ଭୁବନେଶ୍ବର: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ କିଏ କେତେ ଆସନରେ ଲଢ଼ିବେ କର୍ମୀ ଏବେଠାରୁ ତାହାର ତାଲିକା ସାମାଜିକ ଗଣମାଧ୍ୟମରେ ବୁଲିଲାଣି। ବିଜେପି କେଉଁ ଲୋକସଭା ଆସନରେ ଲଢ଼ିବ, ବିଜେଡି କେଉଁ ଆସନ ପାଇଁ ଦାବି କରୁଛି, ଏସବୁର ତାଲିକା ବି ବୁଲୁଛି। ବିଜେପି-ବିଜେଡି ଭାଗବଣ୍ଟାକୁ ନେଇ କିଏ ୧୩-୮ରେ ଗଣିତ କଷିଲାଣି ତ ଆଉ କିଏ ୧୪-୭ରେ ଭାଗବଣ୍ଟା ଛିଣ୍ଡିଥିବା ଦର୍ଶାଉଛି। ଫେସ୍‌ବୁକ୍‌, ହ୍ବାଟ୍‌ସଆପ, ‘ଏକ୍ସ’ ପରି ସାମାଜିକ ଗଣମାଧ୍ୟମରେ ଏସମ୍ପର୍କରେ ସେୟାର ମଧ୍ୟ ହେଉଛି। କେହିକେହି ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଲେଣି।

Advertisment

ବାସ୍ତବରେ ମେଣ୍ଟ ଆଲୋଚନା କେଉଁସ୍ତରରେ ଅଛି, ଉଭୟ ଦଳର ଶୀର୍ଷ ନେତୃତ୍ବଙ୍କ ସିଦ୍ଧାନ୍ତ ସେମାନଙ୍କ ଛାମୁଆ ନେତାଙ୍କୁ ମଧ୍ୟ ଜଣାନାହିଁ। ଏ ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି। ସମସ୍ତଙ୍କ ଭିତରେ ଫୁସୁରଫାସର ଚାଲିଛି। ହେଲେ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ତାଲିକା କିନ୍ତୁ ପୂରା ରାଜ୍ୟ ରାଜନୀତିକୁ ଗୋଳିଆ କରିଦେଇଛି। କୌତୂହଳ କଥା ହେଉଛି, ଏହି ତଥ୍ୟକୁ କୌଣସି ରାଜନୈତିକ ଦଳ ଭୁଲ ବୋଲି ମଧ୍ୟ ଦାବି କରୁନାହାନ୍ତି। ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ରେ କର୍ମୀମାନେ ଉଭୟ ଦଳର ମେଣ୍ଟକୁ ବିଭିନ୍ନ ରୂପରେ ଦେଖାଉଛନ୍ତି। ଅଧିକାଂଶ ଏହାକୁ ନକାରାତ୍ମକ ଭାବେ ନେଉଥିବାବେଳେ ଓଡ଼ିଶା ପାଇଁ ଭଲହେବ ବୋଲି କେହିକେହି କହୁଛନ୍ତି। ବିକାଶ ଦିଗରେ ଓଡ଼ିଶା ଆଗକୁ ବଢ଼ିବ ବୋଲି ମଧ୍ୟ କୁହାଯାଉଛି। ଚଣ୍ଡିଖୋଲ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବହୁ ପରିମାଣରେ ସେୟାର କରାଯାଉଛି। ଉଭୟ ରାଜନେତାଙ୍କ ମଧ୍ୟରେ ମଞ୍ଚ ଉପରର ଓ ବିମାନବନ୍ଦରରେ ବିଶେଷ ମୁହୂର୍ତ୍ତ ଫ‌ଟୋକୁ ସାଧାରଣ ଜନତା ନିଜ ନିଜ ଆକାଉଣ୍ଟରେ ସେୟାର କରୁଛନ୍ତି ଏବଂ ତାହା ଉପରେ ଅନେକ ରୋଚକ ପ୍ରତିକ୍ରିୟାମାନେ ଦେଖିବାକୁ ମିଳୁଛି। କେତେଜଣ ଉଭୟ ନେତାଙ୍କୁ ଗାଳି ମଧ୍ୟ ଦେଉଛନ୍ତି। ୧୫ ବର୍ଷ ବନବାସ ପରେ ପୁଣି ଉଭୟ ଦଳ ଏକାଠି ହେବାକୁ ଯାଉଥିବା, ମେଣ୍ଟ: ବିଜେଡି ପାଇଁ ଲାଭଦାୟକ, ବିଜେପି ପାଇଁ ହାନିକାରକ ଏବଂ ଓଡ଼ିଶା ସ୍ବାର୍ଥ ପାଇଁ ମେଣ୍ଟ ହେଲେ କି ଲାଭ ମିଳିବ? ଏସବୁ ନେଇ ମତ ଆସୁଛି। ଅନେକ ରାଜନୈତିକ ସମୀକ୍ଷକଙ୍କ ଭଳି ଲେଖିଛନ୍ତି। କେଉଁ ନେତାମାନଙ୍କ ମନରେ ଛନକା ପଶିଛି, ମେଣ୍ଟ ହେଲେ କଂଗ୍ରେସକୁ କିଭଳି ଫାଇଦା ମିଳିବ ଏସବୁ ଉଲ୍ଲେଖ ରହିଛି।

