ସମ୍ବଲପୁର: ମୁଖ୍ୟମନ୍ତ୍ରୀ କାମ କରନ୍ତି, ଧର୍ମେନ୍ଦ୍ର ପ୍ରଧାନ କେବଳ କହନ୍ତି ବୋଲି ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ପୁଣି ବଡ଼ ଆକ୍ରମଣ କରିଛନ୍ତି। ପ୍ରଣବ ପ୍ରକାଶ ଆଜି ସମ୍ବଲପୁରରେ ଦିନ ତମାମ ମାରାଥନ ପ୍ରଚାର ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ବାର୍ତ୍ତାଳାପ ସମୟରେ କହିଛନ୍ତି। ମାରାଥନ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରି ଆଜି ସକାଳୁ ସକାଳୁ ଶୀତଳଷଷ୍ଠୀ କମିଟିର କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ ପ୍ରଣବ ପ୍ରକାଶ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଖେଇ ଆସୁଥିବା ବେଳେ ଏ ସଂପର୍କରେ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ। ଶୀତଳଷଷ୍ଠୀକୁ କିଭଳି ଆହୁରି ଭବ୍ୟ ଓ ଆଡ଼ମ୍ବର କରାଯାଇପାରିବ ସେନେଇ ପ୍ରସ୍ତାବ ମାଗିଥିଲେ। କର୍ମକର୍ତ୍ତାମାନେ କହିଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରଣବ ପ୍ରକାଶ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ବିଜେଡି ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ସେ ପହଞ୍ଚିଥିଲେ ସାକ୍ଷୀପଡ଼ାସ୍ଥିତ ଚର୍ଚ୍ଚ ଠାରେ। ସେଠାରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଣବ ପ୍ରକାଶ ସେଠାରୁ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଘରେ ପହଂଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ସିନ୍ଦୂରପଙ୍କରେ ଖ୍ରୀଷ୍ଟିୟାନ ସମାଜ ଦ୍ୱାରା ଆୟୋଜିତ ବିଶାଳ ସମାବେଶରେ ଯୋଗଦାନ କରିଥିଲେ ପ୍ରଣବ ପ୍ରକାଶ। ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଉନ୍ନତି ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ସଂପର୍କରେ ବୁଝାଇଥିଲେ। ଚର୍ଚ୍ଚ ଗୃହର ଉନ୍ନତୀକରଣ ଓ ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବା ବେଳେ ଆଗକୁ ଆହୁରି ବିକାଶ ଯୋଜନା ଓ ପ୍ରକଳ୍ପ ରହିଛି ବୋଲି ସୂଚନା ଦେଇଥିଲେ। ପ୍ରଣବ ପ୍ରକାଶ ସମ୍ବଲପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏସ୍ଏସ୍ଜି ସଦସ୍ୟାଙ୍କୁ ଭେଟିଥିଲେ। ଏଠାକାର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମିସନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା କହିଥିଲେ। ମାରୱାଡି ସମାଜର ବୈଠକରେ ଯୋଗ ଦେବା ପରେ ବିପ୍ର ସମାଜର କର୍ମକର୍ତ୍ତାମାନଙ୍କୁ ଭେଟି ନିର୍ବାଚନ ସମୟରେ ସହଯୋଗ କାମନା କରିଥିଲେ। ସନ୍ଧ୍ୟାରେ ଗଂଗାଧର ମଣ୍ଡପରେ ବିଶାଳ ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବରିଷ୍ଠ ନେତା ବେଣୁଧର ଦାଶ, ରୁଦ୍ର ଷଡ଼ଂଗୀ, ସଂଜୟ ବର୍ମା, ଅମୂଲ୍ୟ ମିଶ୍ରଙ୍କ ବହୁ ବ୍ୟକ୍ତିଙ୍କୁ ସ୍ବାଗତ କରିଥିଲେ। ପ୍ରଣବ ପ୍ରକାଶ ସେମାନଙ୍କୁ ସ୍ୱାଗତ କରିଥିଲେ। ମିଶ୍ରଣ ପର୍ବରେ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହିତ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବରିଷ୍ଠ ନେତା ସିଦ୍ଧାର୍ଥ ଦାସ, ସଂଜୟ ବାବୁ ପ୍ରମୁଖ ମଂଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gjgdjjgdjggj.jpg)