ବିଜେଡି-ବିଜେପି ମ୍ୟାଚ୍‌ ଫିକ୍ସିଂ ହୋଇଛି

ସମର୍ଥନ ପ୍ରସଙ୍ଗକୁ ନେଇ ଗର୍ଜିଲେ ଆନନ୍ଦ ଶର୍ମା

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏକୁ ବିଜେଡି ସମର୍ଥନ ପ୍ରସଙ୍ଗକୁ ନେଇ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଛନ୍ତି। ସିଧା ସିଧା ଅଭିଯୋଗ କରି କହିଛନ୍ତି, ଉଭୟ ଦଳ ମଧ୍ୟରେ ମ୍ୟାଚ୍‌ ଫିକ୍ସିଂ ହୋଇଛି। ୨୦୦୯ ପର୍ଯ୍ୟନ୍ତ ଉଭୟ ଦଳ ମେଣ୍ଟ ରଖି ସରକାର ଚଳାଉଥିଲେ। ୨୦୦୯ରୁ ବିଜେଡି ନିଜକୁ ଧର୍ମନିରପେକ୍ଷ ଦଳ ଭାବେ ଦାବି କରିଆସୁଛି। କିନ୍ତୁ ୨୦୧୪ରୁ ଏନ୍‌ଡିଏ ସରକାରଙ୍କ ଯେତେସବୁ ଭୁଲ ନୀତି, ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଆସୁଛି। ସେ ବିମୁଦ୍ରାକରଣ ହେଉ କି ଜିଏସ୍‌ଟି, ରାଷ୍ଟ୍ରପତି ନିର୍ବାଚନ, ଅନାସ୍ଥା, ଏନ୍‌ଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ। ସାରା ଦେଶର ବିରୋଧୀ ଦଳମାନେ ଗୋଟିଏ ପଟେ ଥିବା ବେଳେ ବିଜେଡି କାହିଁକି ଏନ୍‌ଡିଏର ହାତ ଧରିବାକୁ ସ୍ଥିର କରୁଛି, ସର୍ବସାଧାରଣରେ ତା’ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ଶ୍ରୀ ଶର୍ମା ଦାବି କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ଶର୍ମା ଆହୁରି କହିଥିଲେ, ମୋଦୀ ସରକାର ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡ଼ିକର ଦୁରୁପଯୋଗ କରୁଛନ୍ତିି। ବିଶେଷ କରି ଅଣ ବିଜେପି ଶାସିତ ରାଜ୍ୟ ଏବଂ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତିି। ଏହା ସହିତ ବିଜେଡିର ସଂପର୍କ ଅଛି କି ନାହିଁ ସେ କଥା ସେ କହିପାରିବେ ନାହିଁ। ମାତ୍ର ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫୋନରେ କଥା ହେବା ବେଳେ ମହାନଦୀରେ ଛତିଶଗଡ଼ ପାଣି ଅଟକାଉଥିବା ପ୍ରସଙ୍ଗରେ କାହିଁକି ପଚାରୁନାହାନ୍ତି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଥିଲେ। ଏକଥା ବି କହିଥିଲେ ଯେ ରାଉରକେଲାବାସୀଙ୍କ ପାଇଁ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ ଭଳି ରାଜ୍ୟର ସ୍ୱାର୍ଥ ସମସ୍ୟାର କାହିଁକି ସେ ସମାଧାନ କରାଉନାହାନ୍ତି?

ଶ୍ରୀ ଶର୍ମା ଆକ୍ଷେପ କରି କହିଥିଲେ, ଉଭୟ ନବୀନ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାମଞ୍ଜସ୍ୟ, ହେଉଛି କେହି ସାମ୍ବାଦିକ ସମ୍ମିଳନୀ କରିନ୍ତିନି। ନବୀନଙ୍କ ୧୮ ବର୍ଷର ଶାସନରେ ରାଜ୍ୟରେ ୩୬ ଲକ୍ଷ ଯୁବକ ଯୁବତୀ ବେକାର ଅଛନ୍ତି। ପ୍ରାୟ ୬୦ ଲକ୍ଷ ଲୋକ ଓଡ଼ିଶା ବାହାରେ କାମ କରୁଛନ୍ତିି। ସେହିଭଳି ମୋଦୀ ସରକାର ଗତ ୪ ବର୍ଷରେ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏଥିପାଇଁ ଶ୍ୱେତପ୍ରତି ଜାରି କରିବାକୁ କଂଗ୍ରେସ ଦାବି କରିଛି। ଶ୍ରୀ ଶର୍ମା କହିଥିଲେ, ଦୁର୍ନୀତି ପ୍ରସଙ୍ଗରେ ବି ମୋଦୀ ମୁହଁ ଖୋଲୁନାହାନ୍ତିି। ଏଭଳି କାରଣରୁ ଗୁଜୁରାଟ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ କେନ୍ଦ୍ର ବିରୋଧରେ ଅସନ୍ତୋଷ ତେଜିଲାଣି। ଏଣୁ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ମୋଦୀ ବିଜେଡି ସହିତ ମିତ୍ରତାର ହାତ ବଢ଼ାଇଛନ୍ତି। ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବରିଷ୍ଠ ନେତା କୈଳାସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର