ବିଜେଡି-ବିଜେପି ବୟାନଯୁଦ୍ଧର ରୋଚକ ଦିଗ: ଅଭିଯୋଗ ଗୋଟିଏ ବାଟରେ, ଜବାବ ଅନ୍ୟ ବାଟରେ

ପ୍ରଶ୍ନ ଓ ଉତ୍ତରର ତାଳ ମେଳ ରହୁନି

ଭୁବନେଶ୍ବର : ଜୁଲାଇ ୧୬। ଧାନ ସଂଗ୍ରହ ପ୍ରସଙ୍ଗରେ ବିଜେଡିର ଦୁଇ ନେତ୍ରୀ ସାମ୍ବାଦିକ ସମ୍ମିଳନୀ କଲେ। ଅଭିଯୋଗ ଥିଲା, ଖାଦ୍ୟ ସବ୍‌ସିଡି ବାବଦରେ କେନ୍ଦ୍ର ସରକାର ୬୫୭୦ କୋଟି ଟଙ୍କାର ବକେୟା ପ୍ରଦାନ କରୁ ନାହାନ୍ତି। ଓଡ଼ିଶା ନିକଟରେ ବଳକା ଥିବା ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ କେନ୍ଦ୍ର ସରକାର ଉଠାଉ ନାହାନ୍ତି। ବଳକା ଖରିଫ ଧାନ ଉଠାଇବା ପାଇଁ ସମୟସୀମା ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ରବି ଧାନ ପାଇଁ ଟୋକନ୍ ଦେବା ଓ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବା କାମ କେନ୍ଦ୍ର ସରକାରଙ୍କର ହୋଇଥିଲା ବେଳେ ବିଜେପି ଏଠାରେ ଲୋକଙ୍କୁ ବିଭ୍ରାନ୍ତ କରୁଛି।

ବିଜେପି ଏହାର ଜବାବ ଦେଲା। ଗୁଡ଼ାଏ ତଥ୍ୟ ଦେଇ ଧାନ ସଂଗ୍ରହ ଅବ୍ୟବସ୍ଥାର ଲମ୍ବା ଅଭିଯୋଗ ଗଦା କରି ପ୍ରେସ୍ ବିଜ୍ଞପ୍ତି ଜାରି କରାଗଲା। କିନ୍ତୁ ବିଜେଡି ଉଠାଇଥିବା ୪ଟି ଅଭିଯୋଗର ଠୋସ୍ ଉତ୍ତର ଏଥିରେ ନ ଥିଲା। କେବଳ ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫ୍‌ସିଆଇ ଠିକ୍ ସମୟରେ ଉଠାଇବ ବୋଲି କୁହାଗଲା। ଆଉ ତିନିଟି ଅଭିଯୋଗ ଉପରେ ବିଜେପି ପକ୍ଷରୁ ଉତ୍ତର ଦିଆ ନ ଯାଇ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ଆରୋପ ଲଗାଗଲା।

ଜୁଲାଇ ୨୪। ବିଜେପି ପକ୍ଷରୁ ଅଭିଯୋଗ ହେଲା, ସ୍ବାସ୍ଥ୍ୟ ସେବାରେ ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଛି। ଭିମ୍‌ସାରରେ ନିର୍ଦ୍ଦିଷ୍ଟ କିଛି ଅବ୍ୟବସ୍ଥା ସମ୍ପର୍କରେ ଦଳ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ଥିଲା ଭିମ୍‌ସାରରେ ଏକ୍‌ମୋ ମେସିନ୍ କାହିଁକି ଲଗାଯାଉ ନାହିଁ।

ଜବାବରେ ବିଜେଡି କହିଲା, ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ ଦେଉଛନ୍ତି। ପଡ଼ୋଶୀ ରାଜ୍ୟରୁ ଲୋକ ଆସି ଏଠାରେ ଚିକିତ୍ସିତ ହେଉଛନ୍ତି। ଭିମ୍‌ସାର୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବାକୁ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏକ୍‌ମୋ ମେସିନ୍ ପଶ୍ଚିମ ଓଡ଼ିଶାରେ କେବେ ଲାଗିବ, ତାହାର ଉତ୍ତର ନ ଥିଲା।

ଜୁଲାଇ ୨୬। ବିଜେପି ପକ୍ଷରୁ ଅଭିଯୋଗ ହେଲା, ରାଜ୍ୟ ସରକାର ଜାଣିଶୁଣି ପୌର ନିର୍ବାଚନ କରାଉ ନାହାନ୍ତି। ଜନ ପ୍ରତିନିଧି ନ ଥିବାରୁ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। ତିନି ବର୍ଷ ଭିତରେ ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ। ରାଜ୍ୟ ନିର୍ବାଚନ କମିସନ ନିଜର ସାମ୍ବିଧାନିକ ଦାୟିତ୍ବ ଭୁଲି ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଛନ୍ତି।

ବିଜେଡିର ଜବାବ ଥିଲା, ବିଜେପି ସାମ୍ବିଧାନିକ ଅନୁଷ୍ଠାନକୁ ଅପମାନିତ କରୁଛି। ବିଜେଡି ସବୁ ଉପନିର୍ବାଚନରେ ଜିତି ଆସୁଛି। ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, ତାହା ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ। କାହିଁକି ପୌର ନିର୍ବାଚନ ତିନି ବର୍ଷ ହେଲା ହେଉନି ସେ ସମ୍ପର୍କରେ ଉଁ ଚୁଁ ବିଜେଡି କହିଲା ନାହିଁ।

ଗୋଟିଏ ଦଳର ଅଭିଯୋଗ ଉପରେ ଅନ୍ୟ ଦଳର ଭିନ୍ନ ପ୍ରକାର ଜବାବ। କାହା ସହିତ କହାର ତାଳମେଳ ରହୁନାହିଁ। ଏହା ସମସ୍ୟାର ସମାଧାନ କରିବା ବଦଳରେ ଅଧିକ ବିଭ୍ରାନ୍ତି ସୃଷ୍ଟି କରୁଛି। ଏହାର ଉଦ୍ଦେଶ୍ୟ କଣ, ଏଥିରୁ କାହାକୁ କ’ଣ ଫାଇଦା ମିଳୁଛି ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଲାଣି। ଗତ କିଛି ଦିନ ହେଲା ବିଜେଡି ଓ ବିଜେପି ମଧ୍ୟରେ ଏମିତି ବିତଣ୍ଡା ଯୁକ୍ତି ଦେଖିବାକୁ ମିଳୁଛି। ଏହି ତିନିଟି କେବଳ ଉଦାହରଣ ମାତ୍ର। ଏମିତି ଅଭିଯୋଗ ଓ ଜବାବ ନିଇତି ଜାରି ରହିଛି। ଓଡ଼ିଶାକୁ ସାର ଯୋଗାଣ ପ୍ରସଙ୍ଗ ହେଉ କି ବିଜୁଳି ଦର ବୃଦ୍ଧି, ପୁଣି କେନ୍ଦ୍ର ମନ୍ତ୍ରୀଙ୍କୁ ଉଭୟ ଦଳର ସାଂସଦମାନେ ଭେଟିବା ପ୍ରସଙ୍ଗ। ସବୁଥିରେ ଏମିତି ହାସ୍ୟାସ୍ପଦ ଚିତ୍ର ହିଁ ଦେଖିବାକୁ ମିଳୁଛି। ଅଭିଯୋଗ ଗୋଟିଏ ପଟେ ଥିଲା ବେଳେ ଜବାବ ଭିନ୍ନ ବାଟରେ ଯାଉଛି। ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ଜବାବ ଦେବାକୁ କୌଣସି ପକ୍ଷ ଉଚିତ ମଣୁ ନାହାନ୍ତି। ୟାଡ଼ୁ ସାଡ଼ୁ କହି କେବଳ ଜବାବ ଦେବା ପାଇଁ ବିବୃତି ଦେଉଛନ୍ତି। ଫଳରେ ସମ୍ପୂର୍ଣ୍ଣ ପ୍ରସଙ୍ଗଟିରେ ସତ କ’ଣ, ତାହାକୁ ସାଧାରଣ ଜନତା ଜାଣିପାରୁ ନାହାନ୍ତି।

ରବି ଧାନ ସଂଗ୍ରହ କ୍ଷେତ୍ରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା। ଧାନ ସଂଗ୍ରହ ସମୟସୀମା ଜୁନ୍ ୩୦ରୁ ବୃଦ୍ଧି କରିବା ପାଇଁ ବିଜେପି ଦାବି କଲା ଓ ଆନ୍ଦୋଳନ କଲା। ଯୋଗାଣ ମନ୍ତ୍ରୀ କହିଲେ ସମୟସୀମା ବଢ଼ାଯିବ ନାହିଁ। ବିଜେଡି କହିଲା, ସମୟସୀମା ବଢ଼ାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର। ଏମିତି ଭିତରେ ଦିନ ଗଡ଼ି ଚାଲିଲା। ରାଜ୍ୟ ସରକାର ବାସ୍ତବତା ବୁଝି ଧାନ ସଂଗ୍ରହ ସମୟସୀମା ବଢ଼ାଇବାକୁ କେନ୍ଦ୍ରକୁ ଲେଖିଲେ ନାହିଁ। ବିଜେପି ମଧ୍ୟ ସେହି ସମୟରେ ସିଧାସଳଖ କେନ୍ଦ୍ର ସରକାରଙ୍କ ସାମ୍ନାରେ ବାସ୍ତବ ଚିତ୍ର ରଖି ସେଠାରୁ ସମୟସୀମା ବଢ଼ାଇବାର ନିର୍ଦ୍ଦେଶ ଜାରି କରାଇପାରିଲା ନାହିଁ। ଫଳରେ କିଛି ଦିନ ରାଜନୈତିକ ହଟଚମଟ ସିନା ହେଲା, କିନ୍ତୁ ଚାଷୀ ଲାଭ ପାଇଲା ନାହିଁ। କମ୍ ଦାମରେ ବଳକା ଧାନ ବିକିବାକୁ ବାଧ୍ୟ ହେଲା।

