ଭୁବନେଶ୍ୱର: ଛତ୍ରପୁରର ବିଜେଡି କାଉନ୍ସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାକୁ ନେଇ ବିଜେଡି-ବିଜେପି ବୟାନ ଯୁଦ୍ଧ ଥମୁ ନାହିଁ। ଆଜି ପୁଣି ଉଭୟ ପକ୍ଷ ସାମ୍ବାଦିକ ସମ୍ମିଳନୀ ଡାକି ପରସ୍ପର ବିରୋଧରେ ବର୍ଷିଛନ୍ତି। ପୂର୍ବାହ୍ନରେ ବିଜେପି ସାମ୍ବାଦିକ ସମ୍ମିଳନୀ ଡାକିଥିଲା ବେଳେ ତାହାକୁ ଜବାବ ଦେବାକୁ ମଧ୍ୟାହ୍ନରେ ବିଜେଡି ସାମ୍ବାଦିକ ସମ୍ମିଳନୀ ଡାକିଲା। ସନ୍ଧ୍ୟାରେ ଏହି ମାମଲାରେ ବିଜେପି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ପୁଣି ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ଓ ଗଞ୍ଜାମ ଏସ୍ପିଙ୍କୁ ଟାର୍ଗେଟ୍ କଲା। ଆଜି ଏହି ଘଟଣାକୁ ନେଇ ଦିନତମାମ ରାଜଧାନୀ ରାଜନୀତି ସରଗରମ ରହିଛି।
ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଗୋଲକ ମହାପାତ୍ର ସିଧାସଳଖ ଏସ୍ପି ଆଶିଷ ସିଂହଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ଏସ୍ପି ଶାସକ ଦଳର ରାଜନୈତିକ ଏଜେଣ୍ଟ୍ ଭାବେ କାମ କରୁଛନ୍ତି। ଗଣମାଧ୍ୟମରେ ପ୍ରସାରିତ କଲ୍ ରେକର୍ଡ ଗଞ୍ଜାମ ଏସ୍ପି ଚଞ୍ଚକତା କରି ପ୍ରସାରିତ କରିଥିବା ସତ୍ତ୍ୱେ ଏହା ତାଙ୍କ ଦ୍ୱାରା ପ୍ରସାରିତ ହୋଇଛି ବୋଲି ନିଜ ମୁଣ୍ଡକୁ ଦାୟିତ୍ୱ ନେଉ ନାହାନ୍ତି। ପୁଲିସ୍ ହେପାଜତରେ ଥିବା ବ୍ୟକ୍ତିଙ୍କ ଭିଡିଓ ବୟାନ ସର୍ବସାଧାରଣରେ ପ୍ରସାରଣ କରି ଏସ୍ପି ଦେଶର ନିୟମକାନୁନ୍ ଭଙ୍ଗ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଗିରଫ ହୋଇଥିବା ଅପରାଧୀମାନେ କେଉଁଠୁ କେଉଁଠୁ ଗିରଫ ହେଲେ ଓ ସେମାନଙ୍କୁ କେଉଁ ବିଜେଡି ନେତା ମନ୍ତ୍ରୀମାନେ ସହାୟତା ଯୋଗାଇଥିଲେ, ସେହି ତଥ୍ୟ ଏସ୍ପି ଉପସ୍ଥାପିତ ନ କଲେ ସେ ବିଜେଡିର ଏଜେଣ୍ଟ୍ ଭାବେ କାମ କରୁଥିବା ଆହୁରି ସ୍ପଷ୍ଟ ହେବ। ଯଦି ଶ୍ରୀ ସିଂହଙ୍କର ରାଜନୀତି କରିବାର ଅଛି, ତେବେ ପୁଲିସ୍ ପୋଷାକ ଖୋଲି ରାଜନୀତି ମଇଦାନକୁ ଆସନ୍ତୁ ବୋଲି ଶ୍ରୀ ନାୟକ ଆହ୍ଵାନ ଦେଇଛନ୍ତି।
ଏହା ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ଗୋଲକ ମହାପାତ୍ରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଭାବେ ଗୋଲକ ମହାପାତ୍ରଙ୍କ ସହ ଅନେକ ଲୋକ ଯୋଗାଯୋଗରେ ଥାଇପାରନ୍ତି। କିନ୍ତୁ ଘଟଣା ଘଟିବା ପୂର୍ବରୁ ବା ଘଟଣା ଘଟିବା ଦିନ କିମ୍ବା ଘଟଣା ଘଟିବା ପରେ ଗୋଲକ ବାବୁ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ଥିଲେ କି ? ଅଭିଯୁକ୍ତମାନେ ବ୍ରହ୍ମପୁରରୁ ଉତ୍ତରାଖଣ୍ଡ ଗଲେ କିପରି ? ଉତ୍ତରାଖଣ୍ଡ ସରକାରୀ ଗେଷ୍ଟ ହାଉସ୍ର ୨୦୪ ନମ୍ବର ରୁମ୍ ବୁକ୍ କରିଥିଲା କିଏ ? କୌଣସି ସାଧାରଣ ଲୋକ ସରକାରୀ ଗେଷ୍ଟ ହାଉସ୍ ବୁକ୍ କରିବା ସମ୍ଭବ ନୁହେଁ। ବିନା ନିଆଁରେ ଧୂଆଁ ବାହାରେ ନାହିଁ। ଅଭିଯୁକ୍ତ ଦ୍ୱୟ ଡେରାଡୁନ୍ରେ ରହି ଓଡ଼ିଶାର ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ। ପରୋକ୍ଷରେ ଏହି ଘଟଣାରେ ବିଜେପି ନେତାଙ୍କ ସଂପୃକ୍ତି ଥିବା ଏଥିରୁ ପ୍ରମାଣିତ ହେଉ ନାହିଁ କି ? ଯଦି ଗୋଲକ ବାବୁ ନିର୍ଦ୍ଦୋଷ, ତେବେ ତଦନ୍ତରେ ସହଯୋଗ କରନ୍ତୁ। ଭୟଭୀତ ହୋଇ ଗଣମାଧ୍ୟମରେ ଏସ୍ପିଙ୍କୁ ଟାର୍ଗେଟ୍ କରିବାର ମାନେ କ’ଣ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି।
ଆଜି ଏତିକିରେ ଘଟଣା ସୀମିତ ରହି ନ ଥିଲା। ସନ୍ଧ୍ୟା ୫ଟାରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ବର୍ତ୍ତମାନର ଗଞ୍ଜାମ ଏସ୍ପି ଆଶିଷ ସିଂହଙ୍କ ଭୂମିକା ନେଇ ଦଳ ପ୍ରଶ୍ନ ଉଠାଇବା ସହ ତାଙ୍କ ସମୟରେ ହୋଇଥିବା ସମସ୍ତ ଅପରାଧ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦଳ ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଲେ, ବର୍ତ୍ତମାନର ଅତ୍ୟାଚାରୀ ସରକାର ପୁଲିସ୍ ମାଧ୍ୟମରେ ବିରୋଧୀଙ୍କ ସ୍ୱର ଚପାଇବାକୁ ଉଦ୍ୟମ କରୁଛନ୍ତି। ପୁଲିସ୍ ହେପାଜତରେ ଥିବା ଅଭିଯୁକ୍ତଙ୍କୁ କିପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଗଲା ? ସାରା ଦେଶରେ ଏହା ଏକ ବିରଳ ଘଟଣା। ଗଞ୍ଜାମ ଏସ୍ପିଙ୍କ ଆଇନ୍ ପ୍ରତି ସାମାନ୍ୟ ସମ୍ମାନ ନାହିଁ। ସେ ଶାସକ ଦଳ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ମାମଲାର ନିରପେକ୍ଷ ତଦନ୍ତ ନେଇ ଆଶଙ୍କା ରହିଛି। ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଅନ୍ତୁ। ନଚେତ ବିଜେପି କୋର୍ଟର ଆଶ୍ରୟ ନେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।