ଅନୁଗୁଳ: ଅନୁଗୁଳ ରାଜନୀତି ଉଠୁଛି ପଡ଼ୁଛି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଆସି ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼ ସଜାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ ପରାମର୍ଶ ଦେଇ ସେ ଫେରିବାବେଳକୁ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଥିଲା। ଧର୍ମେନ୍ଦ୍ର ଯିବାର ଦୁଇ ଦିନ ପରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳରେ ସିଧାସିଧ‌ା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କଲେ। ଜନ୍ମମାଟି ପାଇଁ କଣ କରିଛ ବୋଲି ପ୍ରଶ୍ନ କରି ବିଜେପିକୁ ଅକଳରେ ପକାଇଲେ। ଏହା ବିଜେଡି ଶିବିରକୁ ଆନନ୍ଦିତ କରିଥିଲାବେଳେ ଦଳୀୟ ନେତା ଓ କର୍ମୀ ପାଣ୍ଡିଆନଙ୍କ ଗସ୍ତ ପରେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏବେ ଦୁଇ ଦଳର ନେତା ଓ କର୍ମୀ ବୁଥ୍‌ମୁହାଁ ହେବା ସହ ଜିଲ୍ଲାରେ ନିର୍ବାଚନୀ ହାୱା ବହିବା ଆରମ୍ଭ ହୋଇଛି। ପାଖାପାଖି ଦେଢ଼ ବର୍ଷ ହେଲା ଅନୁଗୁଳ ଓ ଢେଙ୍କାନାଳକୁ ଫୋକସ୍‌ରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିୟମିତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଗତ ରଥଯାତ୍ରା ସମୟରେ ଅନୁଗୁଳ ଗସ୍ତରେ ଆସି ତତ୍କାଳୀନ ୫-ଟି ସଚିବ ପାଣ୍ଡିଆନଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ନାଁ ନ ନେଇ କଡ଼ା କଡ଼ା କଥ‌ା କହିଥିଲେ। ସେତେବେଳେ ଏହା ବିଜେପି ଶିବିରକୁ ବଳ ଦେଇଥିଲା। ଆଉ ଏବେ ସବୁ ସୁଝି ଦେଇଛନ୍ତି ପାଣ୍ଡିଆନ। ସେ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁ ନ ନେଇ ଭରା ସଭାରେ ପ୍ରଶ୍ନବ‌ାଣରେ ପୋତି ପକାଇଛନ୍ତି। ବିକାଶର ତାଲିକା ମାଗିଛନ୍ତି।

Advertisment

ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଅନୁଗୁଳ ଜିଲ୍ଲାରେ ବିଜେଡି ସୁବିଧାଜନକ ସ୍ଥିତିରେ ରହିଆସିଛି। ୨୦୦୯ ପରଠାରୁ ହୋଇଥିବା ୩ଟି ଯାକ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲି ପାରିନି। ଏପଟେ ଗତ ଦୁଇ ପାଳି ହେଲା ଜିଲ୍ଲାର ସମସ୍ତ ୫ଟି ଯାକ ଆସନରେ ବିଜେଡି ବିଜୟୀ ହୋଇଛି। କିନ୍ତୁ ଢେଙ୍କାନାଳ ଲୋକସଭା ସହ ଅଧିକାଂଶ ବିଧାନସଭା ଆସନରେ ବିଜେଡି ଓ ବିଜେପି ଭିତରେ ଭୋଟ୍‌ ବ୍ୟବଧାନ ବହୁତ କମ୍‌ ରହିଛି। ଏପଟେ ଧର୍ମେନ୍ଦ୍ରଙ୍କ ମାରାଥନ ଗସ୍ତ ପରେ ବିଜେପି ଏଥର ଆହୁରି ଭଲ କରିବ ବୋଲି ଆଶା ବାନ୍ଧିଛି। ଧର୍ମେନ୍ଦ୍ରଙ୍କ ସମେତ ବିଭିନ୍ନ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଗସ୍ତ‌ରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବିଶେଷକରି କର୍ମୀଙ୍କ ସହ ମିଶି ସେମାନଙ୍କ ମନରେ ଜୋସ୍‌ ଭରୁଛନ୍ତି। କେନ୍ଦ୍ର ସରକାର ଅନୁଗୁଳବାସୀଙ୍କ ପାଇଁ କରିଥିବା ବିଭିନ୍ନ କାମର ହିସାବ ଦେଉଛନ୍ତି। ଏହାକୁ ପାଲଟା ଜବାବ ଦେବା ପାଇଁ ବିଜେଡି ବି ପଛରେ ନାହିଁ। ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ ପର୍ଯ୍ୟବେକ୍ଷକ କରାଯାଇଥିଲାବେଳେ ପର୍ଯ୍ୟବେକ୍ଷକ ଥିବା କୁନବିହାରୀ ଦାସ ଏଠାରେ ଡେରା ପକାଇଛନ୍ତି। ଆଉ ଗତ ୬ ମାସ ଭିତରେ ପାଣ୍ଡିଆନ ଦୁଇ ଥର ଆସି ମାଳମାଳ ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରି ଦଳ ସପକ୍ଷରେ ଜନମତ ତିଆରି କରିବାକୁ ଲାଗିଛନ୍ତି।