ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପରେ ଦଳ ଦୁର୍ବଳ ହୋଇପଡ଼ିବାରୁ ବିଜେଡି ଓ ବିଜେପି ପତିଆରା ଜମାଇଥିଲେ। ବିଜେଡି ଓ ବିଜେପି ପରସ୍ପରକୁ ଚେକ୍ ଦେବାକୁ ଉଦ୍ୟମ ଚଳାଇଥିବା ବେଳେ କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ବଳ ଗୋଟାଇବା ଆରମ୍ଭ କରିଛି। ସିମୁଳିଆ ଓ ଖଇରା ବ୍ଲକ୍କୁ ନେଇ ସିମୁଳିଆ ନିର୍ବାଚନ ମଣ୍ଡଳୀ ଗଠିତ। ସିମୁଳିଆ ବ୍ଲକ୍ରେ ୨୨ଟି ପଞ୍ଚାୟତ ଥିବା ବେଳେ ଖଇରା ବ୍ଲକ୍ରେ ରହିଛି ୩୭ଟି ପଞ୍ଚାୟତ। ୨୦୦୪, ୧୯୯୫ ଓ ୧୯୮୫ ମସିହାରେ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଟିକେଟ୍ରେ ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ଏହାକୁ ଛାଡ଼ି ୧୯୭୪, ୧୯୬୧ ଓ ୧୯୫୧ ମସିହାରେ ଦଳ ଏଠାକାର ବିଧାନସଭା ଆସନ ଅକ୍ତିଆର କରିଥିଲା। ବିଜେଡି ଟିକେଟ୍ରେ ପର୍ଶୁରାମ ପାଣିଗ୍ରାହୀ ୨୦୦୦ ଓ ୨୦୦୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ତାଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟୀ ହୋଇଛନ୍ତି। ୨୦୦୪ ପରଠାରୁ ସିମୁଳିଆରେ କଂଗ୍ରେସର ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୧୪ରେ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୬୫୮୫୪, କଂଗ୍ରେସର ପଦ୍ମଲୋଚନ ପଣ୍ଡା ୫୭୯୧୭ ଓ ବିଜେପିର ଶଶିକୁମାର ସାହୁ ପାଇଥିଲେ ୨୮୦୧୧ ଭୋଟ୍। ୨୦୧୯ରେ ବିଜେଡିର ଜ୍ୟୋତିପ୍ରକାଶ ୮୯୫୩୨ ଭୋଟ୍ ପାଇଥିବା ବେଳେ ବିଜେପିର ପଦ୍ମଲୋଚନ ପଣ୍ଡା ୭୪୮୨୫ ଓ କଂଗ୍ରେସର ଅନନ୍ତ ପ୍ରସାଦ ସେଠୀଙ୍କୁ ମିଳିଥିଲା ୮୬୪୬ ଖଣ୍ଡ ଭୋଟ୍।
୨୦୧୯ରେ ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡ଼ି ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ି ହାରିବା ପରଠାରୁ ସିମୁଳିଆ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦୁର୍ବଳ ହୋଇ ପଡ଼ିଥିଲା। ଏମିତିକି ୨୦୧୯ ସାଧାରଣ ନିର୍ବାଚନରେ ଦଳ ଅମାନତ ମଧ୍ୟ ହରାଇଥିଲା। ଏପରି ସମୟରେ ବିଜେଡି ଓ ବିଜେପି ନେତୃବୃନ୍ଦ କଂଗ୍ରେସର ଛାମୁଆ କର୍ମୀଙ୍କୁ ଦଳରେ ସାମିଲ କରାଇବାକୁ ସମର୍ଥ ହୋଇଥିଲେ। ବିଜେପି ଉଭୟ ସିମୁଳିଆ ଓ ଖଇରା ବ୍ଲକ୍ର ଅଧ୍ୟକ୍ଷ ପଦ ହାତେଇଥିଲା। ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଏବେଠାରୁ ସାଙ୍ଗଠନିକ ଶକ୍ତି ସଜାଡ଼ିବା ଆରମ୍ଭ କରିଛି। ଯୁବନେତା ହିମାଂଶୁ ଶେଖର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଓ ରବି ଶତପଥୀଙ୍କ ସହଯୋଗରେ ପୁରୁଣା କଂଗ୍ରେସ ନେତା ଓ କର୍ମୀଙ୍କୁ ଦଳରେ ପୁଣି ସାମିଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ଗଲା କିଛି ମାସ ମଧ୍ୟରେ ହିମାଂଶୁଙ୍କ ନେତୃତ୍ୱରେ ସିମୁଳିଆ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାଧିକ ଆନ୍ଦୋଳନ ଓ ସମାବେଶ କରିଛି। ବିଭିନ୍ନ ଦାବି ନେଇ ଖଇରା ଓ ସିମୁଳିଆ ବ୍ଲକ୍ ଘେରାଉରେ ସହସ୍ରାଧିକ କର୍ମୀ ଓ ଜନସାଧାରଣଙ୍କୁ ଦେଖିବାକୁ ମିଳିଛି। କଂଗ୍ରେସର ନିର୍ବାଚନ କସରତ ଦେଖି ବିଜେଡି ଓ ବିଜେପି ନେତା ଭୋଟ୍ ଯୋଗାଡ଼ରେ ଲାଗିପଡ଼ିଛନ୍ତି।