ଆଦର୍ଶ ବିଦ୍ୟାଳୟକୁ ନେଇ ବିଧାନସଭାରେ ବିଜେଡି-ବିଜେପି କଳି

କେନ୍ଦ୍ର ଅର୍ଥରେ ସ୍କୁଲ୍‌ ତିଆରି ହୋଇଛି : ବିଜେପି, କେନ୍ଦ୍ରର ଟଙ୍କାଟିଏ ଅବଦାନ ନାହିଁ : ବିଜେଡି

ଭୁବନେଶ୍ବର : କାହା ଟଙ୍କାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଉଛି ? କେନ୍ଦ୍ର ଟଙ୍କାରେ ନା ରାଜ୍ୟର ନିଜସ୍ବ ପାଣ୍ଠିରେ ? ଆଜି ଏମିତି ପ୍ରଶ୍ନ ଉଠାଇ ବିଧାନସଭାର ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ମଧ୍ୟରେ କିଛି ସମୟ କଥା କଟାକଟି ହୋଇ ଗୃହରେ ପରିସ୍ଥିତି ସରଗରମ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ଆଣିବାକୁ ବାଚସ୍ପତିଙ୍କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, କେନ୍ଦ୍ର ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ଦେଉଛି। କିନ୍ତୁ ଲୋକଙ୍କୁ ତାହାର ସୁଫଳ ପହଞ୍ଚୁନି। ରାଜ୍ୟରେ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇଥିବାରୁ କେନ୍ଦ୍ର ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇପାରୁନି। ୨୦ ବର୍ଷ ‌ହେଲା ଏ ସରକାର ବିକାଶକୁ ନେଇ ଗୋଲାପି ଗୋଲାପି କଥା କହୁଛନ୍ତି। ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ନିଯୁକ୍ତି ହାର ଅତ୍ୟନ୍ତ ନୈରାଶ୍ୟଜନକ। ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବି ବଢ଼ୁଛି। ଦକ୍ଷତା ତାଲିମ୍ ଦିଆଯାଉଥିଲେ ବି ସେମାନଙ୍କୁ ନିଯୁକ୍ତି ମିଳୁନି। ରାଜ୍ୟରେ ସରକାରୀ ସ୍କୁଲ୍‌ଗୁଡ଼ିକରେ ଶିକ୍ଷକ ନାହାନ୍ତି କି ଭିତ୍ତିଭୂମି ନାହିଁ। ଆଦର୍ଶ ବିଦ୍ୟାଳୟ ନିର୍ମାଣ କରି ସରକାର ଯେଉଁ ବାହାବା ନେବାକୁ ଚେଷ୍ଟା କରୁଛନ୍ତି, ତାହା ବି କେନ୍ଦ୍ର ଅର୍ଥରେ ନିର୍ମାଣ ହେଉଛି।

ଆଦର୍ଶ ବିଦ୍ୟାଳୟ କଥା କହିବା ମାତ୍ରେ ଶାସକ ଦଳର ବରିଷ୍ଠ ସଦସ୍ୟ ପ୍ରଦୀପ ଅମାତ ତାହାର ପ୍ରତିବାଦ କରି ପଏଣ୍ଟ୍‌ ଅଫ୍ ଅର୍ଡର ଜରିଆରେ କହିବାକୁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେବାରୁ ସେ କହିଲେ, ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏନ୍‌ଡିଏ ସରକାର ଶାସନକୁ ଆସିବା ପରେ ତତ୍‌କାଳୀନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ରାଜ୍ୟ ଅର୍ଥ ମନ୍ତ୍ରୀମାନଙ୍କ ଏକ ବୈଠକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବନି ବୋଲି ଘୋଷଣା କରିଥିଲେ। ରାଜ୍ୟ ଅର୍ଥ ମନ୍ତ୍ରୀମାନେ ତାହାର ପ୍ରତିବାଦ କରିଥିଲେ ବି କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ଏହି ଯୋଜନା ଏନ୍‌ଡିଏ ସରକାର ସମୟରେ ବନ୍ଦ ହୋଇଗଲା। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କଲେ। ସମ୍ପୂର୍ଣ୍ଣ ଭାବେ ରାଜ୍ୟ ପାଣ୍ଠିରୁ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଉଛି। ୟୁପିଏ ସରକାର ସମୟରେ ଆଦର୍ଶ ବିଦ୍ୟାଳୟ ପାଇଁ ଯେଉଁ ଅର୍ଥ ଦିଆଯାଇଥିଲା, ତାହା ବି ଫେରାଇ ନେଲେ। ଶାସକ ଦଳ ସଭ୍ୟମାନେ ଏହାକୁ ସମର୍ଥନ କ‌ରିଥିଲେ। ବିରୋଧୀ ଦଳ ନେତା କହିଥିଲେ, ସରକାରୀ ସ୍କୁଲ୍‌କୁ ସଜାଡ଼ି ପାରୁ ନାହାନ୍ତି। ସେ କଥା ଶାସକ ଦଳ ଉଠାଉନି। କିନ୍ତୁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରି କି ବାର୍ତ୍ତା ଦେଉଛନ୍ତି। ଏ ସରକାର ଫାଟିବାର ବେଳ ଆସିଲାଣି। ସେଥି ପାଇଁ ଏମିତି ଚିତ୍କାର କରୁଛନ୍ତି। ଏହି ସମୟରେ ବିରୋଧୀ ଦଳ ସଭ୍ୟମାନେ କହିଥିଲେ ଯେ କେନ୍ଦ୍ର ଯେଉଁ ଅର୍ଥ ଦେଇଥିଲା ସେହି ସୁଧ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ଖର୍ଚ୍ଚ କରିଛନ୍ତି। ଏହାର ପ୍ରତିବାଦ କରି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, ବିରୋଧୀ ଦଳ ନେତା ପଦବି ଏକ ସମ୍ମାନସ୍ପଦ ପଦବି। ତେଣୁ ସେ ଯାହା କହୁଛନ୍ତି ତାହାର ତଥ୍ୟ ଗୃହରେ ଦିଅନ୍ତୁ। କେଏମିତି ଦାୟିତ୍ବହୀନ ମନ୍ତବ୍ୟ ଦେବା ଠିକ୍ ନୁହେଁ।

ଭୂପିନ୍ଦର ସିଂହ ମଧ୍ୟ ଏହି ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଥିଲେ। କେତେ ଅର୍ଥ ସୁଧ ବାବଦକୁ ଆସିଛି, ତାହା ବିରୋଧୀ ଦଳ ନେତା ସ୍ପଷ୍ଟ କରିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ, ସରକାର ଏ ନେଇ ସ୍ପଷ୍ଟ କରନ୍ତୁ। ଆମେ କାହିଁକି କରିବୁ ? କିନ୍ତୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଯେ ଠିକ୍ ଚାଲିନି, ସରକାରଙ୍କୁ ତାହା ଗ୍ରହଣ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର