ବିଜେଡି-ବିଜେପି ଚାଷୀଙ୍କୁ ଶୋଷଣ କରୁଛନ୍ତି

ଭୁବନେଶ୍ବର : ଗତକାଲି ଚା‌ଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ତିନି ଦଳ ବିଧାନସଭାରେ ହଙ୍ଗାମା କରିଥିଲେ। ଆଜି ପୁଣି ସେହି ପ୍ରସଙ୍ଗ ଉଠିଲା। ହେଲେ ଗୃହ ଅଚଳ ହେଲାନି, ବରଂ ଆଲୋଚନା ହୋଇଥିଲା। ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା‌ରେ ବିଧାୟକମାନେ ଭାଗ ନେଇଥିଲେ।

ତେବେ ବିଜେପି ବିଧାୟକମାନେ ଆଲୋଚନାରେ ଶନିବାର ଦିନ ଭାଗ ନେଇ ନଥିଲେ। ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ନଥିବାରୁ ବିଜେପି ସଭ୍ୟମାନେ ଉତ୍‌କ୍ଷିପ୍ତ ହୋଇ ଗୃହ ମଧ୍ୟ ଭାଗରେ ଧାରଣା ଦେଇଥିଲେ। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ବିଜେପି ସଭ୍ୟମାନେ ଭାଗ ନେବାକୁ ବାଚସ୍ପତି ନିବେଦନ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପାଲଟା ପ୍ରଶ୍ନ କରିଥିଲେ, ଯଦି ଗୁରୁତ୍ବପୂର୍ଣ୍ଣ ତେବେ ମନ୍ତ୍ରୀ ରହିଲେନି କିପରି? ସରକାରୀ ଦଳ ମୁଖ୍ୟ ସଚେତକ ଓ ରାଜସ୍ବ ମନ୍ତ୍ରୀ ସେମାନଙ୍କ ନିକଟକୁ ଆସି ବୁଝାଇଥିଲେ ମଧ୍ୟ ସେମାନେ ଉଠି ନଥିଲେ। ପୂରା ଆଲୋଚନା ସମୟରେ ସେମାନେ ଧାରଣାରେ ବସି ରହିଥିଲେ।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗତକାଲି ବିଧାନସଭା ଗୃହରେ ଯାହା ଘଟିଲା ତାହା ଐତିହାସିକ। ଚାରି ଦଳର ପ୍ରତିନିଧି ଏଠାରେ ଅଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସମସ୍ତେ ଉଦ୍‌ବେଗ ପ୍ରକାଶ କଲେ। ଯଦି ସବୁ ଦଳ ଚାଷୀଙ୍କ ଦାବିକୁ ସମର୍ଥନ କରୁଛନ୍ତି, ତେବେ ଚାଷୀ ସମସ୍ୟା ସମାଧାନରେ ଅସୁବିଧା କେଉଁଠି ରହିଲା? ଏବେ ଗୃହ ଚାଲିଛି। ଗୃହର ନେତା ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରନ୍ତୁ। ତତ୍‌କ୍ଷଣାତ୍ ରାସ୍ତା ବାହାରିଯିବ। ଗୋଟିଏ ଦିନରେ ଆଇନ ତିଆରି ହୋଇଯିବ। ଯଦି କେବଳ ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ଚାଷୀଙ୍କୁ ରାଜନୀତି କରାଯାଉଥାଏ, ତେବେ ତାହା ଦୁର୍ଭାଗ୍ୟଜନକ।

ବିଜେପି ଓ ବିଜେଡିକୁ ଟାର୍ଗେଟ୍‌ କରି ଶ୍ରୀ ମିଶ୍ର କହିଲେ, ଗତକାଲି ଚାଷୀଙ୍କ ସମ୍ପର୍କରେ ବିଜେପି ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦେଲେନାହିଁ। ଗୃହରେ ସେମାନେ ଚାଷୀଙ୍କ ପ୍ରସଙ୍ଗ ଆଲୋଚନା କରିବାକୁ ଚାହୁଁ ନଥିବା ସ୍ପଷ୍ଟ ହେଉଛି। ସରକାରୀ ଦଳ ଗତକାଲି ବିରୋଧୀ ଦଳ ଭୂମିକା ନିଭାଇ ଗୃହ ମଧ୍ୟ ଭାଗକୁ ଚାଲିଆସିଲେ। ଧାନର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଏଠାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଆଲୋଚନା ପାଇଁ ସମୟ ଦେଲେନି। ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍‌ କଲ୍‌ରେ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ଟିକେଟ୍‌ ଦେଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଗୋଟିଏ ଫୋନ୍ କରି ଏମ୍‌ଏସ୍‌ପି ବୃଦ୍ଧି କଥା କହିପାରୁନାହାନ୍ତି କାହିଁକି? ଏତେ ମଧୁର ସମ୍ପର୍କ ଥାଇ ନାଟକବାଜି କାହିଁକି କରାଯାଉଛି? ଗଞ୍ଜାମ ଜିଲ୍ଲାର ଜଣେ ମନ୍ତ୍ରୀ ଗୁଜୁରାଟ ଯାଉଛନ୍ତି ବିଜେପି ପାଇଁ ପ୍ରଚାର କରିବାକୁ। ଏଥିରୁ ଉଭୟଙ୍କ ସମ୍ପର୍କ ଜଣାପଡ଼ିଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କର। କିନ୍ତୁ ବିଜେପି ସଭ୍ୟମାନେ ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ କହି ଖସିବାକୁ ବସିଛନ୍ତି। ଏହା ହାସ୍ୟାସ୍ପଦ। ପଦ୍ମପୁର ଉପନିର୍ବାଚନ ଚାଲିଥିବାରୁ କେନ୍ଦ୍ର ମନ୍ତ୍ରୀ ସେଠାରେ ତିନିଟି ବ୍ଲକ୍‌ରେ ଫସଲବୀମା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ। ଅନ୍ୟ ଆଡ଼େ ଚାଷୀମାନେ କ’ଣ କରିବେ? ଦୁଇ ଦଳ ମିଳିତ ଭାବେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଏଠାରେ ଗୃହ ଅଚଳ କରୁଛନ୍ତି। ଯେଉଁ ମନ୍ତ୍ରୀ ଏଠାରେ ଉତ୍ତର ଦେବା କଥା, ସେ ରହୁନାହାନ୍ତି। ମୁଖ୍ୟମନ୍ତ୍ରୀ ଏଠାରେ ନାହାନ୍ତି। ଯଦି ସେ ସର୍ବଦଳୀୟ ବୈଠକ ନ ଡାକୁଛନ୍ତି, ତେବେ ବାଚସ୍ପତି ଡାକନ୍ତୁ। ତୁରନ୍ତ କିଛି ନିଷ୍ପତ୍ତି ନିଆଯାଉ।

କଂଗ୍ରେସ ପକ୍ଷରୁ ‘ରାଜ୍ୟରେ ଚାଷୀମାନେ ଶୋଷଣର ଶିକାର, ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ସହ ଇନ୍‌ପୁଟ୍‌ ସବ୍‌ସିଡି ଓ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଏଥିରେ ଭାଗ ନେଇ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ରାଜ୍ୟରେ ମରୁଡ଼ି ହୋଇନି ବୋଲି ନିଜେ ରାଜସ୍ବ ମନ୍ତ୍ରୀ ଗୃହରେ କହିଥିଲେ। ଯଦି ହୋଇ ନଥିଲା, ତେବେ ଇନ୍‌ପୁଟ୍‌ ସବ୍‌ସିଡି ଦିଆଗଲା କାହିଁକି? ସରକାର ସବୁବେଳେ ଚାଷୀଙ୍କ ସହ ଖେଳୁଛନ୍ତି। ଛତିଶଗଡ଼ ସରକାର ଧାନର କ୍ବିଣ୍ଟାଲ୍‌ ପିଛା ୨୫୦୦ ଟଙ୍କା ଏମ୍‌ଏସ୍‌ପି ଦେଉଥିଲା ବେଳେ ରାଜ୍ୟ ସରକାର କାହିଁକି ଦେଇପାରୁ ନାହାନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପାଇଁ ସେଠାରେ ଚାଷୀଙ୍କ ବୀମା ରାଶି ପ୍ରଦାନ ପାଇଁ କହିଲେ। କିନ୍ତୁ ଅନ୍ୟ ଚାଷୀଙ୍କ କଥା ବୁଝିବ କିଏ? ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମୟ ନ ଦେବା ଦୁର୍ଭାଗ୍ୟଜନକ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ରାଜ୍ୟପାଳଙ୍କ ପାଖକୁ ଯାଇ ବିଜେଡି ଓ ବିଜେପି ବିଧାୟକମାନେ ନାଟକ କରୁଛନ୍ତି। ଏଠାରେ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ ହେଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ଚାଷୀଙ୍କ ପାଇଁ ଦରଦ ଆସିଲାନି। ସେ ଗୃହ କମିଟିକୁ ସମୟ ଦେଲେନି। ଏଥିରୁ ବିଜେପିର ଚାଷୀ ପ୍ରେମ ଜଣାପଡ଼ୁଛି। ଅର୍ଥ ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରୁନାହାନ୍ତି। ମନ୍ତ୍ରୀମାନେ ଗୃହକୁ ଆସୁନାହାନ୍ତି। ଚାଷୀଙ୍କ କଥା କିଏ ପଚାରେ। ଧାନର ଏମ୍‌ଏସ୍‌ପି ଉପରେ ୧୦୦ ଟଙ୍କା ବୋନସ୍‌ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତାହା କୁଆଡ଼େ ଗଲା? କାଳିଆ ଯୋଜନାରେ ବ୍ୟାପକ ଦୁର୍ନୀତି ଚାଲିଛି। ପ୍ରକୃତ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି।

ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା କହିଥିଲେ, ଚାଷୀଙ୍କ ଋଣ ଛାଡ଼ କରାଯାଉ। ଫସଲ ବୀମା ତୁରନ୍ତ ପ୍ରଦାନ ପାଇଁ ପଦ‌କ୍ଷେପ ନିଆଯାଉ। ଚା‌ଷୀଙ୍କୁ ସର୍ବନିମ୍ନ ୫ ହଜାର ଟଙ୍କା ପେନ୍‌ସନ୍ ପ୍ରଦାନ କରାଯାଉ। ହାତୀ ଉପଦ୍ରବ ଅଞ୍ଚଳରେ ଫସଲହାନୀ ରିପୋର୍ଟ ଆସୁଥି‌ଲେ ବି କ୍ଷତିପୂରଣ ମିଳୁ ନଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଶାସକ ଦଳ ପକ୍ଷରୁ ଭୂପିନ୍ଦର ସିଂହ ଓ ରାଜକିଶୋର ଦାସ ଯୁକ୍ତି ବାଢ଼ିଥିଲେ ଯେ ରାଜ୍ୟ ସରକାରଙ୍କ ଚାଷୀଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଚାଷୀଙ୍କ ପାଇଁ ସମସ୍ତଙ୍କ ଦାୟିତ୍ବ ରହିଛି। କେନ୍ଦ୍ର ମଧ୍ୟ ତାହାର ଦାୟିତ୍ବ ତୁଲାଇ। ଲମ୍ବା ସମୟ ଧରି ଶାସନରେ ରହି କଂଗ୍ରେସ ମଧ୍ୟ ଚାଷୀଙ୍କ ପାଇଁ କିଛି କରିନାହିଁ।

ସମବାୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଆଲୋଚନାର ଉତ୍ତର ରଖି କହିଥିଲେ, ଚାଷୀଙ୍କ ଉନ୍ନତିକୁ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଏହା ଫଳରେ ଚାଷୀମାନଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି। ଧାନ କ୍ରୟର ସମସ୍ତ କାଗଜାତ ପ୍ରସ୍ତୁତି ପି-ପାସ୍ ଆପ୍ଲିକେସନ୍ ସହାୟତାରେ କମ୍ପ୍ୟୁଟରୀକୃତ ପ୍ର୍ରକିୟା ମାଧ୍ୟମରେ ପରିଚାଳିତ ହେଉଛି। ସରକାର ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରୁଛନ୍ତି। ୨୦୧୯-୨୦ରୁ ଏସ୍‌ଏମ୍‌ଏସ୍‌ ଜରିଆରେ ପଞ୍ଜୀକୃତ ଚାଷୀଙ୍କ ମୋବାଇଲ୍‌କୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କର କ୍ଷୟକ୍ଷତିକୁ ଭରଣା କରିବା ପାଇଁ ଇନ୍‌ପୁଟ୍‌ ସବ୍‌ସିଡିର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର