ବିଜେଡି-ବିଜେପି ଭିତିରି ସମ୍ପର୍କକୁ ପଦା‌ରେ ପକାଇଛନ୍ତି ଶଙ୍କରାଚାର୍ଯ: ଶରତ

ଭୁବନେଶ୍ୱର : ଶଙ୍କରାଚାର୍ଯ୍ୟ ହେଉଛନ୍ତି ଏ ଜାତିର ଧର୍ମଗୁରୁ। ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବି‌ଜେଡି-ବିଜେପିର ଭିତିରି ସମ୍ପର୍କକୁ ପଦାରେ ପକାଇ ଦେଇଛନ୍ତି ବୋଲି ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ କରିଛନ୍ତି।

ପିସିସି ସଭାପତି ଭାବେ ନିଯୁକ୍ତ ହେବାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ପ୍ରଥମକରି ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ଏକ ପ୍ରେସ୍‌ ବିବୃତି ଜରିଆରେ ସେ କହିଛନ୍ତି, ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଐତିହ୍ୟ ପରିକ୍ରମା ପ୍ରକଳ୍ପ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଏବଂ ଭାରତୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ସମ୍ମତି ମିଳିନାହିଁ। ତେଣୁ, ଏହା ବେଆଇନ। ରାଜ୍ୟ ସରକାରଙ୍କ ଏହି ବେଆଇନ ପ୍ରକଳ୍ପ ଲାଗି ବିଜେପିର ସମର୍ଥନ ରହିଛନ୍ତି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହି ଅନ୍ୟାୟକୁ ବିରୋଧ କରିବା ଲାଗି ଆଉ କେହି ରାଜନୈତିକ ଦଳ ନାହାନ୍ତି ବୋଲି ବି ମତ ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଏବେ ଏକ ବଡ଼ ରାଜନୈତିକ ଶକ୍ତି ହୋଇରହିନାହିଁ। ତେବେ, କଂଗ୍ରେସ କିଭଳି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ତତ୍‌ପର ରାଜ୍ୟବାସୀ ଖୁବ୍‌ଶୀଘ୍ର ଦେଖିବେ ବୋଲି ଶ୍ରୀ ପଟ୍ଟନାୟକ ଏହି ପ୍ରତିକ୍ରିୟାରେ କହିଛନ୍ତି। ଆହୁରି ବି କହିଛନ୍ତି, କଂଗ୍ରେସ ଯେକୌଣସି ଅନ୍ୟାୟ ଓ ଅନୀତିର ପ୍ରତିବାଦ କରିବ। ତେଣୁ, ଅନ୍ୟାୟ ଭାବେ ହେଉଥିବା ନିର୍ମାଣ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ରୁହନ୍ତୁ ଏବଂ ଏ ସମ୍ପର୍କରେ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷାରେ ରୁହନ୍ତୁ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର