ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାରେ ବିଜେପି-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି। ବିଜେପି ପୁଲିସକୁ ସରକାରୀ ଦଳର ଗୁଣ୍ଡା କହି ବିଜେଡିକୁ ଟାର୍ଗେଟ୍ କରିଛି। ଅପରପକ୍ଷେ ପୁଲିସ୍ ଉପରେ ବିଜେପି କର୍ମୀଙ୍କ ଆକ୍ରମଣକୁ ବିଜେଡି ନିନ୍ଦା କରିଛି।
ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ହତ୍ୟା ଅଭିଯୁକ୍ତ ଜୟନାରାୟଣ ମିଶ୍ର କିଛି ଦିନ ତଳେ କର୍ତ୍ତବ୍ୟରତ ଆଇଆଇସିଙ୍କୁ ଅକ୍ରମଣ କରିବା ସହ ମକଚମକ ଦେଇଥିଲେ। ତାହା ପୂରା ରାଜ୍ୟବାସୀ ଦେଖିଛନ୍ତି। ସେ ଓ ତାଙ୍କ ସହଯୋଗୀ ଇରାସିସ୍ ଆଚାର୍ଯ୍ୟ ହତ୍ୟା ଘଟଣାରେ ଜେଲ୍ ଯାଇ ଜାମିନ୍ରେ ଫେରିଥିଲେ। ଆଜି ସେମାନଙ୍କ ନେତୃତ୍ବରେ ଲୋୟର ପିଏମ୍ଜିରେ ବିକ୍ଷୋଭ ନାଁରେ ଯେଭଳି ଦଙ୍ଗା ରଚଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ଆନ୍ଦୋଳନ ନାଁରେ ପୁଲିସ କର୍ମଚାରୀଙ୍କୁ ଟାର୍ଗେଟ୍ କରି ଢ଼େଲା ପଥର ମାରି ଲହୁଲୁହାଣ କରାଗଲା। ପୁଲିସ ଆମ ସୁରକ୍ଷା ପାଇଁ ଅଛି। ଆନ୍ଦୋଳନ ଆଳରେ ବାରମ୍ବାର ସେମାନଙ୍କୁ ଆକ୍ରମଣ କରି ମନୋବଳକୁ ଦୁର୍ବଳ କରାଯାଉଛି। ସେମାନଙ୍କୁ ମାନସିକସ୍ତରରେ ଆଘାତ ଦିଆଯାଉଛି। ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦିକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ।
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ଯେ କୁଚକ୍ରୀଙ୍କ ଇଙ୍ଗିତରେ ପୁଲିସ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କଲା। ଘଟଣାର ପ୍ରକୃତ ସତ୍ୟକୁ ଲୋକଲୋଚନକୁ ନଆଣି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି। ଏହାକୁ ବିରୋଧ କରି ଯୁବମୋର୍ଚ୍ଚା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୁଲିସ ଯେଭଳି ଅତର୍କିତ ଭାବେ ବିଜେପି କର୍ମୀଙ୍କୁ ଆକ୍ରମଣ କଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏମିତିକି ମହିଳାଙ୍କୁ ବି ଆକ୍ରମଣ କରିବାକୁ ପୁଲିସ ପଛାଇଲା ନାହିଁ। ତଳେ ପକାଇ ଗୋଡ଼େଇତୁଡ଼େଇ ପିଟିଲା। ପୁଲିସ ଆକ୍ରମଣ ଯୋଗୁଁ ୫୦ରୁ ଅଧିକ ଯୁବମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପୁଲିସ କିଭଳି ବିଜେଡି ନେତାଙ୍କ ଇଙ୍ଗିତରେ ଅପରାଧ ଘଟାଉଛି। ପ୍ରତିବାଦ କଲେ ବିଜେଡି ଗୁଣ୍ଡା ସାଜି ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରୁଛି। ପୁଲିସ ଓ ବିଜେଡି ଭିତରେ ଥିବା ମଧୁଚନ୍ଦ୍ରକା ରାଜ୍ୟବାସୀ ଜାଣିସାରିଲେଣି। ଆଗାମୀ ଦିନରେ ନିଶ୍ଚିତ ଏହାର ଜବାବ ମିଳିବ। ସେହିପରି ପୁଲିସର ଆକ୍ରମଣକୁ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ସୂର୍ଯ୍ୟ ଟ୍ବିଟରରେ ଦୃଢ଼ ନିନ୍ଦା କରିଛନ୍ତି।