ସାର ପ୍ରସଙ୍ଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ କୃଷି ମନ୍ତ୍ରୀ ଧାର୍ଯ୍ୟ ଆବଣ୍ଟିତ ସାର ଓଡ଼ିଶାକୁ ଦେବା ପାଇଁ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ। ବିଜେପି ରାଜନୈତିକ ଦୃଷ୍ଟିକୋଣରୁ ତାହାକୁ ବିରୋଧ କଲା। କିନ୍ତୁ ସତରେ କାହିଁକି ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି, ତାହାର କାରଣ କେହି ଖୋଜିଲେନି। ପରସ୍ପର ଉପରେ ଦୋଷ ଲଦି ଯିଏ ଯାହା ବାଟରେ ଖସିଗଲେ। ଶେଷରେ ଯାହା ସମସ୍ୟା ଭୋଗିବେ ଚାଷୀ ଭୋଗିବେ। ବିଜୁଳି ଦର ବୃଦ୍ଧି, ପକ୍କା ଘର ଯୋଜନାରେ ଅନିୟମିତତା ପ୍ରସଙ୍ଗରେ ମଧ୍ୟ ସମାନ ଦଶା।

ଯେତେବେଳେ ବିଜେଡି ପକ୍ଷରୁ କୌଣସି ଅଭିଯୋଗ ହେଉଛି ବିଜେପି ତାହାର ନିର୍ଦ୍ଦିଷ୍ଟ ଜବାବ ନ ଦେଇ କେବଳ କେନ୍ଦ୍ର ସରକାରଙ୍କ ପ୍ରଶଂସା ଓ ରାଜ୍ୟ ସରକାରଙ୍କୁ ଭିନ୍ନ ବାଟରେ ଟାର୍ଗେଟ୍ କରି ଦାୟିତ୍ବ ସାରି ଦେଉଛି। ସମାନ ପନ୍ଥା ଆପଣାଉଛି ବିଜେଡି। ବିଜେପି ପକ୍ଷରୁ କୌଣସି ପ୍ରସଙ୍ଗରେ ଅଭିଯୋଗ ହେଲେ ବିଜେଡି ରାଜ୍ୟ ସରକାରଙ୍କ ପ୍ରଶଂସା କରି ରାଜ୍ୟ ବିଜେପି ଓ ଅନ୍ୟ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ୍ କରି ଜବାବକୁ ସୀମିତ ରଖୁଛି। ବାସ୍ତବରେ କାହା ପାଖରେ ଠୋସ୍ ଉତ୍ତର ନାହିଁ ନା କେବଳ ରାଜନୈତିକ ପରିବେଶକୁ ଚଳଚଞ୍ଚଳ ରଖିବା ପାଇଁ ଲୋକଦେଖାଣିଆ ବୟାନବାଜି କରାଯାଉଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି । ସେମାନଙ୍କ ମତରେ ଗତନ୍ତ୍ରରେ ଯୁକ୍ତିତର୍କର ଗୁରୁତ୍ବ ସବୁବେଳେ ରହି ଆସିଛି। ଶାସକ ଓ ବିରୋଧୀଙ୍କ ଅଭିଯୋଗ, ଜବାବ, ପ୍ରତିଜବାବରେ ଅନେକ ସତ ଘଟଣା ଲୋକଲୋଚନକୁ ଆସେ। ପୁଣି ସମାଧାନର ବାଟ ବି ବାହାରେ। କିନ୍ତୁ ରାଜ୍ୟରେ ଗତ କିଛି ଦିନ ହେଲା ଯେଉଁଭଳି ଭା‌ବେ ରାଜେନୖତିକ ବୟାନଯୁଦ୍ଧ ଚାଲୁଛି ତାହା କେବଳ ବିଭ୍ରାନ୍ତି ହିଁ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର