ବଦଳିପାରେ ରଣନୀତି : ବିଜେଡି-ବିଜେପି ଏବେ ଲଢ଼ିବେ?

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ସମରସଜ୍ଜା
ପ୍ରତି ପଞ୍ଚାୟତରେ ଆର୍‌ଟିଆଇ ସେଲ୍ ହେବ
ମନରେଗା, କୋଭିଡ୍‌ ହେବ ପ୍ରଥମ ପ୍ରସଙ୍ଗ
ପ୍ରତି ନେତା କରିବେ ୫୦୦୦ ଲୋକଙ୍କର ଗ୍ରୁପ୍

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ଆରଟିଆଇ ସେଲ୍ ଖୋଲ। ଜଣେ ଲେଖାଏ ଆରଟିଆଇ ପ୍ରମୁଖଙ୍କୁ ନିଯୁକ୍ତି ଦିଅ। ସେମାନେ ପଞ୍ଚାୟତସ୍ତରର ସବୁ ଦୁର୍ନୀତି ସଂପର୍କରେ ତଥ୍ୟ ମାଗିବେ। ପ୍ରଥମେ କୋଭିଡ଼ ଓ ମନରେଗା ତଥ୍ୟ ମଗାଯିବା ଦରକାର। ଅସ୍ଥାୟୀ ଚିିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରତିଟି ବ୍ୟକ୍ତିଙ୍କ ବାବଦରେ ହେଉଥିବା ଖର୍ଚ୍ଚ ଏବଂ ଆସୁଥିବା ପ୍ରବାସୀ ଶ୍ରମିକ କାମ ପାଇଲେ କି ନାହିଁ? କିଏ କାମ କରୁଛି ମଣିଷ ନା ମେସିନ୍। ଏ ସଂପର୍କରେ ବିଶଦ ତଥ୍ୟ ଆସିବା ଦରକାର।

ବିଜେପି ଶୀର୍ଷସ୍ତରରୁ ଦଳର ଛାମୁଆ ନେତାମାନଙ୍କୁ ଏଭଳି ନିର୍ଦେଶନାମା ମିଳିଥିବା ଖବର ଆସିଛି। କେବଳ ସେତିକି ନୁହେଁ, ପ୍ରତି ନିର୍ବାଚନମଣ୍ଡଳୀର ନେତାମାନେ ସ୍ଥାନୀୟ ଅଞ୍ଚଳର ୫୦୦୦ ଲୋକଙ୍କୁ ନେଇ ହ୍ବାଟ୍‌ସ ଆପ୍ ଗଠନ କରିବେ। ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶ ପାଉଥିବା ନିଚ୍ଛକ ତଥ୍ୟ ସବୁ ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ନେତାମାନଙ୍କୁ ପରାମର୍ଶ ଦିଆଯାଇଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ରିପୋର୍ଟ ଲେଖା ହେବା ବେଳକୁ ବିଜେପିର ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା (ଜୁମ୍‌ ଆପ୍‌) ଜାରି ରହିଛି, ସେଥିରେ ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧରେ ବଡ଼ ଲଢେଇ ଲାଗି ବିଜେପି ରଣନୀତି ଧାର୍ଯ୍ୟ କରିଛି। ଏଥିସହିତ ପଞ୍ଚାୟତସ୍ତରରୁ କୋଭିଡ଼ ଓ ମନରେଗାକୁ ପ୍ରସଙ୍ଗ କରି ଆଗକୁ ବଢ଼ିବାକୁ ଯୋଜନା େହାଇଛି।

ଦଳର ଏଭଳି ନିଷ୍ପତ୍ତି ସଂପର୍କରେ କୌଣସି ନେତା ଖୋଲାଖୋଲି କିିଛି ମତ ରଖିବାକୁ ପ୍ରସ୍ତୁତ ନୁହନ୍ତି। ହେଲେ ଗତ ପାଞ୍ଚ ଦିନ ଧରି ବିଜେପି ନେତାମାନଙ୍କର ଗତିବିଧି ଓ କଥାବାର୍ତା, କାର୍ଯ୍ୟକ୍ରମ ସଙ୍କେତ ଦେଉଛି ଯେ ଏସବୁ ଆଦୌ ଅମୂଳକ ନୁହେଁ।

ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗକୁ ନେଇ ଦଳର ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଖୋଲା ସମାଲୋଚନା କରିବା ପରେ ଆଜି କଟକରେ ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା। ଦଳର ଉପସଭାପତି ନୟନ ମହାନ୍ତି ଓ ବରିଷ୍ଠ ନେତାମାନେ କଟକ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇ କୋଭିଡ଼ ଅନିୟମିତତା ପ୍ରସଙ୍ଗ ସାମ୍ନାକୁ ଆଣିଥିଲେ। ଏହାପୂର୍ବରୁ ମାହାଙ୍ଗାରୁ ଶାରଦା ପ୍ରଧାନ ପଞ୍ଚାୟତିରାଜ ଦୁର୍ନୀତି ବିରୋଧରେ ଗର୍ଜନ କରୁଥିବା ବେଳେ ଗଞ୍ଜାମରୁ ଗୋକୁଳାନନ୍ଦ ମଲ୍ଲିକ ମନରେଗା ନେଇ ଜିଲ୍ଲାପାଳଙ୍କ ନିକଟରେ ସଙ୍ଗିନ୍ ଅଭିଯୋଗ ରଖିଥିଲେ। ଏସବୁ କେଉଁଠି ନା କେଉଁଠି ସୂଚାଇ ଦେଉଥିଲା ଯେ ବୋଧହୁଏ ବିଜେପି ଧୀରେ ଧୀରେ ତାର ରଣନୀତି ବଦଳାଇବା ଆରମ୍ଭ କରିଛି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଅମ୍ଫାନ୍ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତ ସମୟରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିବା ବେଳେ ବିଜେପିର ଏଭଳି କାର୍ଯ୍ୟକ୍ରମ ଦ୍ବନ୍ଦ୍ବ ସୃଷ୍ଟି କରିଛି। ହେଲେ କୌତୂହଳର କଥା ହେଲା, ବିଜେପିର ଜଣେ ବରିଷ୍ଠ ନେତା ଏ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ ଏଥର ପ୍ରଧାନମନ୍ତ୍ରୀ ନବୀନ ବାବୁଙ୍କୁ ନୁହେଁ ବରଂ ତାଙ୍କ ଅଫିସର ଟିମ୍‌କୁ ପ୍ରଶଂସା କରିଛନ୍ତି, ଏକଥାକୁ ଗଣମାଧ୍ୟମ ବୋଧହୁଏ ଲକ୍ଷ୍ୟ କରିନାହିଁ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘କନକ ନ୍ୟୁଜ୍‌’କୁ ସ୍ବତନ୍ତ୍ର ସାକ୍ଷାତାକାର ଦେବା ବେଳେ ଠାରରେ ଠାରରେ ଏକଥା ସୂଚାଇ ଦେଇଛନ୍ତି ଯେ ସରକାରର ବିକାଶ କାର୍ଯ୍ୟରେ ହାତ ମିଳାଇ ଚାଲିବା ଅର୍ଥ ନୁହେଁ, ବିଜେପି-ବିଜେଡି ସହିତ ମିଶିଯାଇଛି। କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି କୋଭିଡ଼ ମୁକାବିଲା କରାଯାଉଥିବା ଉଦାହରଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ରାଜନୈତିକ ମହଲ ବିଜେପିର ଆଚରଣ ଓ ଉଚ୍ଚାରଣ ପରିବର୍ତନ ଘଟଣାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଏହା ଦଳର ଗୋଟିଏ ଗୋଷ୍ଠୀକୁ ମଧ୍ୟ ଆଶ୍ବସ୍ତ କରିଛି। ଏହି ଗୋଷ୍ଠୀର ପ୍ରମୁଖ ନେତାମାନଙ୍କର କହିବା କଥା ହେଲା, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ବର୍ଷେ ((୨୦୧୯ ମେ’ ୨୩) ବିତିଗଲା। ଜନମତକୁ ଦଳ ସମ୍ମାନ ଦେଇ ପୂରା ୩୬୫ ଦିନ ଚୂପ୍ ଥିଲା। ଏବେ ଲୋକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ଦଳ ଆଗକୁ ବଢ଼ିବ। ଖୁବ୍ ଶୀଘ୍ର ସାଂଗଠନିକ ବିସ୍ତାର ପରେ ଦଳ ଠୋସ୍ ରଣନୀତି ଗ୍ରହଣ କରିବ।

କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଏବେ ବି ଦଳର ନିଷ୍ପତ୍ତି, ନିଷ୍ଠା ଓ ପ୍ରତିବଦ୍ଧତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି। ଯେ ପର୍ଯ୍ୟନ୍ତ କାର୍ଯ୍ୟାନ୍ବୟନ ହୋଇନାହିଁ, ସେଯାଏ ଏଭଳି ରଣନୀତି ବିଶେଷ କିଛି ମାନେ ରଖେନାହିଁ ବୋଲି ଏମାନଙ୍କର ମତ। ଅନେକ ପ୍ରସଙ୍ଗକୁ ବିଜେପି ଏଭଳି ଦ୍ବନ୍ଦ୍ବାତ୍ମକ ଆଭିମୁଖ୍ୟ କାରଣରୁ ହରେଇଛି ଓ ପରିଣାମ ଭୋଗିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ଥିଲା, ତାହା ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ହଠାତ୍ ବଦଳିଯାଇଥିଲା। ନୂଆଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଏହାର ପ୍ରଥମ ଝଲକ୍ ଥିଲା। ସେବେଠାରୁ ଏବେ ଯାଏ ବିଜେପିର ଶୀର୍ଷସ୍ତରର ନେତାମାନେ ସରକାରଙ୍କୁ କାଟିବା ବା ବାଧିବା ଭଳି କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି। ବିେଜଡ଼ି ବି ଅନୁରୂପ ଢଙ୍ଗରେ ଚାଲିଛି। କେନ୍ଦ୍ରର ହଁରେ ହଁ ମାରିଛି।

ବିଜେପି ଏବେ ରଣନୀତି ବଦଳାଇଲା କି? ଆଗକୁ ଏହା କେଉଁ ରୂପ ନେବ? ବିଜେଡି ଏହା ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବ ଓ ଆଚରଣରେ ଦଳର କି କି ପରିବର୍ତନ ଦେଖିବାକୁ ମିଳିବ, ତାହାକୁ ଏେବ ରାଜନୈତିକ ମହଲ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର