ରାଜ୍ୟ ବିଜେପି କାହା ରାସ୍ତାରେ ଯିବ- ଧର୍ମେନ୍ଦ୍ର ନା ବିଜୟ?
ଭୁବନେଶ୍ୱର (ରଣଜିତ୍ ଗୁରୁ): ଫେବ୍ରୁଆରି, ୨୦୧୭ ପଞ୍ଚାୟତ ନିର୍ବାଚନରେ ଆକଳନ ଠାରୁ ଉନ୍ନତ ପ୍ରଦର୍ଶନ ରାଜ୍ୟରେ ବିଜେପି ପାଇଁ ଏକ ଆଶାର ବାତାବରଣ ସୃଷ୍ଟି କରିଥିଲା। ଏହାର ଆଧାରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମହୋଦୟ ରାଜ୍ୟ ବିଜେପି ସକାଶେ ଊଣେଇଶ ପାଇଁ ‘ମିସନ-୧୨୦’ ରୂପକ ଆକାଶଛୁଆଁ ସ୍ୱପ୍ନର ମିନାର ମଧ୍ୟ ଛିଡ଼ା କରିଦେଲେ। ଏବେ ଦଶମାସ ପରେ ସେହି ନଭଶ୍ଚୁମ୍ବୀ ସ୍ୱପ୍ନର ମିନାର ମହାନଦୀ ପାଣିରେ ଧୋଇ ହୋଇଯିବା ଆଶଙ୍କା ଦେଖାଦେଇଛି। ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରିଥିବା ଏବଂ ନିର୍ମାଣାଧୀନ ଛୋଟ-ବଡ଼ ବନ୍ଧ ଯୋଗୁ ମହାନଦୀରେ ଓଡ଼ିଶାକୁ ପାଣିର ପ୍ରବାହ ଯେତିକି କମୁଛି, ବିଜେପିର ଆଶା ମଧ୍ୟ ସଂପୂର୍ଣ୍ଣ ଧୋଇଯିବାର ଆଶଙ୍କା ସେତିକି ଅଧିକ ଘନୀଭୂତ ହେଉଛି। ଅବଶ୍ୟ ଭାଗ୍ୟ ବିପରୀତମୁହାଁ ହେବା ପାଇଁ ରାଜ୍ୟ ବିଜେପି ନିଜ ଛଡ଼ା ଅନ୍ୟ କାହାରିକୁ ଦାୟୀ କରିପାରିବ ନାହିଁ। ହିନ୍ଦୁତ୍ୱ ଦଳର ରାଜ୍ୟ ନେତାଏ ନିଜ ପାଇଁ ଏ ଦୁର୍ଭାଗ୍ୟକୁ ନିଜେ ଆମନ୍ତ୍ରଣ କରି ନେଇ ଆସିଛନ୍ତି।
ପଞ୍ଚାୟତ ନିର୍ବାଚନ ପରେ କେବଳ ମାତ୍ର କ୍ଷମତାର ଗନ୍ଧରେ ଅହେତୁକ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ରାଜ୍ୟରେ ବିଜେପି ସପକ୍ଷ ସଦିଚ୍ଛାରେ ଧୀରେ ଧୀରେ ଭଟ୍ଟା ପଡ଼ିବାର ଲକ୍ଷ୍ୟ କରାଯାଉଥିଲା। ଏକପ୍ରକାର ମୃଦୁ ପ୍ରତିକୂଳତା ଓ ନକରାତ୍ମକ ଜନମତ ଦାନା ବାନ୍ଧୁଥିଲା। ଏବେ ମହାନଦୀ ଟ୍ରିବୁ୍ୟୁନାଲ୍ ପ୍ରସଙ୍ଗରେ କେନ୍ଦ୍ରର ଅନ୍ଧ ଓକିଲାତି ବିଜେପି ବିପକ୍ଷ ବାତାବରଣ କ୍ରମଶଃ ଭୀଷଣ ରୂପ ନେଉଥିବାର ଲକ୍ଷଣ ଜଳଜଳ। ଗତ ୨୦୧୬ ଅଗଷ୍ଟ ମାସରେ ବିରୋଧୀଦଳ ନେତା ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କ୍ଷମତାସୀନ ବିଜେଡି ଯୋଗ ଦେଇନଥିଲା। ସର୍ବଦଳୀୟ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର କୌଣସି ଗୁରୁତ୍ୱ ଦେଇନଥିଲେ। ଫଳରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଜଡ଼ିତ ଏକ ପ୍ରସଙ୍ଗକୁ ମୁୁଖ୍ୟମନ୍ତ୍ରୀ ରାଜନୈତିକ ସକାଶେ ଏକଚାଟିଆ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଫଳରେ ମୁଖ୍ୟମନ୍ତ୍ରୀଙ୍କ ମନୋଭାବ ନେଇ କେବଳ ସଂଦେହ ପ୍ରକାଶ ପାଇନଥିଲା, ତାଙ୍କ ବିରୋଧରେ ଜନମତ ମଧ୍ୟ ଅନୁକୂଳ ନଥିଲା। ଏହା ମୁୁଖ୍ୟମନ୍ତ୍ରୀ ଓ ଶାସକଦଳକୁ ଏକ ପ୍ରକାର ଅଶ୍ୱସ୍ତିକର ପରିସ୍ଥିତିରେ ପକାଇଥିଲା। କିନ୍ତୁୁ ଏବେ ବିଜେପି ନେତୃବୃନ୍ଦ କେନ୍ଦ୍ର ସପକ୍ଷରେ ଅନ୍ଧ ଓକିଲାତି କରି ସେହି ଅଭିଯୋଗ ଅଶ୍ୱସ୍ତିକର ପରିସ୍ଥିତିରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ମୁକୁଳିଯିବା ଲାଗି ସୁଯୋଗ ଦେଇଛନ୍ତି। ବିଜେପିର ଆଭିମୁଖ୍ୟ ବିଜେଡିକୁ ସୁହାଉଛି।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ନେତୃତ୍ୱ ସ୍ୱୀକାର କରି ନପାରନ୍ତି, ଦଳ ବିପକ୍ଷରେ ବାତାବରଣରେ ପ୍ରତିକୂଳତା ଏବଂ ନକାରାତ୍ମକ ଜନମତ ଅଧିକ ଘନୀଭୂତ ହେଉଛି। ଏକ ଜାତୀୟ ଦଳ ଭାବେ ରାଜ୍ୟ ଶାଖା ବିଜେପିର ନିଶ୍ଚିତ ଭାବେ କିଛି ବାଧ୍ୟବାଧକତା ରହିଛି। ଏହା ମଧ୍ୟ ଅନସ୍ୱୀକାର୍ଯ୍ୟ ଯେ, ଯଦି ଆଜି ଓଡ଼ିଶାରେ ହିନ୍ଦୁତ୍ୱ ଦଳ ଗୋଟିଏ ପ୍ରମୁଖ ରାଜନୈତିକ ଶକ୍ତି ଭାବେ ନିଜର ଆସ୍ଥାନ ଜମାଇ ପାରିଛି, ତା’ରି ପଛରେ ଦଳର ରାଜ୍ୟ ନେତୃତ୍ୱ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱର ଅବଦାନ ଅଧିକ। ଦିଲ୍ଲୀରେ ମୋଦୀ ସରକାର କ୍ଷମତାରେ ନଥିଲେ, ଓଡ଼ିଶା ମାଟିରେ ଆଜି ବିଜେପି ତଥାପି ନିଜର ଅସ୍ତିତ୍ୱ ଖୋଜୁଥାନ୍ତା। ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଭାଷାରେ ପଦ୍ମ ପତାକାର ଖୁଣ୍ଟ ଯୋଡ଼ିବା ଲାଗି ସ୍ଥାନଟିଏର ତଲାସରେ ଥା’ନ୍ତା। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱର ସେ ଅବଦାନର କୃତଜ୍ଞତା ଯେ ଏବେ ମହଙ୍ଗା ପଡ଼ିବ, ଏହା ରାଜ୍ୟ ବିଜେପି ନେତା ଓ କର୍ମୀ କେବେ କଳ୍ପନା ସୁଦ୍ଧା କରି ନଥିବେ। ରାଜ୍ୟ ବିଜେପିକୁ କଡ଼ା ମୂଲ୍ୟ ଦେବାକୁ ପଡ଼ିବ, ଏଥିପାଇଁ ଯେ, ଗୋଟିଏ ଜାତୀୟ ଦଳ ଭାବେ ‘ହାଇକମାଣ୍ଡ’ ସଂସ୍କୃତିର ବାଧ୍ୟବାଧକତା ଓ ମାଟିର ସ୍ୱାର୍ଥ ତଥା ରାଜ୍ୟର ସାଧାରଣ ମଣିଷଙ୍କ ଭାବନା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗରେ ଭାରସାମ୍ୟ ରକ୍ଷା କଳାରେ ରାଜ୍ୟ ବିଜେପି ନେତୃବୃନ୍ଦ ସକ୍ଷମ ହୋଇ ପାରିନାହାନ୍ତି। ଏକତରଫା ଭାବେ କେନ୍ଦ୍ର ଆଡ଼କୁ ଢଳି ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରିନେଇ ନିଜ ବିରୋଧରେ ଅଭିଯୋଗ ପାଇଁ ସୁଯୋଗ ଦେଇଛନ୍ତି।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେଡି ସରକାରକୁ କାଠଗଡ଼ାରେ ଠିଆ କରି କେନ୍ଦ୍ରର ଅନ୍ଧ ଓକିଲାତି କରିବା ବ୍ୟଗ୍ରତା ମଧ୍ୟରେ ରାଜ୍ୟ ବିଜେପି ନିଜେ କାଠଗଡ଼ାରେ ଠିଆ ହୋଇଯାଇଛି। ଦଳର କର୍ମକର୍ତ୍ତାମାନେ ଏକଥା ଭୁଲି ଯାଇଛନ୍ତି ଯେ ଏହା ଦଳକୁ ଓଡ଼ିଶା ସ୍ୱାର୍ଥ ବିରୋଧୀ ଭାବେ ଲୋକଙ୍କ ମନରେ ଧାରଣା ସୃଷ୍ଟି କରୁଛି। ଛତିଶଗଡ଼ ଶହେ ବନ୍ଧ ବାନ୍ଧିଲେ ବି ଓଡ଼ିଶାକୁ ପାଣିର ପ୍ରବାହ ପ୍ରଭାବିତ ହେବ ନାହିଁ ବୋଲି ଦଶବର୍ଷ ତଳେ ବିଜେଡି ସରକାର ବିଧାନସଭାରେ ରଖିଥିବା ଏକ ତଥ୍ୟକୁ ବିଜେପି ନେତାଏ ଘୋଷି ହେଉଛନ୍ତି; ଅଥଚ ମାତ୍ର ଚାରିମାସ ତଳେ ସଂସଦରେ ତତ୍କାଳୀନ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ୍ ମହାନଦୀ ଜଳ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ହେବ ବୋଲି କରିଥିବା ଘୋଷଣାକୁ ଭୁଲି ଯାଇଛନ୍ତି। କେବଳ ସେତିକି ନୁହେଁ, ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି ଡିସେମ୍ବର ୪ରେ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲର ମାତ୍ର ଦୁଇମାସ ପୂର୍ବରୁ ଅକ୍ଟୋବରରେ ଆଉ ଏକ ସତ୍ୟପାଠରେ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ର ପକ୍ଷରୁ ଉଚ୍ଚତମ ନ୍ୟାୟାଳୟଙ୍କୁ ଅବଗତ କରାଯାଇଥିବା ବିଷୟ ମଧ୍ୟ ରାଜ୍ୟ ବିଜେପି ମନେପକାଇବାକୁ ଚାହୁଁନାହିଁ।
ରାଜ୍ୟ ବିଜେପିର ଏ ସୁବିଧାବାଦୀ କୌଶଳ ବିଜେଡିକୁ କୋଣଠେସା କରି କେନ୍ଦ୍ର ସରକାରଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ହୋଇ ଥାଇପାରେ। କିନ୍ତୁ ଖୋଦ୍ ନିଜ ପାଇଁ ଏହା ଆତ୍ମଘାତୀ। ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ। ଯେଉଁ ରାଜ୍ୟର ବୃହତ୍ତର ସ୍ୱାର୍ଥର ରାଣ ଖାଇ ରାଜ୍ୟବାସୀଙ୍କ ସମର୍ଥନ, କ୍ଷମତାର ସ୍ୱପ୍ନ ଦେଖୁଛ, ସେହି ରାଜ୍ୟର ସ୍ୱାର୍ଥ ଓ ଲୋକଙ୍କ ଭାବନା ସହ ଖେଳରୁୁ କଦାପି ରାଜନୈତିକ ଅମଳ ହେବ ନାହିଁ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ସଦ୍ୟତମ ପଦକ୍ଷେପ ପଛରେ ରାଜନୈତିକ ଦୃଷ୍ଟିରୁ ଦୁଇଟି ଉଦ୍ଦେଶ୍ୟ ଥାଇପାରେ। ପ୍ରଥମ ଆଉ ଆଠ ମାସ ପରେ ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ଼ ନିର୍ବାଚନରେ ସରକାରରେ ଥିବା ନିଜ ଦଳର ସ୍ୱାର୍ଥର ସୁରକ୍ଷା। ଅନ୍ୟପକ୍ଷରେ ଦ୍ୱିତୀୟ, ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ମହାନଦୀ ପ୍ରସଙ୍ଗରେ ଯେଭଳି କୌଣସି ରାଜନୈତିକ ଫାଇଦା ନମିଳେ, ତାହା ନିଶ୍ଚିତ କରିବା। ପ୍ରଥମ ଉଦ୍ଦେଶ୍ୟ ତ ନିଶ୍ଚୟ ସାଧିତ ହେବ। କିନ୍ତୁ ଦ୍ୱିତୀୟ ଉଦ୍ଦେଶ୍ୟ କେତେ ଦୂର ସାଧିତ ହେବ, ସେ ନେଇ ଘୋର ସନ୍ଦେହ ରହିଛି। ଅଥଚ ଅନ୍ୟପକ୍ଷରେ ଏହା ନିଜ ଦଳ ପାଇଁ ଓଡ଼ିଶାରେ ବୁମେରାଂ ହେବା ଆଶଙ୍କା ଅଧିକ।
ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ କେନ୍ଦ୍ରର ଅନ୍ଧ ଓକିଲାତିର କ୍ରମରେ ସଦ୍ୟତମ ନଜିର ରଖିଛନ୍ତି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମୋଦୀ ସରକାର ସପକ୍ଷରେ ଓକିଲାତି ମନ୍ତ୍ରୀ ମହୋଦୟଙ୍କ ପାଇଁ ରାଜଧର୍ମ ହୋଇପାରେ, କିନ୍ତୁ ନିଜ ମା’, ମାଟି ଓ ମଣିଷଙ୍କ ପ୍ରତି କର୍ତ୍ତବ୍ୟ କ’ଣ ରାଜଧର୍ମର ଉପରେ ନୁହେଁ? ଏ ପ୍ରସଙ୍ଗରେ ସୋମବାର ଖବରକାଗଜରେ ପ୍ରକାଶିତ ମନ୍ତ୍ରୀଙ୍କ ବୟାନ ଆଲୋଚନାର ଅପେକ୍ଷା ରଖୁଛି। କେନ୍ଦ୍ରମନ୍ତ୍ରୀ ସଂସଦରେ ଟ୍ରିବ୍ୟୁନାଲ ଗଠନ ଲାଗି ପ୍ରତିଶ୍ରୁତି ଦେବା ପରେ ବି କାହିଁକି ଟ୍ରିବ୍ୟୁନାଲ ଗଠନ ହେଲା ନାହିଁ? ଏହାର ଉତ୍ତରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି- ‘‘ ଟ୍ରିବ୍ୟୁନାଲ ପାଇଁ ମନ୍ତ୍ରୀ ସଂଜୀବ ବାଲ୍ୟାନ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ କ୍ୟାବିନେଟ୍ ନୋଟ୍ ମଧ୍ୟ ପ୍ରସ୍ତୁତ ହୋଇଥିଲା। ମାତ୍ର ଉପର ସ୍ତରରେ ଜଳ ବିବାଦ ମାମଲା ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ନୂଆ ଆଇନ ପ୍ରଣୟନ ପ୍ରସ୍ତାବ ପରିପ୍ରେକ୍ଷୀରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଓଡ଼ିଶା ଓ ଜଳ ବିବାଦର ପକ୍ଷଭୁକ୍ତ ଅନ୍ୟ ରାଜ୍ୟମାନଙ୍କ ସ୍ୱାର୍ଥରେ।’’
ଯଦି ମାନ୍ୟବର ମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ତଳେଇ ବିଶ୍ଳେଷଣ କରାଯାଏ, ତେବେ ସ୍ପଷ୍ଟ ହୋଇଯିବ ଯେ ପ୍ରଧାନ ଓଡ଼ିଶା ସରକାରଙ୍କୁ ନୁହେଁ, ବରଂ ନିଜ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ସୁପ୍ରିମ୍ କୋର୍ଟରେ ଦାଖଲ କେନ୍ଦ୍ରର ସତ୍ୟପାଠକୁ ମିଥ୍ୟା ପ୍ରମାଣିତ କରୁଛନ୍ତି। ସୁପ୍ରିମ୍ କୋର୍ଟରେ ଦିଆଯାଇଥିବା ସତ୍ୟପାଠରେ କେନ୍ଦ୍ରର ଯୁକ୍ତି ହେଲା, ଓଡ଼ିଶା ଆବଶ୍ୟକୀୟ ତଥ୍ୟ ଦେଇ ନଥିବାରୁ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ଅନୁଭବ କରାଗଲା ନାହିଁ। ଅଥଚ, ମାନ୍ୟବର ମନ୍ତ୍ରୀ ପ୍ରଧାନଙ୍କ ବୟାନରୁ ସ୍ପଷ୍ଟ ଯେ, କେନ୍ଦ୍ର ସରକାରଙ୍କ ନୀତି ଓ ଆଭିମୁଖ୍ୟରେ ପରିବର୍ତ୍ତନ ଯୋଗୁ ମହାନଦୀ ଟ୍ରିବ୍ୟୁନାଲକୁ ଟାଳି ଦିଆଗଲା। ଆଇନଗତ ବ୍ୟବସ୍ଥା (ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬) ଅନୁଯାୟୀ ୨୦୧୬ ନଭେମ୍ବର ୧୯ରେ ଟ୍ରିବ୍ୟୁନାଲ ଗଠନ ଲାଗି ଓଡ଼ିଶା କେନ୍ଦ୍ର ଠାରେ ଆବେଦନ କରିବାର ବର୍ଷକ ମଧ୍ୟରେ ଅର୍ଥାତ୍ ନଭେମ୍ବର ୧୯, ୨୦୧୭ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ହେବା କଥା। ନୂଆ ଆଇନ ପ୍ରଣୟନ ହେଲା ନାହିଁ, ଅଥଚ ପ୍ରଚଳିତ ଆଇନ ଅନୁଯାୟୀ ଓଡ଼ିଶାକୁ ତା’ର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଇଛି। ଏହା କେବଳ ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ ନୁହେଁ, ପ୍ରଚଳିତ ଆଇନର ମଧ୍ୟ ଅବମାନନା। ମାନ୍ୟବର ମନ୍ତ୍ରୀ ପ୍ରଧାନ ମନେ ପକାଇବା ଉଚିତ ଯେ,ସେ ନିଜେ ଖୋଦ୍ ଓଡ଼ିଶା ଟ୍ରିବ୍ୟୁନାଲ ପାଇଁ ଆବେଦନ କରିବାର ଠିକ୍ ମାସକ ପରେ ଡିସେମ୍ବର ୯ରେ ଚିପିଲିମା ଠାରେ ସ୍ପଷ୍ଟ କରିଦେଇଥିଲେ ଯେ ପ୍ରଚଳିତ ଆଇନ ଅନୁଯାୟୀ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବ। ନଦୀ ଜଳ ବିବାଦର ସମାଧାନ ନେଇ ନୂଆ ଆଇନ ପାଇଁ କେନ୍ଦ୍ରର ପ୍ରସ୍ତାବ ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏହି ସ୍ପଷ୍ଟୀକରଣ ଦେଇଥିଲେ। ଏହାକୁ ସେ ପରବର୍ତ୍ତୀ ସମୟରେ ଏକାଧିକବାର ଦୋହରାଇଛନ୍ତି।