ସାମାଜିକ ଗଣମାଧ୍ୟମ ଯେଉଁ ତାଲିକା ଦେଉଛି, ସେ ଅନୁସାରେ ଆସ୍କା, ବ୍ରହ୍ମପୁର, ଭୁବନେଶ୍ବର, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଲୋକସଭା ଆସନକୁ ବିଜେଡି ଲଢ଼ିବ। ବାକି ଲୋକସଭା ଆସନଗୁଡ଼ିକ ବିଜେପି ପାଇଁ ଛାଡ଼ି ଦିଆଯିବ। ରାଜ୍ୟସ୍ତରରେ ଲୋକସଭା ଆସନ କଥା ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଏବେ ବିଧାନସଭା ଆସନକୁ ନେଇ ଅଙ୍କକଷା ଜାରି ରହିଛି। କେଉଁ ବିଧାନସଭା କ୍ଷେତ୍ର କେଉଁ ଦଳ ଭାଗ୍ୟରେ ପଡ଼ିବ ସାମାଜିକ ଗଣମାଧ୍ୟମରେ ତାହାର ମଧ୍ୟ ଆକଳନ କରି ସାରିଲେଣି ଜନତା। ୧୪୭ ବିଧାନସଭା ଆସନରୁ ବିଜେଡି-ବିଜେପି ମଧ୍ୟରେ ୧୦୩-୪୪ରେ ଭାଗବଣ୍ଟା ହେଉଥିବା କୁହାଯାଉଥିବା ବେଳେ କେହି କେହି ୯୯-୪୮ ଗଣିତ ଧରି ବୁଲୁଛନ୍ତି। ଆଉ କିଏ ୧୦୫-୪୨, ୧୦୬-୧୪ରେ ଭାଗବଣ୍ଟା କରିଦେଲେଣି। ବିଜେପି ନିଜର ପୂର୍ବ ସିଟ୍‌ଗୁଡ଼ିକ‌ରେ ପୁଣିଥରେ ସେହି ବିଧାୟକଙ୍କୁ ପ୍ରାର୍ଥୀ କରିବ ବୋଲି କର୍ମୀମାନେ ସାମାଜିକ ଗଣମାଧ୍ୟମରେ କହି ବୁଲିଲେଣି। କେବଳ ସେତିକି ନୁହେଁ, ସଦ୍ୟ ଭାବେ ବିଜେପି କିମ୍ବା ବିଜେଡିରେ ଯୋଗଦେଇଥିବା ନେତାଙ୍କ ଭାଗ୍ୟ କ’ଣ ହେବ? ସେମାନେ କେଉଁ ବିଧାନସଭା ଆସନରୁ ଲଢ଼ିବେ ତାହାକୁ ନେଇ କର୍ମୀମାନେ ଆକଳନ କରୁଛନ୍ତି। ବିଜେଡି ବିଧାନସଭା ଆସନ ଓ ବିଜେପି ଲୋକସଭା ଆସନ ଉପରେ ଅଧିକ ଫୋକସ୍‌ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜାତୀୟ ସ୍ତରୀୟ ନେତା, ସ୍ତମ୍ଭକାର, ରାଜଜୈନିକ ସମୀକ୍ଷକମାନେ ମଧ୍ୟ ବିଜେଡି-ବିଜେପି ମେଣ୍ଟ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଆକଳନ କରିବାକୁ ପଛାଇ ନାହାନ୍ତି। ମେଣ୍ଟ ରାଜନୀତି ଚୂଡ଼ାନ୍ତ ରୂପ ନେବା ନେଇ ଦିନ ଯେତିକି ଗଡ଼ୁଛି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ସେହି ଅନୁଯାୟୀ ବଢ଼ି ଚାଲିଛି। ଉଭୟ ଦଳ ମଧ୍ୟରେ ହେବାକୁ ଥିବା ମେଣ୍ଟ ନିଷ୍ପତ୍ତିକୁ ଅଧିକାଂଶ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସାମାଜିକ ଗଣମାଧ୍ୟମର ସେମାନଙ୍କ ଅସନ୍ତୋଷ ବି ପ୍ରତିଫଳିତ ହେଉଛି।