କେନ୍ଦ୍ରାପଡ଼ାରେ ଯାତ୍ରୀ ଟ୍ରେନ୍‌ ପାଇଁ ବିଜେଡି-ବିଜେପି ଚିଠି ଯୁଦ୍ଧ

ଗୋଏଲଙ୍କୁ ଚିଠି ଲେଖିଲେ ୪ ବିଜେଡି ବିଧାୟକ
ବିଜେପି ଜିଲ୍ଲା ସଭାପତି ଓ ବରିଷ୍ଠ ନେତା ବି ଲେଖିଲେ

ଭୁବନେଶ୍ୱର : କେନ୍ଦ୍ରାପଡ଼ାବାସୀଙ୍କୁ କେବେ ମିଳିବ ଯାତ୍ରୀବାହୀ ଟ୍ରେନ୍‌। ଜିଲ୍ଲା ପାଇଁ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିବା ପରେ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଚିଠି ଯୁଦ୍ଧ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଲୋକପ୍ରତିନିଧିମାନେ ଏହାକୁ ନେଇ ପ୍ରତିଯୋଗିତା କରିଛନ୍ତି। ୪ ବିଜେଡି ବିଧାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଇ ଜିଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର କରିବାକୁ ଦାବି କରିଛନ୍ତି। ଅନ୍ୟପଟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଓ ଜିଲ୍ଲାର ନେତାମାନେ ଏ ସଂକ୍ରାନ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ, ଶଶିଭୂଷଣ ବେହେରା ଓ ଅତନୁ ସବ୍ୟସାଚୀ ନାୟକ,ଧ୍ରୁବ ଚରଣ ସାହୁ ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଏହି ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ପ୍ରଦାନ କରିବା ସହ ସବୁ ପ୍ରକାର ସହାୟତା ପ୍ରଦାନ କରିଛନ୍ତି। ଏଥିପାଇଁ ଷ୍ଟାମ୍ପ ଡ୍ୟୁଟି, ପଞ୍ଜୀକରଣ ଫି, ଜମି ବାବଦ ପ୍ରିମିୟମ୍‌ ସହିତ ଆର୍ଥିକ ସହାୟତା ବି ଯୋଗାଇଛନ୍ତି। ୮୨ କିଲୋମଟିର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ପାଇଁ ପାରାଦୀପ-ହରିଦାସପୁର ରେଳ ପ୍ରକଳ୍ପ ପାଇଁ ଗଠିତ ଏସ୍‌ପିଭି କମ୍ପାନି ମଧ୍ୟ ରେଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି। ଦୀର୍ଘଦିନରୁ ଅପେକ୍ଷିତ ଏହି ରେଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ଖୋଦ ରେଳମନ୍ତ୍ରୀଙ୍କ ଆଗ୍ରହ ମଧ୍ୟ ସ୍ବୀକାର୍ଯ୍ୟ। ଏସବୁ ବିଚାର କରି ଆସନ୍ତା ଅଗଷ୍ଟ ମାସରେ କେନ୍ଦ୍ରାପଡ଼ା ପାଇଁ ନୂତନ ଯାତ୍ରୀବାହୀ ଟ୍ରେନ୍‌ର ଶୁଭ ଉଦଘାଟନ କରିବାକୁ ବିଜେ଼ଡି ବିଧାୟକମାନେ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Twitter

ଏପଟେ ବିଜେପି ଏ କ୍ଷେତ୍ରରେ ପଛରେ ନାହିଁ। ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ ଓ ଶ୍ରୀ ପ୍ରଧାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ପାରାଦୀପ-ହରିଦାସପୁର ନୂତନ ରେଳ ଲାଇନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଏହି ରେଳପଥର ଶୁଭାରମ୍ଭ ନିମନ୍ତେ ଜିଲ୍ଲାବାସୀ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ବିଶେଷଭାବେ କେନ୍ଦ୍ରାପଡ଼ାର ସ୍ଥାନୀୟ ଅର୍ଥନୀତିକୁ ପରିବର୍ତ୍ତନ କରିବାରେ ଏହି ରେଳପଥର ବଡ଼ ଭୂମିକା ରହିଛି। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପକୁ ସର୍ବାଧିକ ଗୁରୁତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଜିଲ୍ଲାବାସୀ କୃତଜ୍ଞ। ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ, ରେଳ ମନ୍ତ୍ରଣାଳୟ ତଥା ପୂର୍ବତଟ ରେଳବାଇ ଏହି ରେଳ ଲାଇନରେ ଯାତ୍ରୀ ସେବା ଆରମ୍ଭ କରିବା ପାଇଁ ମନ୍ତ୍ରଣାଳୟକୁ ଅନୁରୋଧ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଜିଲ୍ଲା ବିଜେପି ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି। ପାରାଦୀପ-ହରିଦାସପୁର ନୂଆ ରେଳ ଲାଇନ୍‌ରେ ମାଲ ପରିବହନ ସେବା ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କ ପାଇଁ ଏହି ଲାଇନ୍‌ରେ ଯାତ୍ରୀବାହୀ ରେଳ ସେବା ଆରମ୍ଭ କରିବାର ବଡ଼ ଆବଶ୍ୟକତା ରହିଛି। ପ୍ରାୟ ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ଚତୁର୍ଦ୍ଦଶ ଜନବହୁଳ ଜିଲ୍ଲା କେନ୍ଦ୍ରାପଡ଼ା ହୋଇଥବାରୁ ଅନ୍ୟଜିଲ୍ଲା ଓ ସହରକୁ ଯିବାକୁ ଏଠାକାର ଲୋକମାନେ ବସ୍‌ କିମ୍ବା ଅନ୍ୟ ଘରୋଇ ଗାଡ଼ି ଉପରେ ନିର୍ଭର କରିଥାନ୍ତି। ଏ ଅଞ୍ଚଳ ପାଇଁ ଯାତ୍ରୀବାହୀ ଟ୍ରେନ୍‌ଟିଏ ଗଡ଼ିଲେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ମଜବୁତ ହେବ। ତେଣୁ ଏହି ନୂଆ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଲେଖାଯାଇଥିବା ଚିଠିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନ ମୋହନ ଜେନା, ମହାକାଳପଡ଼ା ବିଧାନସଭା ପ୍ରାର୍ଥୀ ବିଜୟ ପ୍ରଧାନ, ରାଜନଗର ପୂର୍ବତନ ବିଧାୟକ ପ୍ରାର୍ଥୀ ଅଲେଖ କୁମାର ଜେନା, ଆଳି ବିଧାନସଭା ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ସୁନାକର ବେହେରା ପ୍ରମୁଖ ହସ୍ତାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର