‘ବିଜେପୁର ପାଇଁ ବିଜେଡି ଅନ୍ଧ’ 

ବରଗଡ଼: ଚକଡ଼ା ପୋକର ଭୟାବହତା ସଂପର୍କରେ ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କ କରାଯାଇଥିଲା। କିନ୍ତୁ ଏହି ସତର୍କବାଣୀକୁ ବିଜେଡି ସରକାର ହାଲୁକା ଭାବେ ଗ୍ରହଣ କଲେ। ୨୦୧୫ ମସିହାରୁ ବରଗଡ଼ ଜିଲ୍ଲା ମରୁଡ଼ି ସହୁଛି। ଅନୁଗୁଳ ଜିଲ୍ଲାପାଳ ଋଣଚାପ ଯୋଗୁଁ ସେଠାକାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସରକାରଙ୍କୁ ରିପୋର୍ଟ ଦେଇ ସାହସ ଦେଖାଇଛନ୍ତି। ହେଲେ ବରଗଡ଼ରେ ଚାଷୀ ଆତ୍ମହତ୍ୟାକୁ ଭିନ୍ନ ରଂଗ ଦିଆଯାଇ ରିପୋର୍ଟ ଦିଆଯାଉଛି। ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ୩୩ହଜାର କୋଟି ଟଙ୍କାର ଯୋଜନା ଓ ଶହେ ଟଙ୍କା ବୋନସ ଘୋଷଣା କରିଥିଲେ। ଏବେ ବିଜେପୁର ପାଇଁ ଭୂତଳ ଜଳସେଚନ ଭଳି ସ୍ୱପ୍ନିଳ ଯୋଜନା ଘୋଷଣା କରିଛନ୍ତି। ଯାହା ବାସ୍ତବରେ କେବେ ଫଳବତୀ ହେବ ନାହିଁ। ବିଜେଡି ବିଜେପୁର ପାଇଁ ଅନ୍ଧ ପାଲଟି ଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଚକଡ଼ା ପୋକ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ବିଜେଡି ସରକାର ୧୩୭ କୋଟି ଟଙ୍କା ଘୋଷଣା କରିଛି। ହେଲେ ଏହାର ପିସି କାରବାର ପାଇଁ ପଲ୍ଲୀସଭା ଜରିଆରେ ବାଟ ଖୋଲି ଦେଇଛି। ଚାଷୀଙ୍କ କ୍ଷତିପୂରଣ ରାଶି ବଣ୍ଟନ ଦାୟିତ୍ୱ ରାଜସ୍ୱ ବିଭାଗକୁ ଦିଆଯାଉ। ନଚେତ ପିସି କାରବାର ଏବଂ ବାଟ ମାରଣାରେ ଚାଷୀର ଖାତାକୁ ଟଙ୍କା ପହଂଚି ପାରିବ ନାହିଁ ବୋଲି ଶ୍ରୀ ମହାନ୍ତି ଆଶଂକା କରିଛନ୍ତି। ଅନ୍ୟପକ୍ଷରେ ଚକଡ଼ା ପୋକ ବ୍ୟାପିବାରେ ରାଜ୍ୟ ସରକାର ଦାୟୀ ବୋଲି ସେ କହିଛନ୍ତି। ଅନ୍ୟ ରାଜ୍ୟରେ ଚକଡ଼ା ପୋକ ମାରିବା ପାଇଁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ କୀଟନାଶକ ସିଂଚନ କରାଯିବା ନଜିର ରହିଛି। କିନ୍ତୁ ନବୀନ ସରକାର ହେଲିକପ୍ଟରକୁ କେବଳ ନିର୍ବାଚନ ପ୍ରଚାର ପାଇଁ ଅଭିନେତା/ଅଭିନେତ୍ରୀଙ୍କୁ ବୋହିବା ଜାଣିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ବରିଷ୍ଠ ନେତା ସୁବାସ ଚୌହାନ, ଅଶୋକ ପାଣିଗ୍ରାହୀ, ଡା. ଅରୂପା ସାହୁ, ସୁରେଶ୍ୱର ଶତପଥୀ, ଅଶୋକ ପଣ୍ଡା, ଦିବ୍ୟ ଭୋଇ, ରବିନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର