତୁ। ରାଜ୍ୟ ସରକାର ସମସ୍ତ ପ୍ରକାର ଅନୁମତି ଓ ତଦ୍‌ଜନିତ କୌଣସି ସର୍ତ୍ତ ପାଇଁ ଗ୍ୟାରେଣ୍ଟି ଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ପାଇଁ କୌଣସି ସଂକୀର୍ଣ୍ଣ ରାଜନୀତି ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଆରୁଖ କହିିଥିଲେ।

ଏହାର ପ୍ରତିବାଦ କରି ବିଜେପି ବିଧାୟକ ଦଳ କନକ ବର୍ଧନ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରିଙ୍କ ଚିଠି ପଢିଥିଲେ। କହିଥିଲେ, ରାଜ୍ୟ ସରକାର ଏହି ପ୍ରକଳ୍ପକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ। ଶୀଘ୍ର ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି କାର୍ଯ୍ୟ ସାରନ୍ତୁ। କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି, ଯଦି ସରକାର ଏସବୁ ତୁରନ୍ତ କରିଦେବେ, ତେବେ ସାତ ଦିନ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ, ଅନ୍ୟଥା ପରିଣତି ଭୋଗିବ ବୋଲି ଶ୍ରୀ ସିଂହଦେଓ ସରକାରୀ ଦଳକୁ ଚେତାବନୀ ଦେଇଥିଲେ।

ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଥିଲେ, ତାଙ୍କ ପାଖରେ ଯାହା ତଥ୍ୟ ରହିଛି, ୪୭୩ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ କୌଣସି ଜଙ୍ଗଲ ଜମିର ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ, ୧୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବି କିଛି ଅସୁବିଧା ନାହିଁ। ସମୁଦାୟ ରାସ୍ତା ଉପରେ ଜଙ୍ଗଲ ଅନୁମତି ଅଛି ବୋଲି କହି କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଛି। ରାଉରକେଲାରେ ଜଙ୍ଗଲ ଅନୁମତି କିଛି ଦରକାର ନାହିଁ। ଦେବଗଡରେ କିଛି ଅନୁମତି ଦରକାର। କିନ୍ତୁ ତା ଆଳରେ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇଯିବା ବୋଲି କହିବା ଠିକ୍‌ ହେଉନାହିଁ। ଗୃହକୁ ବିଭ୍ରାନ୍ତ କରାଯାଉଛି।

ଶ୍ରୀ ଦାସବର୍ମା ଆଜି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଥା ଉଠାଇଥିଲେ। ଅଭିଯୋଗ ଆଣିଥିଲେ ଯେ ନବକଳେବରକୁ ଦୃଷ୍ଟିରେ ରଖି ଏହି ରାଜପଥର ବିକାଶ କଥା କୁହାଯାଇଥିଲା। ନବକଳେବର ଯାଇ, ଏମଧ୍ୟରେଦୁଇଟି ରଥଯାତ୍ରା ଗଲାଣି। ଏ ରାସ୍ତା କାମ ସରିପାରୁନାହିଁ। ତୁରନ୍ତ ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ଲେଖାଯାଉ ବୋଲି ସେ ଦାବି ଜଣାଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକ ବୈଧାନିକ ପ୍ରଶ୍ନ ଉତ୍‌ଥାପନ କରି କହିଥିଲେ, ବିଜେପି ଗୋଟିଏ ଅଭିଯୋଗ କରୁଛି ଓ ବିଜେଡି ଅନ୍ୟ ଗୋଟିଏ। ଦୁଇଟି କଥା ତ ଠିକ୍‌ ହୋଇପାରିବନି। ଏମାନଙ୍କ ମଧ୍ୟରୁ ଜଣେ କିଏ ଅସତ୍ୟ କହୁଛି। ଗୃହକୁ କେହି ନିଜ ମର୍ଜିରେ ବ୍ୟବହାର କରିପାରିବେ ନାହିଁ। ଏହା ସ୍ୱାଧିକାରକୁ ଉଲ୍ଲଂଘନ କରୁଛି। ତୁରନ୍ତ ବାଚସ୍ପତି ଏକ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ କରନ୍ତୁ ଓ ଏହି କମିଟି ରାଉରକେଲା ଯାଇ ସରଜମିନ୍‌ ସ୍ଥିତି ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେଉ। ଦେଖାଯାଉ, କିଏ ସତ କହୁଛନ୍ତି?

ବିରୋଧୀ ଦଳ ନେତାଙ୍କ ଏହି ପ୍ରସ୍ତାବ ପରେ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ ଦାବିରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହା ଭିତରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମହାନଦୀ ସଂପର୍କରେ ମୋସନ ଆଗତ କରିବାକୁ ଚାହିଁଥିଲେ ହେଁ ଏହା ସମ୍ଭବ ହୋଇନଥିଲା। ଥରେ କି ଦୁଇଥର ନୁହେଁ, ଲଗାତର ତିନି ତିନି ଥର ଗୃହକୁ ମୁଲତବୀ କରିବାକୁ ପଡିଥିଲା। ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ଏହା ଉପରେ ରୁଲିଂ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗୃହ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର