୨–୨ରେ ବାଣ୍ଟି ନେଲେ ବିଜେଡି-ବିଜେପି: ୪୩୯ ଖଣ୍ଡରେ ଜିତିଲେ ଅରୁଣ

ରଣପୁର ଓ ଖଣ୍ଡପଡ଼ାରେ ବିଜେପିର ବାଜିମାତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଚାରି ବିଧାନସଭା ଆସନ ମଧ୍ୟରୁ ଦୁଇଟିକୁ ବିଜେପି ନିଜ ଦଖଲକୁ ଆଣିଛି। ନୟାଗଡ଼ ଓ ଦଶପଲ୍ଲାରେ ବିଜେଡି ନିଜ ଦୁର୍ଗ ସମ୍ଭାଳିବାରେ ସଫଳ ହୋଇଥିବା ବେଳେ ରଣପୁର ଓ ଖଣ୍ଡପଡ଼ା ଆସନକୁ ବିଜେଡିଠାରୁ ଛଡ଼ାଇନେଇଛି ବି‌ଜେପି। ଚାରି ବିଧାନସଭା ଆସନ ମଧ୍ୟରୁ ନୟାଗଡ଼କୁ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସସ୍‌ପେନ୍ସ ଲାଗି ରହିଥିଲା। ଶେଷରେ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଲଗାତାର ପଞ୍ଚମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ରଣପୁରରେ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ, ଖଣ୍ଡପଡ଼ାରେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ ହୋଇଥିବା ବେଳେ ଦଶପଲ୍ଲାରୁ ଦ୍ବିତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜୟୀ ହୋଇଛନ୍ତି।

୪୩୯ ଖଣ୍ଡରେ ଜିତିଲେ ଅରୁଣ
ରଣପୁର ଓ ଖଣ୍ଡପଡ଼ାରେ ବିଜେପିର ବାଜିମାତ
ଦଶପଲ୍ଲାରେ ପୁଣି ରମେଶ

ସୂଚନା ମୁତାବକ, ନୟାଗଡ଼ ବିଧାନସଭା ଆସନରେ ଅରୁଣଙ୍କୁ ୮୧,୯୫୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ୮୧,୫୨୦ ଖଣ୍ଡ ଭୋଟ୍ ମିଳିଛି। ଫଳରେ ମାତ୍ର ୪୩୯ ଖଣ୍ଡ ଭୋଟ୍‌ରେ ପ୍ରତ୍ୟୁଷାଙ୍କୁ ସେ ମାତ୍ ଦେବାକୁ ସକ୍ଷମ ହୋଇଛନ୍ତି। ସେହିପରି ଦଶପଲ୍ଲାରେ ରମେଶଙ୍କୁ ୬୨, ୦୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକଙ୍କୁ ୫୫,୭୪୩ ଖଣ୍ଡ ଭୋଟ୍ ମିଳିଛି। ଏହି ଆସନକୁ ୬,୨୯୬ ଖଣ୍ଡ ଭୋଟ୍‌ରେ ଜିତି ରମେଶ ଲଗାତାର ଭାବେ ଦ୍ବିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରଣପୁରରେ ବିଜେପି ପ୍ରାର୍ଥୀ ସୁରମାଙ୍କୁ ୮୧,୪୩୯ ଖଣ୍ଡ ଓ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୬୫,୮୯୫ ଖଣ୍ଡ ଭୋଟ୍ ମିଳିଛି। ସୁରମା ଏହି ଆସନରେ ୧୫,୫୪୪ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଖଣ୍ଡପଡ଼ାରେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତଙ୍କୁ ୭୫,୫୫୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ୬୮,୨୧୪ ଖଣ୍ଡ ଭୋଟ୍ ମିଳିଛି। ସମସ୍ତଙ୍କ ନଜରରେ ଥିବା ଏହି ଆସନଟିକୁ ବିଜେପି ନିଜ ଦଖଲକୁ ନେଇ ସମସ୍ତଙ୍କୁ ଚକିତ କରି ଦେଇଛି।

ସମ୍ବନ୍ଧିତ ଖବର