ଭୁବନେଶ୍ୱର: ୨୦୧୯ ପର ଠାରୁ ବିଜେଡି-ବିଜେପିର ନିବିଡ଼ତା ନେଇ ସବୁଠି ଚର୍ଚ୍ଚା ଚାଲିଥିଲା। ସମ୍ଭବତଃ ଉଭୟ ଉଭୟଙ୍କ ଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ଲକ୍ଷ୍ୟ ୨୦୨୪ ନିର୍ବାଚନ। କେହି କାହାରିକୁ ଆଉ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି, ତା'ର ସଙ୍କେତ ଆଜି ରାଜଧାନୀରୁ ମିଳିଛି। ’୨୪ ଲଢ଼େଇର ମୂଳଦୁଆ ପଡ଼ିଛି। ଦୁଇ ଦଳ ଗୁରୁବାର ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ପରାକ୍ରମ ଦେଖାଇଛନ୍ତି।

Advertisment

ବିଜେପି ଆକ୍ରମଣାତ୍ମକ ଭୂମିକାକୁ ଓହ୍ଲାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ଯେମିତି ରାଷ୍ଟ୍ରୀୟ ନେତାମାନେ ରଣହୁଙ୍କାର ଦେଉଥିଲେ ଠିକ୍ ସେମିତି। ବିଜେଡିକୁ ଗାଦିଚ୍ୟୁତ କରି ଓଡ଼ିଶାରେ ପଦ୍ମ ଫୁଟାଇବେ ବୋଲି ଜୋର୍‌ ଦେଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି; ରାଜ୍ୟ ବିଜେପିର ସବୁ ବଡ଼ ନେତା ମଧ୍ୟ ମନଖୋଲି ସରକାରଙ୍କୁ ଗାଳି ଦେଇଛନ୍ତି।

publive-image

କିନ୍ତୁ ବିଜେଡିର ରଣକୌଶଳ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ପଦଯାତ୍ରା ପାଇଁ ପ୍ରସ୍ତୁତି କର୍ମଶାଳାରେ ଦଳର ସବୁ ଆଗଧାଡ଼ିର ନେତା ଉପସ୍ଥିତ ଥିଲେ। ବିଜେଡି ନେତାମାନେ କେନ୍ଦ୍ର ବିରୋଧରେ ଖୋଲା ରଣହୁଙ୍କାର ଦେଇ ନଥିଲେ, ବରଂ ଚୁମ୍ବକରେ କେନ୍ଦ୍ରୀୟ ଅବହେଳା ଉଠାଇଥିଲେ ଏବଂ ଦଳର ସଂଗଠନକୁ ମଜବୁତ୍ କରିବା ତଥା ସୁଶାସନର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ବିଜେଡିର ସବୁଠୁ ବଡ଼ ପୁଞ୍ଜି, ତାକୁ ଧରି ଦଳ ଆଗକୁ ଚାଲିବ।

ଶୁ୍କ୍ରବାର ମଧ୍ୟ ପୁଣି ଦୁଇ ଦଳର ମାନସ ମନ୍ଥନ ଚାଲିବ। ଓଡ଼ିଶାରୁ ଯିବା ପୂର୍ବରୁ ଦଳର ସଂଗଠନ, ଭବିଷ୍ୟତ ଯୋଜନା ଓ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ିବାର କୌଶଳ ନେଇ ଶ୍ରୀ ନଡ୍ଡା ଆଉ କିଛି ବାର୍ତ୍ତା ଦେବେ। ବିଜେପିର ମୁକାବିଲା କରିବାକୁ ବିଜେଡି ମଧ୍ୟ ଠୋସ୍ କାର୍ଯ୍ୟପନ୍ଥା ଘୋଷଣା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।