ସମୁଦ୍ରରୁ ହଟିଲା ବିଜେଡି ବୋଇତ

ଡଙ୍ଗାରେ ଜଗନ୍ନାଥଙ୍କ ସହ ନବୀନ ଓ ମହେଶ୍ୱର; ବିଭିନ୍ନ ମହଲରୁ ପ୍ରତିକ୍ରିୟା

ପୁରୀ : ପବିତ୍ର କାର୍ତ୍ତିିକ ପୂର୍ଣ୍ଣିମାରେ ଆଜି ତୀର୍ଥରାଜ ମହୋଦଧିରେ ଭସାଯାଇଥିବା ଏକ ବୋଇତ (ଡଙ୍ଗା)କୁ ନେଇ ପୁରୀରେ ବେଶ୍‌ ଚର୍ଚ୍ଚା ହୋଇଛି। ବିଜେଡି ଶଙ୍ଖଚିହ୍ନ ଥିବା ଏହି ଡଙ୍ଗା ମଝିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶାଳ ବିଗ୍ରହ ଥିବା ବେଳେ ବାମ ପାର୍ଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡାହାଣ ପାର୍ଶ୍ୱରେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଫଟୋଚିତ୍ର ରହିଥିଲା। ହଜାର ହଜାର ଲୋକ ଆଜି ମହୋଦଧିରେ ବୁଡ଼ ପକାଇବାକୁ ଓ ଡଙ୍ଗା ଭସାଇବାକୁ ଆସିଥିବାରୁ ବିଜେଡିର ଦଳୀୟ ବିଜ୍ଞାପନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଭାବି ବୋଧହୁଏ କିଛି ଦଳୀୟ ସମର୍ଥକ ଏଭଳି ବ୍ୟବସ୍ଥା କରିଥିଲା। ମାତ୍ର ଏହା ବିଜ୍ଞାପନ ବଦଳରେ ବୁମେରାଂ ପାଲଟିଛି। ଫଳତଃ ମହେଶ୍ୱରଙ୍କ ନିର୍ଦେଶରେ ଏହି ଡଙ୍ଗାକୁ ଫେରାଇ ଅଣାଯାଇଛି।

ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କୁ ନେଇ ରାଜନୀତି କରାଯିବା ଘଟଣାକୁ ପ୍ରମୁଖ ସେବାୟତମାନେ ତୀବ୍ର ବିରୋଧ ଓ ସମାଲୋଚନା କରିଛନ୍ତି। ଏହା ଶାସ୍ତ୍ରବିରୁଦ୍ଧ ଓ ମହାପ୍ରଭୁଙ୍କୁ ଘୋର ଅପମାନ ବୋଲି ଅନେକ ମତ ଦେଇଛନ୍ତି। ନିକଟ ଅତୀତରେ ଏକ ପୋଷ୍ଟରରେ ମହେଶ୍ୱର ମହାନ୍ତି, ପିନାକୀ ମିଶ୍ରଙ୍କ ପାଦତଳେ ମହାପ୍ରଭୁଙ୍କ ଫଟୋ ରଖି ପୁରୀ ବିଜେଡିି ଚର୍ଚ୍ଚାକୁ ଆସିଥିବା ବେଳେ ଏଭଳି ଏକ ବିଧର୍ମୀ କାମ ନେଇ ପୁଣି ଥରେ ଶାସକଦଳ ନିନ୍ଦିତ ହୋଇଛି। ଅନ୍ୟପଟେ ଖୋଦ୍‌ ମନ୍ତ୍ରୀ ମହେଶ୍ୱର ମହାନ୍ତି ବି ଏହାକୁ ନାପସନ୍ଦ କରିଛନ୍ତି। ଏହି ଡଙ୍ଗାକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ଏ ନେଇ ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି,ଏହା ହେଉଛି ବିଧର୍ମୀଙ୍କ କାମ। ଆଉ କୌଣସି ଧର୍ମର ଦେବତାଙ୍କୁ ଏଭଳି ନେତାଙ୍କ ସହ ରଖାଯିବା ଦେଖାଯାଏ ନାହିଁ। କେବଳ ବିଜେଡି ନେତାଙ୍କୁ ଖୁସି କରିବା ପାଇଁ କୁଜିନେତାମାନେ ଏଭଳି କାର୍ଯ୍ୟକ୍ରମ କରୁଥିବା ଦେଖାଯାଉଛି। ତୀର୍ଥରାଜ ମହୋଦଧି ମହାପ୍ରଭୁଙ୍କ ଶ୍ୱଶୁରଘର। ସେ ସେଠାକୁ ଯାଆନ୍ତି ନାହିଁ। ଏମିତିକି ସମୁଦ୍ର ଗର୍ଜନ ନ ଶୁଣାଯିବା ପାଇଁ ଶ୍ରୀମନ୍ଦିର ଚାରିପାଖେ ମେଘନାଦ ପାଚେରି ରହିଛି। ଗର୍ଜନ କାଳେ ପଶିଆସିବ ସେଥିପାଇଁ କାନପାତା ମହାବୀର ମଧ୍ୟ ଜଗିଛନ୍ତି। ଏଭଳି ଏକ ଧାର୍ମିକ ବିଶ୍ୱାସରେ ମହାପ୍ରଭୁଙ୍କ ବିଗ୍ରହକୁ ନେଇ ସମୁଦ୍ରରେ ଭସାଇବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୋସିଆଲ ମିଡ଼ିଆରେ ଏହି ଡଙ୍ଗା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ପ୍ରାୟ ସମସ୍ତେ କଡ଼ା ସ୍ୱରରେ ନିନ୍ଦା କରିଛନ୍ତିି। କେତେକ ଧର୍ମେନ୍ଦ୍ରଙ୍କ ଉକ୍ତି ଯଥାର୍ଥ ହେଲା ବୋଲି କମେଣ୍ଟ ଦେଇଥିବା ବେଳେ ଏଭଳି କୁକର୍ମ ବିଜେଡିକୁ ବୁଡ଼ାଇବ ବୋଲି ଅନ୍ୟ କେତେକ ଲେଖିଛନ୍ତି।

ସମ୍ବନ୍ଧିତ ଖବର