ପିଏମ-ଶ୍ରୀ ଯୋଜନାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ବର : ଦେଶର ସରକାରୀ ସ୍କୁଲଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିଥିବା ବେଳେ ଆଜି ପିଏମ-ଶ୍ରୀ ଅର୍ଥାତ ‘ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଯୋଜନା ଦ୍ବାରା ନିର୍ଦ୍ଧାରିତ ସର୍ତ୍ତ ପୂରଣ କରୁଥିବା ଦେଶର ୧୪ ହଜାର ୫୯୭ ସରକାରୀ ବିଦ୍ୟାଳୟକୁ ବିକଶିତ ଓ ଉନ୍ନତ କରାଯାଇ ପିଏମ-ଶ୍ରୀ ସ୍କୁଲରେ ପରିଣତ କରାଯିବ। ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ସ୍କୁଲଗୁଡ଼ିକ ଚୟନ କରାଯିବ। ୨୦୨୨ରୁ ୨୦୨୭ ମଧ୍ୟରେ ଦେଶରେ ପାଇଲଟ ପ୍ରକଳ୍ପ ଭାବେ ଏହା କାମ କରିବ। ଏହି ଯୋଜନାରେ ଦେଶର ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।

ପିଏମ-ଶ୍ରୀ ଯୋଜନାରେ ସାମିଲ ହେବା ପାଇଁ ସ୍କୁଲଗୁଡ଼ିକୁ ଅନ‌୍‌ଲାଇନରେ ଆବେଦନ କରିବାକୁ ପଡ଼ିବ। ଦୁଇ ବର୍ଷ ପାଇଁ ପ୍ରତି ତିନି ମାସରେ ଏହି ପୋର୍ଟାଲ ଖୋଲିବ। ଆବେଦନ କରିଥିବା ସ୍କୁଲଗୁଡ଼ିକ ଜାତୀୟ ଶିକ୍ଷାନୀତି ଅନୁସାରେ କାର୍ଯ୍ୟ କରିବାକୁ ବୁଝାମଣା ସ୍ୱାକ୍ଷର ହେବ। ଗୋଟିଏ ବ୍ଲକରୁ ସର୍ବାଧିକ ଗୋଟିଏ ପ୍ରାଥମିକ ଓ ଆଉ ଗୋଟିଏ ମାଧ୍ୟମିକ ସ୍କୁଲ ଚୟନ ହୋଇପାରିବ। ଏହି ମଡେଲ ସ୍କୁଲରେ ଜାତୀୟ ଶିକ୍ଷାନୀତିର ମୂଳ ବିଚାରକୁ ପୂରଣ କରିବ। ପିଏମ-ଶ୍ରୀ ସ୍କୁଲ ଅତ୍ୟାଧୁନିକ, ରୁପାନ୍ତରଣ, ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରାଯିବ। ଆବିଷ୍କାର ଆଧାରିତ, ଶିକ୍ଷଣ କେନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସରୁମ୍ ଓ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ।

କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କପି ପେଷ୍ଟ ବୋଲି କହି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମାଲୋଚନା କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟରେ ୫-ଟି ଯୋଜନାରେ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ ଜାରି ରହିଛି। ଭିତ୍ତିଭୂମି ବିକାଶ ସହ ପିଲାଙ୍କ ପାଠପଢ଼ା ଶୈଳୀରେ ଉନ୍ନତି ହୋଇଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ଯୋଜନାକୁ କେନ୍ଦ୍ର ସରକାର କପି କରି ବାହା ବା ନେବାକୁ ଉଦ୍ୟମ କରୁଛନ୍ତି।

ସେପଟେ ରାଜ୍ୟ ସରକାର ଦଳୀୟ ପ୍ରଚାର ଲାଗି ସ୍କୁଲକୁ ବ୍ୟବହାର କରୁଥିବା ନେଇ ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି। ଏଥିସହ ଦଳ କହି‌ଛି ଯେ ୫ ବର୍ଷ ମଧ୍ୟରେ ଏହି ପାଇଲଟ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୭ ହଜାର ୬୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ପିଏମ-ଶ୍ରୀ ଯୋଜନା ସହାୟକ ହେବ।

ସମ୍ବନ୍ଧିତ ଖବର