ଅଥଚ, ଏବେ ଯୁକ୍ତି କରୁଛନ୍ତି ଯେ, ଟ୍ରିବ୍ୟୁନାଲରେ ବିବାଦର ସମାଧାନ ଲାଗି ବର୍ଷ ବର୍ଷ ବିତି ଯାଉଛି, ତେଣୁ ଟ୍ରିବ୍ୟୁନାଲ ଗଠନ ଅପେକ୍ଷା କଥାବାର୍ତ୍ତାକୁ ଅଗ୍ରାଧିକାର ଦିଅଯାଉ। ମନ୍ତ୍ରୀ ମହୋଦୟ ନିଶ୍ଚୟ ଅବଗତ ଥିବେ ଯେ, କଥାବାର୍ତ୍ତାର ବାଟ ବନ୍ଦ ହୋଇଯାଇଛି ବୋଲି ଖୋଦ୍ ତାଙ୍କର ସହଯୋଗୀ ବାଲ୍ୟାନ୍ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏବେ ପୁଣି କଥାବାର୍ତ୍ତା ପ୍ରସ୍ତାବର ପୁନରାବୃତ୍ତି କାହିଁକି? ପୁଣି ଶୂନ୍ୟରେ କଥାବାର୍ତ୍ତା ସମ୍ଭବ ନୁହେଁ। ଏଥିପାଇଁ ପାରସ୍ପରିକ ବିଶ୍ୱାସ ଓ ସଦିଚ୍ଛା ମୂଳକ ବାତାବରଣ ଆବଶ୍ୟକ। ପାରସ୍ପରିକ ବିଶ୍ୱାସ ଓ ସଦିଚ୍ଛା ମୂଳକ ବାତାବରଣ ସେତେବେଳେ ସୃଷ୍ଟି ହୋଇପାରିବ, ଯେତେବେଳେ ଉପରମୁଣ୍ଡରେ ଛତିଶଗଡ଼ ଅନ୍ତତଃ ବନ୍ଧ ନିର୍ମାଣ ସ୍ଥଗିତ ରଖିବ। ନିଜ ଦଳର କେନ୍ଦ୍ରୀୟ ନେତୃତ୍ୱ ଓ ଛତିଶଗଡ଼ର ସହଯୋଗୀଙ୍କୁ ପ୍ରଭାବିତ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏତିକି କରନ୍ତୁ। ବନ୍ଧ ନିର୍ମାଣ ସ୍ଥଗିତ କରନ୍ତୁ। ଅନ୍ୟଥା ସେ ଛତିଶଗଡ଼ ବିପକ୍ଷରେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ଲାଗି ନିଜ ଦାୟିତ୍ୱରେ ଅବହେଳା କରୁଥିବା ଅଭିଯୋଗକୁ ଅସ୍ୱୀକାର କରିବା ସହଜ ହେବ ନାହିଁ। ଗୋଟିଏ ପଟେ କ୍ଷମତା ଓ ଅନ୍ୟପଟେ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନର ଦୋଛକିରେ ବୋଧହୁଏ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ବାଟ ସ୍ଥିର କରିପାରୁ ନାହାନ୍ତି।
ତେବେ ଏ ଦୋଛକିରେ ଦ୍ୱନ୍ଦ୍ୱରେ ପଡ଼ିଥିବା ରାଜ୍ୟ ବିଜେପିକୁ ବାଟ ଦେଖାଇବାକୁ ଚେଷ୍ଟା କରିଛନ୍ତି ଦଳର ବର୍ତ୍ତମାନ ଅଲୋଡ଼ା ବରିଷ୍ଠ ନେତା ଅଭିଜ୍ଞ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ପାର୍ଟି ଛାଡ଼ି ସେ ମାଟି ପାଇଁ ସ୍ୱର ଉଠାଇଛନ୍ତି। କିନ୍ତୁ ‘କାଳୀ ଗାଈର ଭିନ୍ନ ଗୋଠ’ ବିଜୟଙ୍କର ବିବେକର ସ୍ୱର ଶୁଣିବାକୁ ରାଜ୍ୟ ବିଜେପିର କାନ କାହିଁ? ବରଂ ସେହି ସ୍ୱରକୁ ହଟାଇ ଦେବା ପାଇଁ ବିଜେପିରେ ଆହୁରି ଅନେକ ସ୍ୱର ଉଠିଲାଣି। କିନ୍ତୁ ଶେଷ ପର୍ଯ୍ୟନ୍ତ ରାଜ୍ୟ ବିଜେପିକୁ ଭବିଷ୍ୟତ ପାଇଁ କୌଣସି ଗୋଟିଏ ରାସ୍ତା ବାଛିବାକୁ ପଡ଼ିବ- ଧର୍ମେନ୍ଦ୍ରଙ୍କ ରାସ୍ତାରେ ଯିବ ନା ବିଜୟଙ୍କ ରାସ୍ତାରେ? ପ୍ରାରମ୍ଭିକ ପ୍ରତିକ୍ରିୟାରୁ ମନେ ହେଉନାହିଁ, ରାଜ୍ୟ ବିଜେପି ବିଜୟଙ୍କ ରାସ୍ତାରେ ଯିବ। ଆଜି ଓଡ଼ିଶାରେ ଦଳର ଭବିଷ୍ୟତ ପାଇଁ ଏହା ଗୁରୁତ୍ୱର ସହ ବିଚାରର ଅପେକ୍ଷା ରଖୁଛି।