ଅନୁଗୁଳ: ସବୁବେଳେ କଡ଼ା ମୁକାବିଲା ଦେଖୁଥିବା ଛେଣ୍ଡିପଦା ବିଧାନସଭା ଆସନ ପୁଣି ଏକ ଜମାଣିଆ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ବି‌ଜେଡି ବିଧାୟକ ସୁଶାନ୍ତ ବେହେରା ଏଠାରେ ହାଟ୍ରିକ୍‌ ଅପେକ୍ଷାରେ ରହିଥିଲାବେଳେ ପ୍ରଥମ ବିଜୟ ଅପେକ୍ଷାରେ ଅଛନ୍ତି ଅଗସ୍ତି। ଉଭୟ ନେତାଙ୍କ ମଧ୍ୟରେ ଏହି ତୃତୀୟ ମୁକାବିଲାରେ କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ଆସନରେ ବିଜେଡି ଓ ବିଜେପି ପୁରୁଣା ପ୍ରାର୍ଥୀଙ୍କୁ ପୁଣି ଭରସା କରିଛନ୍ତି। ଏହି ଦୁଇ ନେତା ପରସ୍ପର ବିରୋଧରେ ୨୦୧୪ରୁ ଲଢ଼ି ଆସୁଥିବାରୁ ପରସ୍ପରର ଶକ୍ତି ଓ ଦୁର୍ବଳତା ଜାଣିଛନ୍ତି। କିନ୍ତୁ ଏଥର ସ୍ଥିତି ଭିନ୍ନ ଥିବାରୁ ଲଢ଼େଇରେ ବାହ୍ୟ ପ୍ରଭାବ ନିର୍ଣ୍ଣାୟକ ହୋଇପାରେ। ସମ୍ବଲପୁର ‌ଲୋକସଭା ଆସନ ଅଧୀନ‌ରେ ଥିବା ଏହି ବିଧାନସଭା କ୍ଷେତ୍ରରେ ଦୁଇ ସାଂସଦ ପ୍ରାର୍ଥୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବିଜେଡିର ପ୍ରଣବ ପ୍ରକାଶ ଦାସ ଓ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଏଠାରେ ପ୍ରାର୍ଥୀ ହୋଇଥିବାରୁ ଏହା ବିଧାନସଭା ଫଳାଫଳକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି।

Advertisment

ନବୀନଙ୍କ ଲୋକପ୍ରିୟତା ଓ ଦଳୀୟ ସଂଗଠନ ହେଉଛି ବିଜେଡିର ଭରସା। ଏକାଧିକ ନେତା ଏଠାରେ ଡେରା ପକାଇ ଘନ ଘନ ବୈଠକ ଚଳାଇଛନ୍ତି। ତେବେ ଦଳ ପାଇଁ ଅସନ୍ତୁ‌ଷ୍ଟ ନେତାମାନେ ଅଡ଼ୁଆ ସ‌ାଜିବାର ଆଶଙ୍କା ରହିଛି। ଗୋଷ୍ଠୀ କନ୍ଦଳ ବଢ଼ିଥିବାରୁ ଦଳ ଏହାକୁ ମ୍ୟାନେଜ୍‌ କରିବା ପାଇଁ ଶୀର୍ଷ ନେତୃତ୍ବ ଲାଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଗତିରୋଧ ପାଇଁ ପାଗ ଭିଡ଼ିଛନ୍ତି ଅଗସ୍ତି। ସେ ନିଜର ଭୋଟ ବଢ଼ାଇବା ସହ ମୋଦୀ ହାୱାରେ ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ଆଶା ରଖିଛନ୍ତି। ୨୦୧୯ ନିର୍ବାଚନରେ ମାତ୍ର ସାଢ଼େ ୬ ହଜାର ଭୋଟରେ ସେ ହାରିଥିଲାବେଳେ ଏ ଭିତରେ ଧର୍ମେନ୍ଦ୍ରଙ୍କ ଘନ ଘନ ଗସ୍ତ ପାଇଁ ବିଜେପିର ଶକ୍ତି ବୃଦ୍ଧି ହୋଇଛି। ବିଜେପି ବୁଥ୍‌ ସ୍ତରରୁ ପ୍ରସ୍ତୁତି ଚଳାଇଥିବାରୁ ଏହା ଦଳକୁ ଫାଇଦା ହେବ ବୋଲି ଆଶା ରଖିଛି। ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଛେଣ୍ଡିପଦାରେ ବିଜେପି ବିଜୟୀ ହୋଇଥିବାରୁ ନେତା ଓ କର୍ମୀଙ୍କ ମନୋବଳ ଉଚ୍ଚା ରହିଛି। ତେବେ ଦଳରେ ମଧ୍ୟ ଆଭ୍ୟନ୍ତରୀଣ ବିବାଦ ଦଳ ପାଇଁ ଅଡ଼ୁଆ ବଢ଼ାଇଲାଣି।

ଅନ୍ୟପକ୍ଷରେ ବିଜେଡି ଓ ବିଜେପି ମୁକାବିଲା ଭିତରେ କଂଗ୍ରେସ ଏଥର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରେ। ୨୦୧୯ରେ ଏଠାରୁ ସସ୍ମିତା ବେହେରା ନିର୍ବାଚନ ଲଢ଼ି ୧୬,୫୮୮ ଖଣ୍ଡ ଭୋଟ ନେଇଥିଲେ। ଏଥର ସେ ପ୍ରାର୍ଥୀ ହୋଇ ନାହାନ୍ତି। ବରଂ ଦଳ ନରୋତ୍ତମ ନାଏକଙ୍କୁ ପ୍ରାର୍ଥୀ କରିଛି। ହେଲେ ଆରମ୍ଭରୁ ତାଙ୍କୁ ଦଳ ଭିତରେ ବିରୋଧ ଆରମ୍ଭ ହୋଇଛି। ଏଥିପାଇଁ ନିଜ ଭୋଟ ସୁରକ୍ଷିତ ରଖିବା କଂଗ୍ରେସ ପାଇଁ ସହଜ ହେବନି। ଏଣୁ କଂଗ୍ରେସ ଭୋଟକୁ ନିଜ ଆଡ଼କୁ ଟାଣିବା ପାଇଁ ଉଭୟ ବିଜେଡି ଓ ବିଜେପି ଯୋଜନା ଆରମ୍ଭ କରିଛନ୍ତି।