ବାଲେଶ୍ୱର/ରାଣୀତାଲ/ସିମୁଳିଆ/ ଖଇରା: ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ୍‌ ସାନମଇତାପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି। ବିଜେଡି ଓ ବିଜେପି ଏକ, ଉଭୟଙ୍କ ଚିନ୍ତାଧାରା ସମାନ ବୋଲି କହିଛନ୍ତି।

Advertisment

ସେ କହିଥିଲେ, ବିଜେପି ଦେଶର ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି। ତେବେ, ଯେତେ ଯାହାକଲେ ମଧ୍ୟ ସେମାନେ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ। ବିଜେପିର ଅହଙ୍କାର ଏତେ ବଢ଼ିଯାଇଛି ଯେ, ତାଙ୍କ ଦଳର ରାଷ୍ଟ୍ରୀୟ ମୁଖପାତ୍ର ମହାପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହିବାକୁ ପଛେଇଲେନି। ଏହା କେବଳ ମହାପ୍ରଭୁଙ୍କୁ ଅପମାନ ନୁହେଁ, ପ୍ରତିଟି ଓଡ଼ିଆଙ୍କ ପାଇଁ ଅପମାନ। ଓଡ଼ିଶାବାସୀ ଏହାକୁ କସ୍ମିନ କାଳେ କ୍ଷମା କରିବେ ନାହିଁ। ୧୦ ବର୍ଷ ହେଲା ଦେଶର ସମସ୍ୟାଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଭଗବାନ ପଠାଇଛନ୍ତି ଓ ସେ ତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଥିଲେ ରାହୁଲ।

ବିଜେଡି ଓ ବିଜେପି ଏକ, ଉଭୟଙ୍କ ଚିନ୍ତାଧାରା ସମାନ। ବିଜେପି ବିରୋଧରେ ଲଢ଼ୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି। ଏପରିକି ମୋତେ ଜେଲ୍ ମଧ୍ୟ ପଠାଇଦେଲେ। ଯଦି ନବୀନ ବାବୁ ବିଜେପି ବିରୋଧରେ ଲଢ଼ୁଛନ୍ତି, ତାହାହେଲେ ତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉନି? ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୋଦୀ-ନବୀନଙ୍କ ପାର୍ଟନରସିପ୍‌ ଭାଙ୍ଗି ଫିଙ୍ଗି ଦେବାକୁ ଆହ୍ବାନ ଦେଇଥିଲେ ରାହୁଲ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ନିଶାଣ କରି ସେ ଆହୁରି କହିଥିଲେ, ପାଣ୍ଡିଆନ ଏବେ ଓଡ଼ିଶାରେ ସରକାର ଚଳାଉଛନ୍ତି। ଆସନ୍ତା ଜୁନ୍‌ ୪ ତାରିଖରେ ଆମ ସରକାର ଆସିଲେ ପ୍ରଥମେ ମହାଲକ୍ଷ୍ମୀ ଯୋଜନା ଲାଗୁ କରିବୁ ଓ ଚାଷୀଙ୍କୁ ଋଣ ଛାଡ଼ କରିବୁ। ଜୁଲାଇ ୫ ତାରିଖରେ ପ୍ରତି ମହିଳାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ। ଏହାପରେ ପ୍ରତିମାସ କୋଟିଏ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ଅଗ୍ନିବୀର ଯୋଜନାକୁ ରଦ୍ଦ କରିବୁ। ଏହାଛଡ଼ା ପ୍ରତି ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ପ୍ରଦାନ କରାଯିବ। ତେଣୁ ଆସନ୍ତା ଜୁନ୍‌ ୪ରେ ଉଭୟ ବିଜେପି ଓ ବିଜେଡି ସରକାରକୁ ବହିଷ୍କାର କରି ଏକ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ କଂଗ୍ରେସର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଆହ୍ୱାନ ଦେଇଥିଲେ।

ରାହୁଲଙ୍କ ସଭାରେ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଭଦ୍ରକ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ଅଶୋକ ଦାସ, ବାଲେଶ୍ବର ସିମୁଳିଆ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନାରୀନେତ୍ରୀ ମଧୁମିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।