ବୀରମିତ୍ରପୁର : ରାଲି ଅନୁମତିପତ୍ର ଦେଖେଇ ନ ପାରି ଆଜି ଶାସକ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ବାଳ ଓ ବୀରମିତ୍ରପୁର ବିଧାନସଭା ପ୍ରାର୍ଥୀ ମଖଲୁ ଏକ୍କା ନିଜ ସମର୍ଥକମାନଙ୍କ ସହିତ ପ୍ରାୟ ଅଧଘଣ୍ଟାଏ ଅଟକି ରହିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଇ-ମେଲ୍‌ ଯୋଗେ ଅନୁମତିପତ୍ର ଆସିବା ପରେ ପୁଣି ରାଲି ହୋଇଥିଲା।

Advertisment

ଜନସାଧାରଣଙ୍କ ସମର୍ଥନ ହାସଲ କରିବାଲାଗି ଏବଂ ଭୋଟରଙ୍କ ସହିତ ମିଶିବାଲାଗି ଉପରୋକ୍ତ ଦୁଇ ପ୍ରମୁଖ ବିଜେଡି ପ୍ରାର୍ଥୀ ଆଜି କରଡେଗାରୁ ରାଲି ଆରମ୍ଭ କରି କୋକେରମା, ହାତୀବାରି ହୋଇ ପୁରୁଣାପାଣିରେ ପହଞ୍ଚିଥିଲେ। ତେବେ ରାଲି ଆଗକୁ ଯିବା ପୂର୍ବରୁ ସେଠାରେ ଫ୍ଲାଇଂ ସ୍କ୍ବାର୍ଡ ସେମାନଙ୍କୁ ଅଟକାଇ ରାଲି ଅନୁମତିପତ୍ର ମାଗିଥିଲା। ରାଲି ପାଇଁ ଅନୁମତିପତ୍ର ମିଳିଛି, କିନ୍ତୁ ପାଖରେ ନାହିଁ ବୋଲି ଦୁଇ ପ୍ରାର୍ଥୀ କହିଥିଲେ। କିନ୍ତୁ ଫ୍ଲାଇଂ ସ୍କ୍ବାର୍ଡର ମାଜିଷ୍ଟ୍ରେଟ୍‌ ବୀରମିତ୍ରପୁର ପୌର ନିର୍ବାହୀ ଅଧିକାରୀ ସମ୍ବିତ ଦାଶ ଅନୁମତି କାଗଜପତ୍ର ଦେଖାଇବାକୁ କହିଥିଲେ। ପାଖରେ ଅନୁମତି କାଗଜପତ୍ର ନ ଥିବାରୁ ଦୁଇ ନେତା ଓ ସେମାନଙ୍କର ସମର୍ଥକମାନଙ୍କୁ ସେଠାରେ ପ୍ରାୟ ଅଧଘଣ୍ଟା ଅଟକିବାକୁ ପଡିଥିଲା।