ଭୁବନେଶ୍ବର: ଓଡ଼ିଶାରେ ବିଜେଡି ସହ ବିଜେପିର କୌଣସି ଭିତିରି ସଂପର୍କ ନାହିଁ। ଆସନ୍ତା ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ହିଁ ଗଢ଼ିବ। ଏପରିକି ଦଳ ରାଜ୍ୟରେ ଦୁଇ ତୃତୀୟାଂଶ ସିଟ୍‌ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର।

Advertisment

ଆଜି କନକ ନ୍ୟୁଜ୍‌ର ‘ନ୍ୟୁଜ ମେକର-୨୦୨୦’ ଅଧିବେଶନରେ ଯୋଗଦେଇ ଡା.ପାତ୍ର କହିଛନ୍ତି, ବିଜେପି-ବିଜେଡି ଭିତରେ ରହସ୍ୟମୟ ସଂପର୍କ ରହିଥିବା ନେଇ ଗୁଜବ ପ୍ରଚାର କରାଯାଉଛି। ଯାହାକି ସତ୍ୟ ନୁହେଁ। ଦୁଇ ଦଳ ଅଲଗା। ‌ଗଣମାଧ୍ୟମ ଓ ବିଜେଡି ଜାଣିଶୁଣି ଏଭଳି ପ୍ରଚାର କରୁଛନ୍ତି। ଯଦି ଦୁଇ ଦଳ ଭାଇ ଭାଇ, ତାହାଲେ ଆମେ ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା କିଭଳି ଦାବି କରିଥାନ୍ତୁ? ଗୋଟିଏ ଭାଇ ଯଦି ଇସ୍ତଫା ଦାବି କରୁଛି, ତେବେ ଅନ୍ୟ ଭାଇ ଆମ ଦାବି ମାନି ନେଉନି କାହିଁକି?
ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ସଂସଦର କୌଣସି ଅଧିବେଶନରେ ବିଲ୍‌ ପାରିତ କରିବା ସମୟରେ ଏଥିରେ ସମର୍ଥନ ଦେବା ଲାଗି ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରୁଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ରାଜ୍ୟସଭାରେ ବିଲ୍ ପାରିତ ସମୟରେ ଏହାକୁ କିଏ ସମର୍ଥନ ଦେବ କିମ୍ବା ନ ଦେବ ତାହା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଅଧିକ କହିପାରିବେ। ତେବେ ଉପ-ରାଷ୍ଟ୍ରପତି କିମ୍ବା ରାଷ୍ଟ୍ରପତି ଚୟନ ସମୟରେ ସହମିତ ଲୋଡ଼ିବା ଭିନ୍ନ କଥା। ଏହା ଏକ ପଦ୍ଧତି। ଏଥିରେ ଦ୍ବନ୍ଦ୍ବ ନ ରଖି ସମସ୍ତଙ୍କ ସହମତି ଭିତରେ ଏଭଳି ଚୟନ ହୋଇଥାଏ। ଏପରି ସହମତି ଭିତ୍ତିରେ ପଦ୍ଧତିକୁ ଅନୁସରଣ କଲେ ଗୋଟିଏ ସଂସ୍କୃତି ଆଗକୁ ଯାଇଥାଏ।
ସେହିପରି ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପିର ମୁଖମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ବୋଲି ପ୍ରଶ୍ନର ଉତ୍ତରରେ ସମ୍ବିତ ମୁହଁ ଖୋଲି ନ ଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ର, ପ୍ରତାପ, ଅପରାଜିତା କିମ୍ବା ସମ୍ବିତ ନୁହନ୍ତି, ପଦ୍ମ ଚିହ୍ନ ହିଁ ଓଡ଼ିଶା ବିଜେପିର ପୋଷ୍ଟର ବୟ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ମାତ୍ର ପରବର୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ; ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ସେ କହିଥିଲେ।