ଭୁବନେଶ୍ବର: ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହେବାକୁ ଦୁଇ ସପ୍ତାହ ହୋଇଗଲାଣି। ଏମିତି ଅପ୍ରତ୍ୟାଶିତ ପରାଜୟକୁ ଦଳର ନେତାମାନେ ଏ ଯାଏ ଗ୍ରହଣ କରିପାରୁ ନାହାନ୍ତି। ପରାଜୟର କାରଣ ଖୋଜିବାକୁ ଦଳ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ସେହି କମିଟି ଏ ଯାଏ ଗଠନ ‌ହିଁ ହୋଇପାରୁନି। କିଏ କମିଟିର ମୁଖ୍ୟ ହେବ, ତାହା ବି ଚୂଡ଼ାନ୍ତ ହୋଇପାରୁନି। ପରାଜୟ ପାଇଁ ଭି କେ ପାଣ୍ଡିଆନ୍‌ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟୀ କରି ଦଳ ଭିତରେ ଅସନ୍ତୋଷ ତେଜୁଛି। ହେଲେ ସେମାନଙ୍କ ପ୍ରଭାବ ଅପରିବର୍ତ୍ତିତ ରହିଛି। ଫଳରେ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ସଂଗଠନ ଏକପ୍ରକାର ଦିଗହରା ହୋଇଚାଲିଛି। ଏମିତି ସ୍ଥିତିରେ ଆସନ୍ତା ୧୯ ତାରିଖରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ବସୁଛି।

Advertisment

ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ବଛା ହେବେ। ବର୍ତ୍ତମାନ ସୁଦ୍ଧା ବିଜେଡି ସଭାପତି ନବୀନ ପଟ୍ଟନାୟକ ହିଁ ବିରୋଧୀ ଦଳ ନେତା ହୁଅନ୍ତୁ ବୋଲି ଅଧିକାଂଶ ବିଧାୟକ ନିଜ ମତ ଦେଇସାରିଲେଣି। ବିଧାନସଭା ଅଧିବେଶନ ସମୟରେ ବିରୋଧୀ ଦଳ ନେତାଙ୍କର ଏକ ବଡ଼ ଭୂମିକା ଥାଏ। ସରକାରଙ୍କୁ କେତେ ପ୍ରଭାବୀ ଢଙ୍ଗରେ ଅଡ଼ୁଆରେ ପକାଇ ହେବ, ତାହା ବିରୋଧୀ ଦଳ ନେତାଙ୍କ ଉପରେ ନିର୍ଭର କରେ। ଗୃହରେ ତାଙ୍କର ଉପସ୍ଥିତି ଓ ସରକାରଙ୍କ ଉପରେ ତାଙ୍କର ଶାଣିତ ଆକ୍ରମଣ ବହୁତ ଗୁରୁତ୍ବ ରଖେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିଧାନସଭା ଅଧିବେଶନ ସମୟରେ ନବୀନ ସବୁଦିନେ ଗୃହକୁ ଯାଇ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବା ଆପାତତଃ ସମ୍ଭବ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଯଦି ନବୀନ ନିଜେ ବିରୋଧୀ ଦଳ ନେତା ହୁଅନ୍ତି, ତେବେ ଜଣେ ବରିଷ୍ଠ ବିଧାୟକଙ୍କୁ ଉପନେତା ନିଶ୍ଚିତ କରିବେ। ତେଣୁ ପ୍ରସନ୍ନ ଆଚାର୍ଯ୍ୟ ଉପନେତା ହେବା ଏକପ୍ରକାର ଚୂଡ଼ାନ୍ତ ହୋଇଛି। ସେହିପରି ପ୍ରମିଳା ମଲ୍ଲିକଙ୍କୁ ବିଜେଡି ବିଧାୟକ ଦଳର ମୁଖ୍ୟ ସ‌ଚେତକ କରାଯିବାକୁ ପ୍ରସ୍ତାବ ରହିଛି।

ବିଜେଡିର ପରାଜୟ ପାଇଁ ଭି କେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରେ ଦାୟୀ କରାଯାଇଛି। ନବୀନଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ଉପସ୍ଥାପିତ କରାଯିବାରୁ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି ବହୁ ନେତା ମତ ଦେଇଛନ୍ତି। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ଦଳର ନେତା ଓ କର୍ମୀଙ୍କ ରୋଷର ଶୀକାର ହେଲେ। ପାଣ୍ଡିଆନଙ୍କ ପ୍ରତି ତାଙ୍କର ଅତ୍ୟଧିକ ଆନୁଗତ୍ୟ ଓ ସାଂଗଠନିକ କାର୍ଯ୍ୟରେ ମନମାନିକୁ ସମସ୍ତେ ଦାୟୀ କରିଥିଲେ। କିନ୍ତୁ ଦଳର କୌଣସି ବରିଷ୍ଠ ନେତା ଏ ଯାଏ ପାଣ୍ଡିଆନ କିମ୍ବା ପ୍ରଣବଙ୍କୁ ଦାୟୀ କରି ସର୍ବସା‌ଧାରଣରେ ବିବୃତି ଦେଇନାହାନ୍ତି। କେବଳ ଯୁବ, ଛାତ୍ର ନେତାମାନେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ କ୍ଷୋଭ ପ୍ରକାଶ କରୁଛନ୍ତି। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସତ, କିନ୍ତୁ ନବୀନଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି। ନବୀନ ନିବାସକୁ ଯାଉଥିବା ଦଳର ବରିଷ୍ଠ ନେତାମାନେ ଏ ସମ୍ପର୍କରେ ଜାଣିଲା ପରେ ବାହାରେ ଏହି ଘଟଣା ପ୍ରଘଟ ହୋଇଛି। ଫଳରେ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଏମିତି ସ୍ଥିତିରେ ୧୯ ତାରିଖରେ ହେବାକୁ ଥିବା ବିଧାୟକ ଦଳ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏହି ବୈଠକରେ କେବଳ ବିଧାୟକମାନେ ରହିବା କଥା। କିନ୍ତୁ ଏଥିରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ମଧ୍ୟ ଦଳ ଭିତ‌ରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ବିଜେଡିର ପରାଜୟର କାରଣ ଖୋଜିବା ପାଇଁ ଏକ ଉଚ୍ଚସ୍ତରୀୟ ‘ଫ୍ୟାକ୍ଟ ଫାଇଣ୍ଡିଂ’ କମିଟି ଗଠନ ହେବ ବୋଲି ଗତ ୫ ତାରିଖରେ କୁହାଯାଇଥିଲା। କିନ୍ତୁ କମିଟି ଏ ଯାଏ ଗଠନ ହେଉ ନଥିବାରୁ ଦଳର ଛାମୁଆ ନେତାମାନେ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। କମିଟି କାହିଁକି ଗଠନ ହୋଇପାରୁନି, ତାହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଏହି କମିଟିର ମୁଖ୍ୟ ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚୟନ କରାଯାଇଥିଲେ। କିନ୍ତୁ ସେ ଅମଙ୍ଗ ହୋଇଥିଲେ। ଏହା ପରେ ଦେବୀ ମିଶ୍ରଙ୍କୁ ଦାୟିତ୍ବ ଦେବାକୁ ଚର୍ଚ୍ଚା ହେଉଥିଲେ ବି ତାହା ଚୂଡ଼ାନ୍ତ ରୂପ ନେଇପାରି ନାହିଁ। ସେହିପରି ପ୍ରଥମ ପର୍ଯ୍ୟାୟରେ କମିଟିରେ ୭ ଜଣ ରହିବାର ଥିଲା। କିନ୍ତୁ ବିଭିନ୍ନ ପର୍ଯ୍ୟାୟରେ ମାନସ ମନ୍ଥନ ହେଲା ପରେ ଏହି ସଂଖ୍ୟା ୨୪ରେ ପହଞ୍ଚିଲାଣି। ସେଥି ପାଇଁ କମିଟି ଗଠନ ହୋଇପାରୁ ନାହିଁ। ଅନ୍ୟ ପଟେ ବିଜେଡିର ମୁଖପାତ୍ର, ମିଡିଆ ପ୍ୟାନେଲିଷ୍ଟମାନେ ହାତ ବାନ୍ଧି ବସିଛନ୍ତି। ସେମାନଙ୍କୁ କେହି କିଛି ବାଟ ଦେଖାଉ ନାହାନ୍ତି। ବିଜେପିର ନୂଆ ମନ୍ତ୍ରୀ ଓ ବିଧାୟକମାନେ ସବୁବେଳେ ବିଜେଡି ଉପରେ ଆକ୍ରମଣ ଜାରି ରଖିଛନ୍ତି। କିନ୍ତୁ ବିଜେଡି ପକ୍ଷରୁ ତାହାର ପ୍ରତିବାଦ କରାଯାଉ ନାହିଁ। କାହାକୁ ସୁରକ୍ଷା ଦେବାକୁ ଯାଇ ଦଳର ସଭାପତି ସାଂଗଠନିକ ରଣନୀତି ପ୍ରସ୍ତୁତ କରୁନାହାନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।